Ancient City Timbuktu: ଏମିତି ରାଜା.. ଯେଉଁ ସହର ଦେଇ ଯାଉଥିଲେ ସେଠାରେ କମି ଯାଉଥିଲା ସୁନା ଦର

ଏଠାରେ ଜଣେ ପ୍ରସିଦ୍ଧ ବାବା ଥିଲେ ଯାହାଙ୍କ ନାଁ ଅହମ୍ମଦ ବାବା । ସେତେବେଳେ ସେ ପ୍ରାୟ ୪୦ରୁ ଅଧିକ ପୁସ୍ତକ ଲେଖିଥିଲେ । ତାଙ୍କର ନିଜର ଏକ ଲାଇବ୍ରେରୀ ଥିଲା ଯେଉଁଥିରେ ହଜାରେ ପୁସ୍ତକ ଥିଲା । ଏଠି କହି ରଖିବୁ, ଯେତେବେଳେ ୟୁରୋପୀୟମାନେ ୧୦୦ରୁ ଅଧିକ ବହି ରଖିବାର କଳ୍ପନା କରିପାରୁ ନ ଥିଲେ ସେତେବେଳେ ଅହମ୍ମଦ ବାବା ହଜାରେ ପୁସ୍ତକ ନିଜ ଲାଇବ୍ରେରୀରେ ରଖୁଥିଲେ ।

ଟିମ୍ୱକଟୁ ସହର

ଏ ଏକ ସହରର କାହାଣୀ । ଯେଉଁ ସହରର ସମ୍ପତ୍ତି ହେଉଛି ପୁସ୍ତକ । ଏ ସହରର କାହାଣୀ କହିବା ପୂର୍ବରୁ ମନେ ପଡିଯାଏ ଗୋଟିଏ ସାଏରୀ ହୋଶ ନୋମାନୀ ରାମପୁରୀଙ୍କର । ‘ଜିସ୍ମ ତୋ ଖାକ ହେ ଔର ଖାକ ମେଁ ମିଲ ଜାଏଗା, ମୈଁ ବହର-ହାଲ କିତାବୋଁ ମେଁ ମିଲୁଗାଁ ତୁମ କୋ ।’ ଏଇ ସହରର କାହାଣୀ ମଧ୍ୟ ବାଲି ଆଉ ପୁସ୍ତକ ସହ ଜଡିତ । ଏହି ସହର ହେଉଛି ଟିମ୍ବକଟୁ ସହର ।

ସମୃଦ୍ଧ ସହରର ଗୁପ୍ତଧନ

ଆଫ୍ରିକାର ସାହାରା ମରୁଭୂମି । ୯୪ ଲକ୍ଷ ବର୍ଗ କିଲୋମିଟର ବ୍ୟାପି ବାଲିର ସମୁଦ୍ର । ଯେଉଁ ସମୁଦ୍ରରେ ବଡ ବଡ ସହର ବି ହଜିଯିବ । ରାତିର ନୀରବତାରେ  କିଛି ଲୋକ ବାକ୍ସ ଧରି  ଯାଉଥିଲେ ଏକ ଗୁମ୍ଫା ଆଡକୁ । ବାକ୍ସରେ ଥିଲା ଏକ ବିଶେଷ ଜିନିଷ । ଭଣ୍ଡାର କହିଲେ ଅତ୍ୟୁକ୍ତି ହେବନି । ଜୀବନକୁ ବାଜି ଲଗେଇ ସେମାନେ ଏହାକୁ ସୁରକ୍ଷା ଯୋଗାଇ ଦେଉଥିଲେ । ଶେଷରେ ଏମାନେ ଗୁମ୍ଫାରେ ପହଞ୍ଚିଲେ ଏବଂ ବାକ୍ସକୁ ସେଠାରେ ଲୁଚାଇବାରେ ସଫଳ ହେଲେ । ହେଲେ ଏ ବାକ୍ସରେ କ’ଣ ଥିଲା ? ବିଶେଷ ସୁନାରୁପାର ଭଣ୍ଡାର ନ ଥିଲା । ଥିଲା କିଛି ପୁସ୍ତକ । ଯେଉଁ ଠାରେ ଲୁଚି ରହିଥିଲା ଅନେକ ରହସ୍ୟ । ଯାହାର ମୂଲ୍ୟ ସୁନାରୁପା ସାଙ୍ଗେ ସମାନ  । ହଁ, ଏହା ଥିଲା ପ୍ରାଚୀନ ସହର ଟିମ୍ବକଟୁର ବିଶେଷ ପୁସ୍ତକ । ଏ ସମୃଦ୍ଧ ସହରର ଗୁପ୍ତଧନ । 

