• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନରେ ଲାଗୁ ହେବ ନୋଟବନ୍ଦୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିବ, ମାତ୍ର କଥାଟା ସତ । ତେବେ ଦୁର୍ନୀତି କମ୍ବା ବ୍ଲାକମନି କାରଣକୁ ନେଇ ନୁହେଁ । ପ୍ରଥା ଅନୁସାରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଙ୍କ ମୃତ୍ୟୁ ପରେ ତାଙ୍କ ଫଟୋ ଥିବା ପ୍ରାୟ ୮୨ ବିଲିୟନ ପାଉଣ୍ଡ୍ ମୂଲ୍ୟର ନୋଟ୍ ଓ ମୁଦ୍ରାକୁ ପରିବର୍ତ୍ତନ କରିବ ବ୍ୟାଙ୍କ ଅଫ୍ ଇଂଲଣ୍ଡ୍ । ଏଣିକି ସେ ସ୍ଥାନରେ ନୂଆ ରାଜା ଚାର୍ଲସ ତୃତୀୟଙ୍କ ଫଟୋ ନୋଟ୍ ଓ ମୁଦ୍ରାରେ ରହିବ । ତେବେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପରେ କେବେ ନୋଟ ପରିବର୍ତ୍ତନ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ବ୍ୟାଙ୍କ ଅଫ୍ ଇଂଲଣ୍ଡ ।

ବ୍ରିଟିଶ୍ ନୋଟରେ ଫଟୋ ଛପିବାରେ ରାଣୀ ହେଉଛନ୍ତି ପ୍ରଥମ ରାଜ ପରିବାର ସଦସ୍ୟ । ହଜାରେରୁ ଅଧିକ ବର୍ଷ ଧରି ବ୍ରିଟିଶ୍ ରାଜା ଓ ରାଣୀଙ୍କ ଚିତ୍ର ମୁଦ୍ରାରେ ଦେଖିବାକୁ ମିଳୁଥିବା ବେଳେ ୧୯୬୦ରେ ପ୍ରଥମେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଫଟୋ ୧ ପାଉଣ୍ଡ୍ ବ୍ୟାଙ୍କ୍ ନୋଟରେ ଛପାଗଲା । ଏହାର ୭ ବର୍ଷ ପୂର୍ବରୁ ରାଣୀ ଭାବେ ଅଭିଷିକ୍ତ ହୋଇସାରିଥିଲେ ଏଲିଜାବେଥ୍ । ତେବେ ଏଲିଜାବେଥଙ୍କ ମୃତ୍ୟୁପରେ ନୂଆ ରାଜା ଚାର୍ଲସ ତୃତୀୟଙ୍କ ଫଟୋ ନୋଟ୍ ଓ ମୁଦ୍ରାରେ ରହିବ । ମାତ୍ର ବର୍ତ୍ତମାନ ପ୍ରଚଳନ ଥିବା ୮୨ ମିଲିୟନ ପାଉଣ୍ଡ ମୂଲ୍ୟର ୪୭୦ ଲକ୍ଷରୁ ଅଧିକ ନୋଟକୁ ବଦଳାଇବା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ପାଇଁ କାଠିକର ପାଠ ହେବାକୁ ଯାଉଛି ।

ସେହିପରି ଏବେ ୨୯ ବିଲିୟନରୁ ଅଧିକ ମୁଦ୍ରା ମଧ୍ୟ ପ୍ରଚଳନରେ ରହିଛି । ତେଣୁ ଏହାକୁ କିଭଳି ପରିବର୍ତ୍ତନ କରାଯିବ ତାହା ବଡ଼ ପ୍ରଶ୍ନ । ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ନୋଟକୁ ଏକାଥରେ ପରିବର୍ତ୍ତନ ନକରି ପର୍ଯ୍ୟାୟକ୍ରମେ ବଦଳାଯିବ । ଅର୍ଥାତ୍ ଉଭୟ ପୁରୁଣା ଓ ନୂଆ ନୋଟ କିଛି ଦିନ ପାଇଁ ଚାଲିବ । ଏହାପରେ ଧୀରେ ଧୀରେ ପୁରୁଣା ନୋଟକୁ ପ୍ରତ୍ୟାହାର କରିନିଆଯିବ ।

ଏପଟେ କିଙ୍ଗ୍ ଚାର୍ଲସ ତୃତୀୟ ଙ୍କ ଫଟୋ କିଭଳି ଦିଶିବ, ତାକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଥା ଅନୁସାରେ ବିଦାୟୀ ରାଜା ଓ ରାଣୀଙ୍କ ଫଟୋ ମୁଦ୍ରାର ଯେଉଁ ଦିଗରେ ଥାଏ ନୂଆ ରାଜା ଓ ରାଣୀଙ୍କ ଫଟୋ ତାର ବିପରୀତ ଦିଗରେ ରହେ । ବର୍ତ୍ତମାନର ନୋଟ୍ ଓ ମୁଦ୍ରାରେ ଏଲିଜାବେଥ୍ ଡାହାଣକୁ ଦେଖିବାର ଫଟୋ ରହିଛି । ତେଣୁ ନୂଆ ନୋଟରେ କିଙ୍ଗ ଚାର୍ଲସ ତୃତୀୟ ବାମକୁ ଦେଖିବାର ଫଟୋ ରହିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ବ୍ୟାଙ୍କ ନୋଟ୍ ଓ ମୁଦ୍ରା ସହ ଜାତୀୟ ସଂଗୀତ, ପୋଷ୍ଟାଲ ଷ୍ଟାମ୍ପ ଓ ପାସପୋର୍ଟରେ ବି ପରିବର୍ତ୍ତନ ହେବ । ବ୍ରିଟିଶ ଜାତୀୟ ସଂଗୀତରେ ଗଡ୍ ସେଭ୍ ଆଓ୍ୱାର ଗ୍ରେସିଅସ କୁଇନ୍ ରହିଥିଲା । ତେଣୁ ଏହାକୁ ପରିବର୍ତ୍ତନ କରି ଗଡ୍ ସେଭ୍ ଆଓ୍ୱାର ଗ୍ରେସିଅସ କିଙ୍ଗ୍ ଏବଂ ଆଉ କେତେକ ଲିଙ୍ଗ ଗତ ଶବ୍ଦ ପରିବର୍ତ୍ତନ କରାଯିବ । ପୋଷ୍ଟାଲ୍ ଷ୍ଟାମ୍ପରେ ବି ରାଣୀଙ୍କ ସ୍ଥାନରେ ରାଜା ଚାଲର୍ସଙ୍କ ଫଟୋ ରହିବ । ଅନ୍ୟପକ୍ଷରେ ୟୁରୋପୀୟ ସଂଘରୁ ବାହାରିବା ପରେ ବ୍ରିଟେନ୍ ପାସ୍‌ପୋର୍ଟରେ ପରିବର୍ତ୍ତନ କରାଯାଇଛି । ଆଗକୁ ଆବଶ୍ୟକତା ଅନୁସାରେ ଏଥିରେ ଆହୁରି କିଛି ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି .।