Advertisment

ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ, ଥମୁନି ଦେବାଦେବୀଙ୍କ ମନ୍ଦିରରେ ଲଙ୍କାକାଣ୍ଡ !

ଶତାଧିକ ଜୀବନହାନୀ ସହ ରୁଜୁ ହେଲାଣି ୨୦୫ ହିଂସାତ୍ମକ ମାମଲା । ବିଶ୍ୱବ୍ୟାପୀ ଚିନ୍ତା, ଭାରତରେ ବି ତେଜିଲା ପ୍ରତିବାଦର ସ୍ୱର ।

author-image
Satyendu Shekher Mishra
undefined

Bangladesh

ହିଂସା-ହମଲା-ଜୁଲମ୍ । ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ । ଆକ୍ରମଣକାରୀଙ୍କ ନିଶାନାରେ ହିନ୍ଦୁ, ହିନ୍ଦୁ ମାନଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ଦେବଦେବୀ ମନ୍ଦିର। କେଉଁଠି ଆକ୍ରମଣକାରୀ ନିଆଁ ଲଗାଉଛନ୍ତି ତ କେଉଁଠି ଲଙ୍କାକାଣ୍ଡ ଭିଆଉଛନ୍ତି। ହିନ୍ଦୁଙ୍କୁ ଖୋଜି ଖୋଜି ବର୍ବୋରଚିତ ଜୁଲମ କରୁଛନ୍ତି, ଯାହାର ନୂଆ ନୂଆ ଚିତ୍ର ସାମନାକୁ ଆସିବାରେ ଲାଗିଛି।

Advertisment

ସଂରକ୍ଷଣ ବିରୋଧୀ ଉଗ୍ର ଛାତ୍ର ଆନ୍ଦୋଳନର ମୁକାବିଲା କରିନପାରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାଇଯିବା ଓ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱଧୀନ ଅନ୍ତରୀଣ ସରକାର ଶପଥ ନେବା ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆଣିପାରୁନି ବାଂଲାଦେଶ ସେନା । ତେଣୁ ବାଧ୍ୟ ହୋଇ ଏଭଳି ସ୍ଥିତିରେ ନିଜ ସୁରକ୍ଷା ଲାଗି ରାସ୍ତାକୁ ଓହ୍ଲାଇଲେଣି ସେଠିକାର ହିନ୍ଦୁ। ସେଭ୍ ବାଂଲାଦେଶ ହିନ୍ଦୁ ସୋସାଇଟି ଓ ଆମାର ସୋନାର୍ ବାଂଲା ବ୍ୟାନରରେ ଶୋଭାଯାତ୍ରା କରି ସୁରକ୍ଷା ମାଗୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାଲଘୁ ହିନ୍ଦୁ।

ରାଜଧାନୀ ଢାକା ଓ ଚିଟ୍ଟାଗଙ୍ଗ ସହରରେ ଜନସମୁଦ୍ର ପାଲଟିଥିଲା ରାଜରାସ୍ତା। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଓ ସୁରକ୍ଷା ଆଇନ ପ୍ରଣୟନ ସହ ସଂସଦରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଛି ହିନ୍ଦୁ ସୋସାଇଟି।

Advertisment

ଅଗଷ୍ଟ ୫ ପରଠୁ ବାଂଲାଦେଶରେ ଉଗ୍ର ହୋଇଛି ରାଜନୈତିକ ଅସ୍ଥିରତା। ସପ୍ତାହକ ଭିତରେ ୫୨ ଜିଲ୍ଲାରେ ହିନ୍ଦୁଙ୍କ ସହ ଖ୍ରୀଷ୍ଟିଆନ୍, ବୌଦ୍ଧ ଓ ଇହୁଦିଙ୍କ ଭଳି ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ହିଂସାତ୍ମକ ମାମଲା ସାମ୍ନାକୁ ଆସିଲାଣି। ଶହେରୁ ଅଧିକ ଜୀବନ ବି ଗଲାଣି। ସଂଖ୍ୟାଲଘୁଙ୍କ ଉପରେ ବର୍ବରତାକୁ ଦେଖି ବିଶ୍ବବ୍ୟାପୀ ଚିନ୍ତା ବଢ଼ିଛି। ବ୍ରିଟେନ୍, କାନାଡ଼ା, ଭାରତ ଓ ଆମେରିକାରେ ବି ଉଠିଛି ବିରୋଧର ସ୍ୱର। ସିଲିଗୁଡ଼ିରେ ରାସ୍ତାରେ ଚାଲିଛି ପ୍ରତିବାଦ। ଓଡ଼ିଶାରେ ବି ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ଦାବି ହେଲାଣି। ଭଦ୍ରକ, ଖଡ଼ିଆଳ ଓ ମୋହାନାରେ ଲୋକେ ଆନ୍ଦୋଳନ କରିଛନ୍ତି ।

ତେଣେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ଶୀଘ୍ର ଶାନ୍ତି ଫେରାଇବା ଦିଗରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଆଜି ବିଭିନ୍ନ ପକ୍ଷଙ୍କ ସହ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

Advertisment
Advertisment