ଟିମ୍ବକଟୁ ଏକ ପ୍ରାଚୀନ ସହର । ପୃଥିବୀର ସବୁଠାରୁ ସମୃଦ୍ଧ ସହର ମଧ୍ୟରୁ ଏହା ଗୋଟିଏ ବୋଲି କହିଲେ ଭୁଲ୍ ହେବନି । ଏହି ସହରରେ ପୁସ୍ତକର ବିଶେଷ ମହତ୍ତ୍ୱ ଥିଲା । ଏପରିକି ଏହି ଦେଶରେ ଯୌତୁକରେ ପୁସ୍ତକ ମଧ୍ୟ ଦିଆ ଯାଉଥିଲା । ଏହାକୁ ନେଇ ସୁଦାନରେ ଏକ କାହାଣୀ ବି ରହିଛି ।

କହିବାକୁ ଗଲେ, ୩୦୦ ବର୍ଷର ପ୍ରାଚୀନ ତଥା  ସମୃଦ୍ଧିର ସହର ଥିଲା ଟିମ୍ବକଟୁ । ହେଲେ ଦୁର୍ଭାଗ୍ୟ, ଦିନେ ବାଲିର ଚାଦର ତଳେ କବର ନେଇଗଲା ଏଇ ସହର । ତେବେ ଏଠିକାର ପୁସ୍ତକରେ କ’ଣ ବିଶେଷତ୍ୱ ରହିଛି ଯାହାକୁ ସୁନା ସଙ୍ଗେ ତୁଳନା କରାଯାଏ ? କିଏ ନଷ୍ଟ କରିଦେଲା ଏହି ସହରର ପୁସ୍ତକ ସମ୍ପଦକୁ ? ଖାଲି କରିଦେଲା ଲାଇବ୍ରେରୀକୁ ? 

ୟୁରୋପିଆନ ସ୍କଲାର୍ସଙ୍କୁ ଚାଲେଞ୍ଜ ଦେଉଥିଲା ଏ ସହର

ଆଫ୍ରିକାର ନାଇଜର ନଦୀର କିଛି ଦୂରରେ ମରୁଭୂମି ମଧ୍ୟରେ ଥିବା ଏଇ ସହର ଦିନେ ଲୁଣ ଏବଂ କ୍ରୀତଦାସ କାରବାର ପାଇଁ ପରିଚିତ ଥିଲା । ହେଲେ ସେ ଜ୍ଞାନର କେନ୍ଦ୍ର କିପରି ପାଲିଟିଲା ? ଏ ସହର ଦିନେ ୟୁରୋପିଆନ ସ୍କଲାର୍ସମାନଙ୍କୁ ବି ଚାଲେଞ୍ଜ ଦେଉଥିଲା । ଏଠାରେ ଭାରତ ସମେତ ବିଶ୍ୱର ସବୁ ଦେଶର ପୁସ୍ତକକୁ ଜମା କରାଯାଉଥିଲା । ଜାଣନ୍ତି ଏ ଦେଶ କେମିତି ତିଆରି ହୋଇଥିଲା ? କେମିତି ସମୃଦ୍ଧ ସହର ପାଲଟିଲା ? ଏଠିକାର ପୁସ୍ତକକୁ କାହିଁକି ନଷ୍ଟ କରି ଦିଆଗଲା ?

