ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଜିତିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଟ୍ରମ୍ପ । କ୍ଷମତା ହାତକୁ ଆସିବା ପରେ ଟ୍ରମ୍ପଙ୍କ ବିସ୍ତାରବାଦୀ ମାନସିକତା ସାମ୍ନାକୁ ଆସୁଛି । ପ୍ରଥମେ କହିଥିଲେ, କାନାଡା ଆମେରିକାର ୫୧ତମ ରାଜ୍ୟ ହେବ । ଏବେ ଗ୍ରୀନଲାଣ୍ଡ ଏବଂ ପନାମା କେନାଲକୁ ମଧ୍ୟ ଆମେରିକା ସହ ସାମିଲ କରାଇବା ପାଇଁ ଚିନ୍ତା କରୁଛନ୍ତି । ଏବେ ସବୁଠାରୁ ବେଶି ଚର୍ଚ୍ଚା ଗ୍ରୀନଲାଣ୍ଡକୁ ନେଇ । ଟ୍ରମ୍ପ ଗ୍ରୀନଲାଣ୍ଡକୁ କିଣିବାକୁ ଚାହୁଁଛନ୍ତି । ହେଲେ କାହିଁକି ? କ‘ଣ ରହିଛି ଏହି ଅଞ୍ଚଳର ବିଶେଷତ୍ୱ ? କେତେ ଟଙ୍କାରେ ଏହି ଅଞ୍ଚଳକୁ କିଣିବେ ଟମ୍ପ ?
କେତେ ହେବ ଗ୍ରୀନଲାଣ୍ଡର ମୂଲ୍ୟ ?
ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ନେଇ ଖରବ ଡଲାର ପର୍ଯ୍ୟନ୍ତ ହେବ ବୋଲି ଅନୁମାନ କରୁଛନ୍ତି । ଯାହା ବି ହେଉ, ଏହାର ମୂଲ୍ୟ ୧.୫ ଖରବ ଡଲାର ହେବାର ଅନୁମାନ କରାଯାଉଛି ଯାହା ଇତିହାସରେ ସବୁଠାରୁ ମହଙ୍ଗା ଅଧିଗ୍ରହଣ ହେବ ବୋଲି କୁହାଯାଉଛି ।
Also Read
ଏହା ବାଦ ଗ୍ରୀନଲାଣ୍ଡରେ ଥିବା ୫୭ ହଜାର ନିବାସୀଙ୍କ ପାଇଁ କ୍ଷତିପୂରଣ ବି ଦେବାକୁ ପଡିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ଲକ୍ଷରୁ ୧୦ ଲକ୍ଷ ଡଲାର ପର୍ଯ୍ୟନ୍ତ ଦେବାକୁ ସେମାନେ ଦାବି କରିପାରନ୍ତି । ଏହାକୁ ହିସାବ କଲେ ପାଖାପାଖି ୫.୭ ଅରବରୁ ୫୭ ଅରବ ଡଲାର ଖର୍ଚ୍ଚ ବଢିପାରେ ।
ଗ୍ରୀନଲାଣ୍ଡ କିଣିବା ପଛରେ କ’ଣ ରହିଛି ପ୍ରତିବନ୍ଧକ ?
ଗ୍ରୀନଲାଣ୍ଡ ହାସଲ କରିବାକୁ ହେଲେ ଅନେକ ଅନ୍ତରାଷ୍ଟ୍ରୀୟ ଆଇନ, ଚୁକ୍ତିନାମା ଏବଂ କୁଟନୀତିକ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିବ । ଡେନମାର୍କ ଏବଂ ଗ୍ରୀନଲାଣ୍ଡର ନେତାମାନେ ଲାଗତାର ଭାବେ ବିକ୍ରି ବିଚାରକୁ ଖାରଜ କରି ଆସୁଛନ୍ତି । ଏହାକୁ କିଣିବା ପାଇଁ ଆମେରିକାର ଯଦି କୌଣସି ପ୍ରକାର ପ୍ରୟାସ କରେ ତେବେ ନାଟୋ ଦେଶ ସହ ସମ୍ପର୍କ ଖରାପ ହେବ । ଏଥି ସହିତ ନିଜ ସହଯୋଗୀଙ୍କ ସହ ସମ୍ପର୍କ ମଧ୍ୟ ଖରାପ କରିବ । ତେଣୁ ଖୁବ ଭାବିଚିନ୍ତି ଏ ଦିଗରେ ଆଗେଇବା ଉଚିତ ହେବ ।
କ’ଣ ଅଛି ଗ୍ରୀନଲାଣ୍ଡରେ ?
