Advertisment

ଶ୍ରୀଲଙ୍କାରେ ରାଜନୈତିକ ଅଚଳାବସ୍ଥା ଜାରି; ଦେଶ ଛାଡ଼ି ଗୋଟାବାୟାଙ୍କ ପଳାୟନ ଉଦ୍ୟମ ଫେଲ୍‌

ସାରା ବିଶ୍ୱର ନଜର ଏବେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଥିବା ବେଳେ, ତେଣେ ବାହାରେ ଜନତାଙ୍କ ଦୁର୍ଦ୍ଦଶାରେ କୌଣସି ସୁଧାର ଆସିନି । ପେଟ୍ରୋଲ ଓ ଡିଜେଲ ପାଇଁ  କଲମ୍ବୋରେ ଲମ୍ବା ଲାଇନ୍‌ ଲାଗିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Srilanka Crisis

Srilanka Crisis

କିଲୋମିଟର କିଲୋମିଟର ଧରି ଲାଗିଛି ଲମ୍ବା ଲାଇନ । ସତେ ଯେପରି ଶ୍ରୀଲଙ୍କାବାସୀଙ୍କ ପାଇଁ ଖୋଲିଛି ନୂଆ ପିକ୍‌ନିକ୍‌ ସ୍ପଟ୍ । ବିଶାଳ ପ୍ରାସାଦରେ ରାଷ୍ଟ୍ରପତି କିପରି ବିଳାସମୟ ଜୀବନ ବିତାଉଥିଲେ, ତାକୁ ନିଜ ଆଖିରେ ଦେଖିବାକୁ ଜୀବନରେ ପ୍ରଥମ ଥର ଲାଗି ଆସିଛି ସୁଯୋଗ । ସେଥିପାଇଁ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ଆଗରେ ଲାଗିଛି ବିରାଟ ଲାଇନ୍ । ଘଣ୍ଟା ଘଣ୍ଟା ଧରି ଡହଡହ ଖରାରେ ଛତା ଧରି ନିଜ ପାଳିକୁ ଅପେକ୍ଷା କରିଛନ୍ତି ହଜାର ହଜାର ଲୋକ ।

Advertisment

ଖାଲି କଲମ୍ବୋ ନୁହେଁ, ଅନ୍ୟ ସହର ଓ ଅନ୍ୟ ରାଜ୍ୟରୁ ବି ଲୋକମାନେ ଆସି ୬ ଘଣ୍ଟାରୁ ଅଧିକ ସମୟ ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳିଛି । ଆଉ ଯେଉଁମାନେ ପ୍ୟାଲେସ୍ ଭିତରେ ପଶୁଛନ୍ତି, ସେମାନଙ୍କ ଭିତରୁ କିଏ ଖୁସି ହେଉଛି, ତ ଆଉ କିଏ କ୍ଷୋଭ ପ୍ରକାଶ କରୁଛି । ଯେତେବେଳେ ଦ୍ୱୀପରାଷ୍ଟ୍ରର ସାଧାରଣ ଜନତା ସଂକଟ ସ୍ଥିତିରେ ସନ୍ତୁଳି ହେଉଥିଲେ, ସେତେବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା କିପରି ପ୍ରାସାଦ ଭିତରେ ଅୟସ କରୁଥିଲେ, ତାହା ଭାବିଲାବେଳକୁ ଅନେକଙ୍କ ମନରେ ପୁଣି ଜଳିଉଠୁଛି ବିଦ୍ରୋହର ନିଆଁ ।

ସାରା ବିଶ୍ୱର ନଜର ଏବେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଥିବା ବେଳେ, ତେଣେ ବାହାରେ ଜନତାଙ୍କ ଦୁର୍ଦ୍ଦଶାରେ କୌଣସି ସୁଧାର ଆସିନି । ପେଟ୍ରୋଲ ଓ ଡିଜେଲ ପାଇଁ  କଲମ୍ବୋରେ ଲମ୍ବା ଲାଇନ୍‌ ଲାଗିଛି । ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ଦର ୪୫୦ ସିଂହଳୀ ଟଙ୍କାରୁ ଅଧିକ ହୋଇଥିବା ବେଳେ, ଶତାଧିକ କାର୍, ଅଟୋ ଓ ବାଇକ ତେଲ ପକାଇବାକୁ ଅପେକ୍ଷାରେ ରହିଛନ୍ତି । ତେଣେ ଇନ୍ଧନ ଖର୍ଚ୍ଚରୁ ବର୍ତ୍ତିବାକୁ ଶ୍ରୀଲଙ୍କାରେ ସାଇକେଲ୍‌ର ପ୍ରଚଳନ ବଢ଼ୁଥିବା ଦେଖିବାକୁ ମିଳୁଛି । ଲୋକେ ଘରେ କାର୍ ଓ ବାଇକ୍ ଛାଡ଼ି ନୂଆ ସାଇକେଲ୍ କିଣୁଛନ୍ତି।

Advertisment

ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ରାଷ୍ଟ୍ରପତି । ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍  ମୁଖ୍ୟ ବିରୋଧୀ ଦଳ SJB ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାନିଲ ୱିକ୍ରମସିଂଘେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଏହି ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସର୍ବଦଳୀୟ ସରକାର କାର୍ଯ୍ୟ କରିବ ।

ସେପଟେ ଆସନ୍ତାକାଲି ଇସ୍ତଫା ଦେବାକୁ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା, ଗତକାଲିଠାରୁ ୧୩ ତାରିଖର ଇସ୍ତଫାପତ୍ରରେ ଆଗୁଆ ସ୍ୱାକ୍ଷର କରି, ବିମାନରେ ଦୁବାଇ ପଳାଇବାକୁ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କୁ ଏବଂ ତାଙ୍କ ଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ସାଙ୍କୁ ବିମାନ ବନ୍ଦର ଇମିଗ୍ରେସନ୍ ଷ୍ଟାଫ୍ ଅଟକାଇବାରୁ ସବୁ ଯୋଜନା ଫସର ଫାଟିଯାଇଥିଲା । ଏହାପରେ ସେ ସମୁଦ୍ରପଥରେ ନୌସେନା ପାଟ୍ରୋଲିଂ ବୋଟ୍‌ର ସାହାରା ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏବେ ଗୋଟାବାୟାଙ୍କୁ ଘାରିଛି, ରାଷ୍ଟ୍ରପତି ପଦ ଯିବା ପରେ ଅଟକ ହେବାର ଭୟ ।

Srilanka Crisis Special Story
Advertisment
Advertisment