କେଉଁଠୁ ଆସିଲା ଏ ନାଁ ‘ଟିମ୍ବକଟୁ’

ବର୍ତ୍ତମାନ ମାଳୀରେ ଥିବା ପ୍ରାଚୀନ ଟିମ୍ବକଟୁ ସହର ନାଇଜର ନଦୀର ୨୦ କିଲୋମିଟର ଦୂରରେ ଅବସ୍ଥତ ଥିଲା । ଏହାକୁ ତୁଆରେଗ  କବିଲାଈ ଲୋକମାନେ ନିର୍ମାଣ କରିଥିଲେ । ବିଶ୍ୱାସ କରାଯାଏ, ଟିମ୍ବକଟୁର ନାମ ଜଣେ ବୁଢୀ ମହିଳାଙ୍କ ନାଁ ଅନୁସାରେ ନାମିତ  କରାଯାଇଛି । ତୁଆରେଗ ଲୋକମାନେ ଏହି ମହିଳାଙ୍କୁ  ଏକ କ୍ୟାମ୍ପର ଦେଖାଶୁଣା କରିବାକୁ ଛାଡି ଯାଇଥିଲେ । ଏହି ମହିଳାଙ୍କର ଅଲଗା ଅଲଗା ନାମ ରହିଛି । ଯେମିତି, ଟାମ୍ବୁଅଟୁ, ଟିମ୍ବକଟୁ,   ବକ୍ଟୁ,ଇତ୍ୟାଦି । ଚଉଡା କମରବାଲି ଏହି ମହିଳାଙ୍କ ନାମରେ ଏହି ସହରର ନାମକରଣ କରାଯାଇଛି ବୋଲି କେତେକ ବିଶ୍ୱାସ କରନ୍ତି । ନାମକରଣ ଯାହା ନାଁରେ ବି ହେଉନା କାହିଁକି , ଆରମ୍ଭରୁ ଏହା ଏକ ବସ୍ତି ପରି ହିଁ ଥିଲା । ଏମିତି ବିଶାଳ ସହର ନ ଥିଲା  ।

ଯୀଶୁଖ୍ରୀଷ୍ଟ ଜନ୍ମ ହେବାର ୧୧୦୦ ବର୍ଷ ପରେ ଏହି ସହର ଦେଇ ଯାଇଥିଲା ଦୁଇଟି ବିଶେଷ ବ୍ୟାବସାୟିକ ରାସ୍ତା । ଯେଉଁଥିପାଇଁ ସମୃଦ୍ଧ ଆଉ ଧନୀ ସହର ପାଲଟି ଯାଇଥିଲା ଟିମ୍ବକଟୁ । ଗୋଟିଏ ପଟେ ଥିଲା ଆଫ୍ରିକାର ଦୁର୍ଗମ ଇଲାକାରୁ ସୁନା ଆଣିବାର ରାସ୍ତା ଯାହା ଲୁଣ କାରବାର କରୁଥିବା ରାସ୍ତା ସହ ଟିମ୍ବକଟୁରେ ସଂଯୋଗ ହୋଇଥିଲା । ଅନ୍ୟ କାରବାର ପାଇଁ ଏଠାରେ ସୁନା ଆଉ ଲୁଣ ଅଦଳବଦଳ କରା ଯାଉଥିଲା । ଏହାବ୍ୟତୀତ ହାତୀଦାନ୍ତ ଏବଂ କ୍ରୀତଦାସ କାରବାର ମଧ୍ୟ ଏଠାରେ କରାଯାଉଥିଲା । ଏପରି ବ୍ୟାବସାୟିକ କାରବାର ଚାଲିବା ଦ୍ୱାରା ୧୩୦୦ ଖ୍ରୀଷ୍ଟାବ୍ଦ ବେଳକୁ ଏହି ସହର ଖୁବ ଧନୀ ହୋଇ ଯାଇଥିଲା । ଏପରିକି ୟୁରୋପରେ ଏକ ଗୁଜବ ଖେଳି ଯାଇଥିଲା ଯେ ଟିମ୍ବକଟୁରେ ଧନ ଦୌଲତର ଅଥଳ ଭଣ୍ଡାର ରହିଛି ।

