• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାହାସ୍ଫୋଟ ମାରୁଛି ବାଂଲାଦେଶ । ନିଜର ଶକ୍ତିକୁ ନ ଦେଖି ଭାରତ ବିରୋଧରେ ଗର୍ଜନ କରୁଛି । ନିଜ ଦେଶର ନିର୍ବାଚିତ ରାଷ୍ଟ୍ରପତିଙ୍କୁ ହଟାଇ ଶାସନ କଳକୁ ନିଜ କବ୍ଜାକୁ ନେବ ପରେ ବୋଧହୁଏ ବଢିଯାଇଛ ମନୋବଳ । ସେଥିପାଇଁ ଭାରତର ତିନି ରାଜ୍ୟ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା କଥା କହୁଛି ।

ନିକଟରେ ବାଂଲାଦେଶ ନାସନାଲ ପାର୍ଟି(ବିଏନପି)ର ବରିଷ୍ଠ ସଂଯୁକ୍ତ ମହାସଚିବ ରୁହଲ କବିର ରିଜବି ଢାକାରେ ନିଜ ପତ୍ନୀଙ୍କ ଶାଢୀ ଜଳାଇ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଭାରତର କୌଣସି ଜିନିଷ ବ୍ୟବହାର ନ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏବେ ବିଏନପିର ଆଉ ଜଣେ ନେତାଙ୍କ ବୟାନ ଭାଇରାଲ ହୋଇଛି । ଏହି ବୟାନରେ ବାଂଲାଦେଶ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶା ଉପରେ ଦାବି କରୁଛି ବୋଲି ସେ କହିଥିଲେ । ଆଉ ଏକ ଭିଡିଓ ବି ଭାଇରାଲ ହୋଇଛି । ଏହି ଭିଡିଓରେ ବାଂଲାଦେଶର ଜଣେ ପୂର୍ବତନ ସେନା କହୁଛନ୍ତି ଯେ ବାଂଲାଦେଶ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗ ଉପରେ କବ୍ଜା କରିପାରେ ।

ହେଲେ ଏତେ ଆସ୍ଫର୍ଦ୍ଧା ବାଂଲାଦେଶ କରିପାରିଲା କିପରି ? ଏହା ପଛରେ କିଛି ବିଦେଶୀ ଶକ୍ତିର ସମର୍ଥନ ରହିଛି କି ? ଅନେକ କ୍ଷେତ୍ରରେ ବାଂଲାଦେଶ ଭାରତ ଉପରେ ନିର୍ଭର କରୁଥିଲା । ପଡୋଶୀ ଦେଶ ଭାବେ ଭାରତର ବି ସମର୍ଥନ ରହିଥିଲା । ବାଂଲାଦେଶ ନିଜର ସ୍ଥିତି ଭଲ କରି ପରଖିଲେ ଏକଥା ଜାଣି ପାରିବ ଯେ, ଭାରତକୁ ସାମ୍ନା କରିବା ପାଇଁ ତା’ର ସାମର୍ଥ୍ୟ କେତେ । ତଥାପି କାହିଁକି ପଡୋଶୀ ଦେଶ ସହିତ ଏପରି ଶତ୍ରୁତା ମନୋଭାବ ରଖୁଛି ?

ବାଂଲାଦେଶର ଏପରି ମନୋଭାବକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ପଡୋଶୀ ଦେଶ ଆମର ଧୈର୍ଯ୍ୟର ପରୀକ୍ଷା ନ ନେଉ । ଖଲିଦା ଜିଆଙ୍କ ପାର୍ଟି ବିଏନପି ନେତା ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଉପରେ ଦାବି କରିବା ପୂର୍ବରୁ ନିଜ ଔକାତ ଭୁଲି ଯାଉଛନ୍ତି । ଏ ତିନି ରାଜ୍ୟ ତ ଦୂରର କଥା । ଭାରତର ସହମତି ବିନା ଇଞ୍ଚେ ମାଟିରେ ବି ପାଦ ରଖିପାରିବେ ନାହିଁ ।

ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।

ଭାରତର ଏୟାର ଫୋର୍ସ

ପ୍ରଥମେ ଦେଖିବା ଭାରତର ଏୟାର ଫୋର୍ସ ଶକ୍ତି । ଭାରତରେ ଏୟାରକ୍ରାଫ୍ଟ ୨୨୯୬ଟି ଥିବାବେଳେ ବାଂଲାଦେଶରେ ରହିଛି ୨୧୬ । ଫାଇଟର ଏୟାରକ୍ରାଫ୍ଟ ସଂଖ୍ୟା ଭାରତର ୬୦୬ ଥିବାବେଳେ ବାଂଲାଦେଶର ରହିଛି ୪୪ । ଡେଡିକେଟେଡ ଆଟାକ ଏୟାରକ୍ରାପ୍ଟ ଭାରତ ପାଖରେ ୧୩୦ଟି ଥିବାବେଳେ ବାଂଲାଦେଶ ପାଖରେ ଆଦୌ ନାହିଁ । ସେହିପରି ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ ଭାରତର ୨୬୪ ଥିବାବେଳେ ବାଂଲାଦେଶର ୧୬, ସ୍ପେଶାଲ ମିଶନ ଏୟାରକ୍ରାପ୍ଟ ଭାରତ ପାଖରେ ୭୦ଟି ଥିବାବେଳେ ବାଂଲାଦେଶର ପାଖରେ ରହିଛି ୪ଟି ।

ଏରିୟଲ ଟ୍ୟାଙ୍କର ଭାରତ ପାଖରେ ୬ଟି ଥିବାବେଳେ ବାଂଲାଦେଶ ପାଖରେ ଆଦୌ ନାହିଁ । ସେହିପରି ଭାରତ ପାଖରେ ୮୬୯ଟି ହେଲିକପ୍ଟର ଓ ୪୦ଟି ଆଟାକ ହେଲିକପ୍ଟର ଥିବାବେଳେ ବାଂଲାଦେଶ ପାଖରେ କେବଳ ୭୩ଟି ହେଲିକପ୍ଟର ରହିଛି । ଆଟାକ ହେଲିକପ୍ଟର ଆଦୌ ନାହିଁ ।

ଭାରତର ମଜବୁତ ସ୍ଥଳସେନା

ଭାରତ ତୁଳନାରେ ବାଂଲାଦେଶର ସ୍ଥଳସେନା ଶକ୍ତି ଯଥେଷ୍ଟ ଦୁର୍ବଳ । ଭାରତରେ ଆକ୍ଟିଭ ଯବାନଙ୍କ ସଂଖ୍ୟା ୧୪,୫୫,୫୫୦ ଥିବାବେଳେ ବାଂଲାଦେଶର ସଂଖ୍ୟା ମାତ୍ର ଏକ ଲକ୍ଷ ୬୩ ହଜାର । ସେହିପରି ରିଜର୍ଭ ସେନା ସଂଖ୍ୟା ଭାରତର ୧୧,୫୫,୦୦୦ ଥିବାବେଳେ ବାଂଲାଦେଶରେ ଆଦୌ ନାହାନ୍ତି । ଭାରତ ପାଖରେ ୪୬୧୪ ଟ୍ୟାଙ୍କର , ୧୫,୧,୨୪୮ ଆର୍ମଡ ଭେଇକ୍ଲି, ୧୪୦ଟି ସେଲ୍ଫ ପ୍ରୋପେଲ୍ଡ ଆର୍ଟିଲାରି ଥିବାବେଳେ ବାଂଲାଦେଶ ପାଖରେ ରହିଛି ମାତ୍ର ୩୨୦ ଟ୍ୟାଙ୍କ, ୧୩,୧୦୦ ଆର୍ମଡ ଭେଇକ୍ଲି,୨୭ଟି ସେଲ୍ଫ ପ୍ରୋପେଲ୍ଡ ଆର୍ଟିଲାରି ରହିଛି । ସେହିପରି ଭାରତରେ Towed Artillery ୩୨୪୩ଟି ଥିବାବେଳେ ବାଂଲାଦେଶ ପାଖରେ ୪୩୭ଟି ଏବଂ ମୋବାଇଲ ରକେଟ ଜେକ୍ଟର୍ସ ଭାରତ ପାଖରେ ୭୦୨ଟି ଥିବାବେଳେ ବାଂଲାଦେଶ ପାଖରେ ରହିଛି ୭୧ଟି ।

