• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟିଲା ଭୟାବହ କାଣ୍ତ । କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଆତଙ୍କୀ ହମଲା । ଇମାମ ବରଗାହ୍ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାର ଆଫଗାନିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ ଏହି ବିସ୍ଫୋରଣଟି ଶୁକ୍ରବାର କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଘଟିଛି । ଶୁକ୍ରବାର ଲୋକମାନେ ଏକତ୍ରିତ ହୋଇ ନମାଜ ପଢୁଥିବା ବେଳେ ଏହି ବୋସ୍ଫୋରଣଟି ଘଟିଥିବାର ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ୩୨ ଜଣଙ୍କର ମୃତ୍ୟୁ ହେବା ସହ ୪୫ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଏହି ମସଜିଦରେ ଲଗାତାର ତିନୋଟି ବିସ୍ଫୋରଣ ଘଟିଛି । ଆଫଗାନିସ୍ତାନରେ ବାରମ୍ବାର ଆତଙ୍କୀ ହମଲା ହେଉଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ଆଇଏସ-କେର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଦ୍ୱାରା ତାଲିବାନ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା ।

ଏନେଇ ଆଫଗାନିସ୍ତାନର ଗୃହମନ୍ତ୍ରାଳୟର ମୁଖପାତ୍ର ସଇଦ କୋସ୍ତି କହିଛନ୍ତି ଯେ ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି, ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଲିବାନର ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଟଣାଟିର ତଦନ୍ତ କରିବା ଆରମ୍ଭ କରିଛି । ଏହା କେଉଁ ପ୍ରକାରର ବିସ୍ଫୋରଣ ଥିଲା ସେନେଇ ଅଧିକ ତଦନ୍ତ ଚାଲିଛି ।

ଗତ ଶୁକ୍ରବାର ଉତ୍ତର ଆଫଗାନିସ୍ତାନର ଏକ ଶିଆ ମସଜିଦରେ ହୋଇଥିବା ବିସ୍ଫୋରଣରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣଟି ମଧ୍ୟ ଠିକ୍ ନମାଜ ପଢିବା ସମୟରେ ହିଁ ଘଟିଥିଲା । ବିସ୍ଫୋରଣଟି ଆତଙ୍କବାଦୀ ସଂଗଠନ ଆଇଏସ-କେ ଦ୍ୱାରା ହୋଇଥିବାର ଦାବି କରାଯାଇଛି । ଏହି ଆକ୍ରମଣଟି ମୁଖ୍ୟତଃ ଶିଆ ମୁସଲମାନ ଓ ତାଲିବାନଙ୍କ ଉପରେ ଟାର୍ଗେଟ କରାଯାଇଥିବାର ଆଇଏସ-କେ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ(ଆଇଏସ-କେ) ଆତଙ୍କବାଦୀଙ୍କର ଆଫଗାନିସ୍ତାନର ଶିଆ ମୁସଲମାନଙ୍କୁ ଆକ୍ରମଣ କରିବାର ଦୀର୍ଘ ଇତିହାସ ରହିଛି। ତାଲିବାନର ଆଫଗାନିସ୍ତାନ ଅକ୍ତିଆର ପରଠାରୁ ହିଁ ଏଭଳି ଆତଙ୍କୀ ହମଲା କରୁଛି ଆଇଏସ-କେ । ତାଲିବାନ ପକ୍ଷରୁ ତଦନ୍ତ ଜାରି ରହିଛି ।