ଅଧିକ ପଢ଼ନ୍ତୁ : ଜଙ୍ଗଲ ନିଆଁରେ ଛାରଖାର ଆମେରିକା; ଗଲାଣି ୨୪ ଜୀବନ

ରାଜାଙ୍କର ଥିଲେ ୬୦ ହଜାର କ୍ରୀତଦାସ

ଏହି ସହର ସହିତ ମାଲିର ରାଜା ମନ୍ସା ମୁସାଙ୍କର ଏକ କାହାଣୀ ଜଡିତ ହୋଇ ରହିଛି । କୁହାଯାଏ, ୧୩୨୪ରେ ରାଜା ମକ୍କା ଗସ୍ତରେ ଯାଇଥିଲେ । ତାଙ୍କ ସହ ପାଖାପାଖି ୬୦ ହଜାର କ୍ରୀତଦାସ ଯାଇଥିଲେ । ତାଙ୍କ ପାଖରେ ଏତେ ସୁନା ଥିଲା ଯେ, ସେ ସମୟରେ ମିଶରର କାଇରୋରେ ସୁନାର ଦାମ କମି ଯାଇଥିଲା । ସାଧାରଣତଃ ଆମେ ଜାଣୁ, କୌଣସି ଜିନିଷ ବହୁତ ବେଶୀ ମାତ୍ରାରେ ମିଳିଲେ ତାହାର ମୂଲ୍ୟ କମିଯାଏ ।

ୟୁରୋପୀୟଙ୍କ ଥିଲା ସ୍ୱପ୍ନର ସହର

ଆରବ ପରିବ୍ରାଜକ ଇବାନ ବତୁତା ଯେତେବେଳେ ଗଧ ଉପରେ ପୃଥିବୀ ଭ୍ରମଣ କରବାକୁ ବାହାରିଲେ ସେତେବେଳେ ସେ ମଧ୍ୟ ଏହି ସହରକୁ ଆସିଥିଲେ । ସେ ଟିମ୍ବକଟୁ ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଯେତେବେଳେ ୟୁରୋପୀୟମାନେ ତୁଷାରପାତ, ଥଣ୍ଡା ଏବଂ ପ୍ଲେଗ ପରି ରୋଗ ସହ ଲଢୁଥିଲେ ସେତେବେଳେ ସେମାନେ ସୁନାରେ ଲଦି ହୋଇଥିବା ଟିମ୍ବକଟୁର ରାସ୍ତା କେବଳ କଳ୍ପନା କରୁଥିଲେ । ଦକ୍ଷିଣ ସାହାରାରେ ଲୁଚି ରହିଥିବା ଏହି ସହର କୌଣସି ସ୍ୱପ୍ନଠାରୁ କମ୍ ନଥିଲା। ତେବେ ଏହି ସହରରେ ସୁନା ଅପେକ୍ଷା ପୁସ୍ତକକୁ ଅଧିକ ସ୍ୱୀକୃତି ଦିଆଯାଉଥିଲା। 

 

ଇସଲାମିକ ଶିକ୍ଷା ଏବଂ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର

ପ୍ରଚୁର ଧନସମ୍ପଦ  ଅର୍ଜନ କରିବାରେ ସଫଳ ହେବା ପରେ ମାଲିର ରାଜାମାନେ ଏଠାରେ ଶିକ୍ଷା କେନ୍ଦ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ମନ୍ସା ମୁସାଙ୍କ ରାଜତ୍ୱ ସମୟରେ ଏଠାରେ ଅନେକ କୋଠା ନିର୍ମାଣ ହୋଇଥିଲା। ଅନେକ ଶିକ୍ଷା କେନ୍ଦ୍ର  ନିର୍ମାଣ କରାଯାଇଥିଲା। ବିଶ୍ୱାସ କରାଯାଏ ଯେ, ଦଜିଂଗୁରେବେର ଏବଂ ସାଙ୍କୋର ମସଜିଦ ମଧ୍ୟ ଏହି ସମୟରେ ନିର୍ମିତ ହୋଇଥିଲା। ଏହି ମସଜିଦଗୁଡ଼ିକ ଇଟା ଏବଂ ମାଟିରେ ତିଆରି ହୋଇଥିଲା । ସେ ସମୟରେ ପ୍ରାୟ 25,000 ଲୋକ ଏଠାରେ ଶିକ୍ଷା ଗ୍ରହଣ କରିଥିଲେ ଯାହା ପରେ ସହରଟି ଇସଲାମିକ ଶିକ୍ଷା ଏବଂ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିଲା। ସାରା ବିଶ୍ୱରୁ ବିଦ୍ୱାନମାନେ ଏଠାକୁ ଆସୁଥିଲେ। ତଥାପି, ସହରର ସୁବର୍ଣ୍ଣ ଯୁଗ ସାଙ୍ଗାଇ ସାମ୍ରାଜ୍ୟ ସମୟରୁ ଆରମ୍ଭ ହୋଇଥିଲା ।  ଶିକ୍ଷା ସହରର ମଧ୍ୟଭାଗକୁ ଆସିଗଲା। ଇସଲାମିକ୍ ଶିକ୍ଷା ବ୍ୟତୀତ ଏଠାରେ ଜ୍ୟୋତିର୍ବିଜ୍ଞାନ, ଗଣିତ, ଔଷଧ ଏବଂ ଆଇନ ମଧ୍ୟ ଶିକ୍ଷା ଦିଆଯାଉଥିଲା। ଶିକ୍ଷା ଦୃଷ୍ଟିରୁ ଏହି ସହରଟି ବହୁତ ଧର୍ମନିରପେକ୍ଷ ଥିଲା।

ସୁନା ବଦଳରେ ମିଳୁଥିଲା ପୁସ୍ତକ

ଭେନିସରୁ ଏଠାକୁ କାଗଜ ଆସୁଥିଲା । ସ୍ଥାନୀୟ ଗଛ ଏବଂ ଖଣିଜପଦାର୍ଥକୁ ବ୍ୟବହାର କରି ଆରବୀ ଏବଂ ସ୍ଥାନୀୟ ଭାଷାରେ ସବୁ ବିଷୟ ଉପରେ ପୁସ୍ତକ ଲେଖା ଯାଉଥିଲା । ଏଥିରେ ଗ୍ରହର ଗତିବିଧିଠାରୁ ଆରମ୍ଭ କରି ଦର୍ଶନଶାସ୍ତ୍ର ଏବଂ କାବ୍ୟ ମଧ୍ୟ ସାମିଲ ଅଟେ । ଧୀରେ ଧୀରେ ଏହା ଜ୍ଞାନର ଭଣ୍ଡାର ପାଲଟିଗଲା । ପୁସ୍ତକକୁ ଏଠାର ଲୋକେ ବିଶେଷ ଗୁରୁତ୍ୱ ଦେବା ଆରମ୍ଭ କଲେ । କୁହାଯାଏ, ଏଠାରେ ପୁସ୍ତକକୁ ଟଙ୍କା ପରି ବ୍ୟବହାର କରାଯାଉଥିଲା ।  ସୁନା ବିନିମୟରେ ଏହାକୁ ଓଜନ କରାଯାଉଥିଲା । କୌଣସି ପରିବାରର ପ୍ରତିଷ୍ଠା ଓ ପ୍ରତିପତ୍ତି ତାଙ୍କର ପୁସ୍ତକ ଏବଂ ଲାଇବ୍ରେରୀରୁ ଜଣାପଡୁଥିଲା । ଯୌତୁକରେ ପୁସ୍ତକକୁ ଦିଆ ଯାଉଥିଲା । ସୁନ୍ଦର କାଲିଗ୍ରାଫି ଏବଂ ଡିଜାଇନରେ ପୁସ୍ତକକୁ ସଜା ଯାଉଥିଲା । ବିଶ୍ୱର ଧନୀ ଲୋକଙ୍କ ପାଖରେ ଏସବୁର ବିଶେଷ ମହତ୍ତ୍ୱ ଥିଲା ।