ବିଶ୍ୱ ମାନଚିତ୍ରରେ ଉତ୍ତର ଆମେରିକାର ଉପରେ ଏକ ବିଶାଳ ସଫେଦ ଧଳା ରଙ୍ଗର ଅଞ୍ଚଳ ହେଉଛି ଗ୍ରୀନଲାଣ୍ଡ । ଉତ୍ତର ଆଟଲାଣ୍ଟିକ ମହାସାଗରରେ ୟୁରୋପ ଏବଂ ଆମେରିକା ମଝିରେ ଏହାର ଅବସ୍ଥିତି । ଗ୍ରୀନଲାଣ୍ଡର ଆକାର ସାଉଦି ଆରବ ଏବଂ ମେକ୍ସିକୋଠାରୁ ବଡ ଅଟେ । ଏହା ସତ୍ତ୍ୱେ ଗ୍ରୀନଲାଣ୍ଡ ଏକ ସ୍ୱତନ୍ତ୍ର ଦେଶ ନୁହେଁ । ଏହା ଡେନମାର୍କର ଏକ ଅଧିକୃତ କ୍ଷେତ୍ର ଅଟେ । ଗ୍ରୀନଲାଣ୍ଡର ବୈଦେଶିକ ନୀତି ଏବଂ ପ୍ରତିରକ୍ଷା ଡେନମାର୍କ ହାତରେ ରହିଛି ।
ଗ୍ରୀନଲାଣ୍ଡ କିଣିବାକୁ ଆମେରିକା କାହିଁକି ଆଗ୍ରହୀ ?
ଗ୍ରୀନଲାଣ୍ଡଊ ଉପର ଭାଗ ବରଫରେ ଢଙ୍କା ହୋଇଥିବା ପରି ଦେଖା ଯାଇଥାଏ । ହେଲେ ରଣନୀତିକ ଦୃଷ୍ଟିକୋଣରୁ ଏହା ବେଶ ମହତ୍ୱପୂର୍ଣ୍ଣ ଅଟେ । ଏହି ଅଞ୍ଚଳ ବିଶାଳ ଖଣିଜ ଏବଂ ଜୀବାଶ୍ମ ଇନ୍ଧନର ଭଣ୍ଡାର ଅଟେ । ଖାଲି ଆମେରିକା ନୁହେଁ, ଚୀନ ଏବଂ ରୁଷର ନଜର ମଧ୍ୟ ଏହି ଭୂଖଣ୍ଡ ଉପରେ ରହିଛି । ଆମେରିକାର ପିଟୁଫିକ ସ୍ପେସ ବେସ ମଧ୍ୟ ଗ୍ରୀନଲାଣ୍ଡରେ ରହିଛି । ଗ୍ରୀନଲାଣ୍ଡରେ ଦୁର୍ଲଭ ଖଣିଜ ସମ୍ପଦ ରହିଛି ଯାହା କୌଣସି ଖଜାନାଠାରୁ ମଧ୍ୟ କମ ନୁହେଁ । ବିଭିନ୍ନ ଅତ୍ୟାଧୁନିକ ଟେକ୍ନଲଜି ଉପକରଣ, ଇଲେକ୍ଟ୍ରୋନିକ ଯାନବାହନ, ଅସ୍ତ୍ରଶସ୍ତ୍ର ନିର୍ମାଣରେ ଏହି ଖଣିଜ ପଦାର୍ଥକୁ ବ୍ୟବହାର କରାଯାଇଥାଏ ।
ବର୍ତ୍ତମାନ ସମୟରେ ଚୀନ ଏହି ଖଣିଜ ସମ୍ପଦକୁ ନେଇ ବିଶ୍ୱବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛି । ତେଣୁ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ହେଉଛି, ଯଦି ଆମେରିକା ଗ୍ରୀନଲାଣ୍ଡକୁ ନିଜ କବ୍ଜାକୁ ନେଇଆସେ ତେବେ ଚୀନକୁ ପଛରେ ପକାଇବାରେ ସମର୍ଥ ହେବ । ଟ୍ରମ୍ପଙ୍କ ଏପରି ମାନସିକତା ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ଟ୍ରମ୍ପଙ୍କ କହିବା ଅନୁଯାୟୀ, ଚୀନ ଏବଂ ରୁଷ ପକ୍ଷରୁ ଏହା ଉପରେ ବଡ ବିପଦର ଆଶଙ୍କା ରହିଛି । ରୁଷର ଜେନେରାଲ ଗ୍ରୀନଲାଣ୍ଡ ଉପରେ ନଜର ପକାଇଛନ୍ତି ଏବଂ ନିଜ କବ୍ଜାକୁ ନେବାକୁ ଆଲୋଚନା କରୁଛନ୍ତି ।