ଏଠି କହିରଖିବୁ, Towed Artillery ଏମିତି ଏକ ତୋପ ଯାହାକୁ ସେନା ଗାଡ଼ି ସାହାଯ୍ୟରେ ଯୁଦ୍ଧସ୍ଥଳକୁ ନିଆ ଯାଇଥାଏ । ହେଲେ ସେଲ୍ଫ ପ୍ରୋପେଲ୍ଡ ଆର୍ଟିଲାରି ଆପେ ଆପେ ଯେ କୌଣସି ସ୍ଥାନକୁ ଯାଇ ଶତ୍ରୁ ଉପରେ ଆକ୍ରମଣ କରିପାରେ ।

ଦୁର୍ବଳ ନୌସେନା ଶକ୍ତି

ନୌସେନା କଥା ଦେଖିଲେ ବି ବାଂଲାଦେଶକୁ ହତାଶ ହେବାକୁ ପଡ଼ିବ । ଭାରତରେ ପ୍ଲିଟ ଷ୍ଟ୍ରେନ୍ଥ ୨୯୪ ଥିବାବେଳେ ବାଂଲାଦେଶର ୧୧୭ ରହିଛି । ସେହିପରି ଏୟାରକ୍ରାପ୍ଟ କ୍ୟାରିଅର ଭାରତରେ ୨ ଥିବାବେଳେ ବାଂଲାଦେଶରେ ଶୂନ୍ୟ ରହିଛି । ଭାରତ ପାଖରେ ୧୮ ସବମେରାଇନ ଥିବାବେଳେ ବାଂଲାଦେଶ ପାଖରେ ୨ଟି ରହିଛି । ଭାରତ ପାଖରେ ୧୨ଟି ଡେଷ୍ଟ୍ରୟର ଥିବାବେଳେ ଭାରତ ପାଖରେ ଆଦୌ ନାହିଁ । ଭାରତ ପାଖରେ ଫ୍ରିଗେଟ ଭାରତ ପାଖରେ ୧୨ଟି ଥିବାବେଳେ ବାଂଲାଦେଶ ପାଖରେ ୭ଟି ରହିଛି । ଭାରତ ପାଖରେ ୧୩୭ଟି ପାଟ୍ରୋଲିଂ ଜାହାଜ ଥିବାବେଳେ ବାଂଲାଦେଶ ପାଖରେ ୫୫ଟି ରହିଛି ।

ଗ୍ଲୋବାଲ ଫାୟାରପାୱାର ଇଣ୍ଡେକ୍ସ ବା GFP ବିଶ୍ୱର ଦେଶମାନଙ୍କ ସାମରିକ ଶକ୍ତିର ରାକିଂ ଅଟେ । GFP ର ଏହି ରିପୋର୍ଟ ଆଧାରରେ ଦେଖିଲେ ସ୍ପଷ୍ଟ ହୁଏ ବାଂଲାଦେଶ ଭାରତର ଶକ୍ତକୁ କେତେ ମୁକାବିଲା କରି ପାରିବ । ତା ସତ୍ତ୍ୱେ ବାଂଲାଦେଶର ଏପରି ବୟାନ ବାହାସ୍ଫୋଟ ବ୍ୟତୀତ ଆଉ କ’ଣ ହୋଇପାରେ ?

OTV is now on Whatsapp

Join and get latest news update delivered to you via whatsapp

Join Now