ଏଠାରେ ଜଣେ ପ୍ରସିଦ୍ଧ ବାବା ଥିଲେ ଯାହାଙ୍କ ନାଁ ଅହମ୍ମଦ ବାବା । ସେତେବେଳେ ସେ ପ୍ରାୟ ୪୦ରୁ ଅଧିକ ପୁସ୍ତକ ଲେଖିଥିଲେ । ତାଙ୍କର ନିଜର ଏକ ଲାଇବ୍ରେରୀ ଥିଲା ଯେଉଁଥିରେ ହଜାରେ ପୁସ୍ତକ ଥିଲା  । ଏଠି କହି ରଖିବୁ, ଯେତେବେଳେ ୟୁରୋପୀୟମାନେ ୧୦୦ରୁ ଅଧିକ ବହି ରଖିବାର କଳ୍ପନା କରିପାରୁ ନ ଥିଲେ ସେତେବେଳେ ଅହମ୍ମଦ ବାବା ହଜାରେ ପୁସ୍ତକ ନିଜ ଲାଇବ୍ରେରୀରେ ରଖୁଥିଲେ । ପରେ ଟିମ୍ବକଟୁରେ ତାଙ୍କ ନାମରେ ଏକ ଲାଇବ୍ରେରୀ ତିଆରି ହୋଇଥିଲା ଯାହାକୁ ଅହମ୍ମଦ ବାବା ଇନଷ୍ଟିଚ୍ୟୁଟ ନାମ ଦିଆ ଯାଇଥିଲା । ପରେ ଆକ୍ରମଣକାରୀ ଏବଂ ଚୋରଙ୍କ କବଳରୁ ପ୍ରାୟ ୧୮ ହଜାର ପ୍ରାଚୀନ ପାଣ୍ଡୁଲିପିକୁ ଉଦ୍ଧାର କରାଯାଇ ପାରିଥିଲା ଯାହାକୁ ସଂରକ୍ଷିତ ରଖାଯାଇଛି ।

କେମିତି ହେଲା ପତନ

କିଛି ଦିନ ପରେ ଜ୍ଞାନର ଏହି ସ୍ୱର୍ଣ୍ଣିମ କେନ୍ଦ୍ରର ପତନ ହୋଇଥିଲା । ବହୁ ସଂଖ୍ୟକ ପୁସ୍ତକ କୁଆଡେ ହଜି ଯାଇଥିଲା । ୧୫୯୧ରେ ମରକ୍କୋର ସେନା ଟିମ୍ବକଟୁ ଉପରେ ଆକ୍ରମଣ କରିଥିଲେ ଆଉ ଏହାକୁ ନିଜ କବ୍ଜାକୁ ନେଇ ଯାଇଥିଲେ । ମରକ୍କୋ ସେନା ଅହମ୍ମଦ ବାବାଙ୍କ ସମେତ ବହୁ ବିଦ୍ୱାନଙ୍କୁ ବନ୍ଦୀ କରି ରଖିଥିଲେ । ସେମାନଙ୍କ ଲାଇବ୍ରେରୀକୁ ନଷ୍ଟ କରି ଦେଇଥିଲେ । ପରବର୍ତ୍ତୀ ସମୟରେ ଅନେକ ଆକ୍ରମଣର ସାମ୍ନା କରିଥିଲା ଏହି ସହର । ଐତିହାସିକ ଏଲିଜାବେଥ କକ୍ସଙ୍କ କହିବା ଅନୁଯାୟୀ, ୧୮ ଶତାବ୍ଦୀ ବେଳକୁ ଏହା ସୁଫିବାଦୀଙ୍କ କବ୍ଜାକୁ ଚାଲି ଯାଇଥିଲା ଯେଉଁମାନେ ଏଠାରେ ଥିବା ଅଣ-ଧାର୍ମିକ ପୁସ୍ତକକୁ ଜାଳି ପୋଡି ନଷ୍ଟ କରି ଦେଇଥିଲେ ।