ଗତବର୍ଷ ଡିସେମ୍ବରରେ ଡେନମାର୍କ ରୁଷର ଆକ୍ରମଣାତ୍ମକ ଧମକ ପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଥିଲା । ଡେନମାର୍କସ୍ଥିତ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନାସନାଲ ଷ୍ଟଡିଜର ବରିଷ୍ଠ ଗବେଷକ ଉଲରିକ ପ୍ରମ ଗାଡ ମିଡିଆକୁ ଏକ ସାକ୍ଷାତ ଦେଇ କହିଥିଲେ, ଆମେରିକା ଏହା ନିଶ୍ଚିତ କରିବାକୁ ଚାହେଁ ଯେ, କୌଣସି ଶତ୍ରୁ ଶକ୍ତି ଗ୍ରୀନଲାଣ୍ଡ ଉପରେ ଅଧିକାର ସାବ୍ୟସ୍ତ ନ କରୁ । କାରଣ ଏହା ଆମେରିକାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ।
ଗ୍ରୀନଲାଣ୍ଡ କିଣିବା ପାଇଁ କେତେ ରହିଛି ବଜେଟ
ଏଠି କହରଖିବୁ, ଆମେରିକା ଏହା ପୂର୍ବରୁ ଅନେକ ଦେଶର ଅଂଶ କିଣି ସାରିଛି । ଆଲାସ୍କାକୁ କିଣିବା ପୂର୍ବରୁ ୧୮୦୩ରେ ଆମେରିକା ଫ୍ରାନ୍ସର ଲୁଇସିୟାନା ୧୫ ମିଲିଅନ ଡଲାର ଦେଇ କିଣିଥିଲା । ରାଷ୍ଟ୍ରପତି ଏଣ୍ଡ୍ର୍ୟୁ ଜନସା ୧୮୬୭ରେ ଗ୍ରୀନଲାଣ୍ଡର ସମ୍ପଦ ଏବଂ ସ୍ଥାନକୁ ଅଧିଗ୍ରହଣ କରିବା ଲାଗି ଚିନ୍ତା କରିଥିଲେ । ତେବେ ଏ ନେଇ କୌଣସି ଔପଚାରିକ ପଦକ୍ଷେପ ନେଇ ନ ଥିଲେ । ଏହାର ଗୋଟିଏ ଶତାବ୍ଦୀ ପରେ ରାଷ୍ଟ୍ରପତି ହ୍ୟାରି ଏସ.ଟୁମ୍ୟେନ ୧୯୪୬ରେ ଗ୍ରୀନଲାଣ୍ଡ କିଣିବା ପାଇଁ ଡେନମାର୍କକୁ ୧୦୦ ମିଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ଆଲାସ୍କାର କିଛି ଅଂଶ ଗ୍ରୀନଲାଣ୍ଡ ବଦଳରେ ଦେବା ପାଇଁ ବିଚାର କରିଥିଲେ । ହେଲେ ଏହି ବିଚାର ସାମ୍ନାକୁ ଆସି ନ ଥିଲା । ପୁଣି ଥରେ ୨୦୧୯ରେ ଟ୍ରମ୍ପ ତାଙ୍କର ପ୍ରଥମ ପାଳିରେ ଏ ନେଇ ଚେଷ୍ଟା ଆରମ୍ଭ କରିଥିଲେ । ଏବେ ଦେଖିବାକୁ ବାକି ରହିଲା, ଟ୍ରମ୍ପ ତାଙ୍କର ୨ୟ ପାଳିରେ କେତେବାଟ ଆଗଉଛନ୍ତି ।