ଏହାପରେ ୧୮୯୪ରେ ଫ୍ରାନ୍ସ ଏହାକୁ ନିଜ କବ୍ଜାକୁ ନେଇଥିଲା ।  ଫ୍ରାନ୍ସ ଆକ୍ରମଣକାରୀମାନେ ଲକ୍ଷ ଲକ୍ଷ ପାଣ୍ଡୁଲିପି ଏବଂ ପୁସ୍ତକ ଚୋରାଇ ନେଇଗଲେ । ପରେ ଫ୍ରେଞ୍ଚ ଏଠିକାର ଭାଷା ହୋଇ ଯାଇଥିଲା । ଫଳରେ ପରବର୍ତ୍ତୀ ପିଢି ଏହି ପୁସ୍ତକ ପଢିବାରୁ ବଞ୍ଚିତ ହୋଇଥିଲେ । ହେଲେ ଏଠିକାର ଅନେକ ପରିବାର ପଢିବା ପରମ୍ପରା ଛାଡି ପାରି ନ ଥିଲେ । ସେମାନେ ପାହାଡ ଗୁମ୍ଫା ଓ ଅନ୍ୟ ଜାଗାରେ ଗୁପ୍ତ ଲାଇବ୍ରେରୀ ତିଆରି କରି ପୁସ୍ତକକୁ ଲୁଚାଇ ରଖୁଥିଲେ । ସଧାରଣ ଜନତା ବର୍ଷ ବର୍ଷ ଧରି ଏହାକୁ ସୁରକ୍ଷା ଦେଉଥିଲେ । ଏପରିକି ଅଭାବ, ଅନଟନ ପଡିଲେ ବି ଲୋକେ ପୁସ୍ତକ ବିକୁ ନ ଥିଲେ । ବର୍ଷ ବର୍ଷ ଧରି ସାଧାରଣ ଲୋକ ଏହି ଗୁପ୍ତ ଖଜାନାକୁ ସୁରକ୍ଷିତ ଭାବେ ରଖି ଆସିଥିଲେ । ହେଲେ ପରିବର୍ତ୍ତିତ ସମୟ ହେଉ କିମ୍ବା ପରିବର୍ତ୍ତିତ ଜଳବାୟୁ କାରଣରୁ ହେଉ, ଏହି ସହର ଧ୍ୱଂସ ହୋଇଗଲା  । କିମ୍ବା ଏପରି ଅନେକ କାହାଣୀ ଏବଂ ଜ୍ଞାନକୁ ନିଜ ଗର୍ଭରେ ଲୁଚାଇ ଆଜି ବି ଏ ସହର ଗୁମ୍ଫା ବା ମାଟି ତଳେ ଉଦ୍ଧାରର ଅପେକ୍ଷାରେ ରହିଛି  ।

ଅଧିକ ପଢ଼ନ୍ତୁ : ପୁଣି ଗ୍ରୀନଲାଣ୍ଡ କିଣିବା ପ୍ରସଙ୍ଗ ଉଠାଇଲେ ଡୋନାଲ୍ଡ ଟ୍ରମ୍ପ: ଦରକାର ପଡ଼ିଲେ ଖୋଲିଦେବେ ଭଣ୍ଡାର !