ଭାରତୀୟ ପରମ୍ପରାରେ ବିବାହ ଏକ ପବିତ୍ର ବନ୍ଧନ । ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତରର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନିଅନ୍ତି । କିନ୍ତୁ ପରିବର୍ତ୍ତିତ ସମାଜରେ ବିବାହ ଏବଂ ଅନେକ ପରମ୍ପରା ବିଷୟରେ ଲୋକଙ୍କ ଚିନ୍ତାଧାରା ସମୟ ସହିତ ବଦଳି ଯାଇଛି । ବଦଳୁଥିବା ମାନସିକତା ଆଧାରରେ ଏ ଅନାବିଳ ସମ୍ପର୍କରେ ଏବେ ଫାଟ ଦେଖିବାକୁ ମିଳୁଛି । ମତାନ୍ତର ଓ ମନାନ୍ତର କାରଣରୁ ଛୋଟ ଛୋଟ କଥା ନେଇ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଶୀଘ୍ର ତୁଟିଯାଉଛି ।
ଅଧିକ ପଢ଼ନ୍ତୁ: ଭାରତର ଏହି ପଡ଼ୋଶୀ ଦେଶରେ ମାତ୍ର କିଛି ଦିନ ପାଇଁ ବିବାହ, ତା’ପରେ ହୁଏ ଛାଡ଼ପତ୍ର !
ଭାରତୀୟ ପରମ୍ପରାରେ ଏଭଳି ଘଟଣା କମ ଥିବା ବେଳେ ବିଦେଶରେ କିନ୍ତୁ ଏହା ହେଉଛି ସାଧାରଣ ଘଟଣା । ଭାରତ ତୁଳନାରେ ବିଶେରେ ଛାଡ଼ପତ୍ରର ମାମଲା ଅଧିକ । ସେଠାରେ ବିବାହ ପରି ଏକ ପବିତ୍ର ଅନୁଷ୍ଠାନକୁ କିଛି ଲୋକ ବେପାରରେ ପରିଣତ କରିସାରିଲେଣି । ବିବାହ ନୁହେଁ ତ ଯେପରି ଏହା ଟଙ୍କା ରୋଜଗାରର ଏକ ମାଧ୍ୟମ ସାଜିଛି । ଅଷ୍ଟ୍ରିଆରେ ଘଟିଥିବା ଏପରି ଏକ ଘଟଣା ସମ୍ପର୍କରେ ଜାଣିବା ପରେ ହୁଏତ ଲୋକଙ୍କ ଉପରେ ବିଶ୍ୱାସ କରିବା ଅସମ୍ଭବ ହୋଇଯିବ ।
ଅଷ୍ଟି୍ରଆର ହଳେ ଦମ୍ପତି ଟଙ୍କା ପାଇଁ ୧୨ ଥର ଛାଡ଼ପତ୍ର ନେଇଛନ୍ତି ଆଉ ତା’ପରେ ପୁଣି ଥରେ ବିବାହ କରିଛନ୍ତି । ଦେଖିବାକୁ ଗଲେ ବିବାହକୁ ଏକ ପ୍ରହସନରେ ପରିଣତ କରିଦେଇଛନ୍ତି । ଏପରି ହେଲେ ତ ବିବାହ ଉପରୁ ଲୋକଙ୍କର ଭରସା ତୁଟିଯିବ । ପ୍ରଥମେ ପ୍ରଥମେ ଲୋକଙ୍କୁ ଲାଗୁଥିଲା, ଅତ୍ୟଧିକ ପ୍ରେମରେ ଥିବାଯୋଗୁଁ ବୋଧହୁଏ ଦମ୍ପତି ଏପରି ନିଷ୍ପତ୍ତି ନେଉଛନ୍ତି । ଛାଡ଼ପତ୍ର ପରେ କେହି କାହାକୁ ଛାଡ଼ି ରହିପାରୁ ନାହାନ୍ତି । କାରଣ ଛାଡ଼ପତ୍ରର କିଛି ଦିନ ପରେ ପୁଣି ଥରେ ବିବାହ କରିନେଉଥିଲେ ଦମ୍ପତି । ହେଲେ ବାରମ୍ବାର ବିବାହ ଆଉ ଛାଡ଼ପତ୍ର ପରେ ସମସ୍ତଙ୍କ ମନରେ ସନ୍ଦେହ ଆସିଥିଲା ଆଉ ଏବେ ଅସଲ କଥା ଜଣା ମଧ୍ୟ ପଡ଼ିଛି ।
ପ୍ରଶାସନ ଆଖିରେ ଧୂଳି ଦେଇ ଟଙ୍କା ହାତେଇବା ପାଇଁ ଦମ୍ପତି ବିବାହକୁ ଏକ ମାଧ୍ୟମ କରିଥିଲେ । ଅଷ୍ଟ୍ରିଆର ଦମ୍ପତି ପ୍ରଶାସନ ଦୁର୍ବଳତାର ଫାଇଦା ଉଠାଇ ୪୦ ବର୍ଷରେ ୧୨ ଥର ଛାଡ଼ପତ୍ର ଦେଇଥିଲେ ଓ ପୁଣି ବିବାହ ବନ୍ଧନରେ ବାନ୍ଧିହେଉଥିଲେ । ଫଳରେ ଅଷ୍ଟ୍ରିଆରେ ଚାଲୁଥିବା ୱେଲଫେୟାର ସ୍କିମର ଲାଭ ଉଠାଇ ସେଥିରେ ଅୟସ କରୁଥିଲେ ।
କେବେଠାରୁ ଆରମ୍ଭ ହେଲା ସ୍କାମ ?
୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା । ତେବେ ଏହି ସମୟ ମଧ୍ୟରେ ସ୍ୱାମୀସ୍ତ୍ରୀ ପ୍ରଶାସନର ଦୁର୍ବଳତା ସମ୍ପର୍କରେ ଜାଣିପାରିଥିଲେ । ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ପୁଣି ଥରେ ବିଧବା ପେନସନ ପାଇବେ ବୋଲି ଜାଣିପାରିଥିଲେ । ତା’ପରେ ଆରମ୍ଭ ହୋଇଥଲା ବିବାହ ଆଉ ଛାଡ଼ପତ୍ରର ଖେଳ।
ଅଧିକ ପଢ଼ନ୍ତୁ: Ajab Gajab: ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ !
ପ୍ରଥମ ଛାଡ଼ପତ୍ର:
ବିବାହର ୬ ବର୍ଷ ପରେ ସ୍ୱାମୀସ୍ତ୍ରୀ ସ୍କାମ ଆରମ୍ଭ କରିଦେଇଥିଲେ । ୧୯୮୮ ରେ ପ୍ରଥମ ଥର ପାଇଁ ଏହି ଦମ୍ପତି ଛାଡପତ୍ର ନେଇଥିଲେ । ସ୍ୱାମୀ ଦୂରରେ ରହିବା ସହ ଅଣଦେଖା କରୁଥିବା ଦର୍ଶାଇ ମହିଳା ଜଣକ ଛାଡ଼ପତ୍ର ନେଇଥିଲେ । ସ୍ୱାମୀଙ୍କ ଠାରୁ ଅଲଗା ହେଲା ପରେ ଅଷ୍ଟ୍ରିଆ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ମୋଟା ଅଙ୍କର ଭରଣପୋଷଣ ଟଙ୍କା ଦିଆଯାଏ । ଏହି କ୍ରମରେ ମହିଳାଙ୍କୁ ମିଳିଥିଲା ୩୪,୦୦୦ ଡଲାର ଟଙ୍କା । ଅନ୍ୟପଟେ ଛାଡପତ୍ର ପରେ ମହିଳାଙ୍କ ବିଧବା ଭତ୍ତା ପୁଣି ଆରମ୍ଭ ହୋଇଯାଇଥିଲା । କିଛି ସମୟ ପରେ ଦମ୍ପତି ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ପୁଣି ତାଙ୍କର ବିଧବା ଭତ୍ତା ବନ୍ଦ ହୋଇଗଲା ।
ବିବାହ ଆଉ ଛାଡ଼ପତ୍ର:
ଏହିପରି ଭାବରେ ଲଗାତାର ଦମ୍ପତ୍ତି ଛାଡ଼ପତ୍ର ନେଉଥିଲେ ଓ ପୁଣି ବିବାହ ବନ୍ଧନରେ ବାନ୍ଧି ହେଉଥିଲେ । ୪୦ ବର୍ଷରେ ଏହି ଦମ୍ପତି ୧୨ ଥର ବିବାହ କରିଥିଲେ ଏବଂ ୧୨ ଥର ଉଭୟ ଉଭୟଙ୍କୁ ଛାଡପତ୍ର ହୋଇଥିଲେ। ପ୍ରତ୍ୟେକ ଛାଡପତ୍ର ଏବଂ ବିବାହ ମଧ୍ୟରେ ଅତି କମରେ ୩ ବର୍ଷର ବ୍ୟବଧାନ ଥିଲା । ଛାଡପତ୍ର ପରେ ମହିଳା ଜଣକ ବିଧବା ପେନସନ ପାଉଥିଲେ ଓ ଯୋଜନାର ଲାଭ ଉଠାଉଥିଲେ ।
ଘଟଣାର ପର୍ଦ୍ଦାଫାଶ କିପରି ହେଲା ?
ନିକଟରେ ମହିଳାଙ୍କ ଏହି ସ୍କାମର ଖୁଲାସା ହୋଇଛି । ଆଉ ଥରେ ବିଧବା ପେନସନ୍ ଆରମ୍ଭ କରିବାକୁ ଦମ୍ପତି ୨୦୨୨ ମସିହାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ଦମ୍ପତିଙ୍କର ବାରମ୍ବାର ବିବାହ ଏବଂ ଛାଡପତ୍ର ହେତୁ କର୍ତ୍ତୃପକ୍ଷ ତାଙ୍କୁ ପେନସନ ଦେବାକୁ ମନା କରିଦେଇଥିଲେ। ତଥାପି ଟଙ୍କା ଲୋଭ ଦମ୍ପତିଙ୍କୁ ଏପରି ବାୟା କରିଥିଲା ଯେ ମାମଲା କୋର୍ଟରେ ପହଞ୍ଚିଥିଲା। ମହିଳାଙ୍କ ଏହି ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ବିଧବା ପେନସନ ପାଇଁ ସ୍ୱାମୀ ଏବଂ ସ୍ତ୍ରୀ ବାରମ୍ବାର ବିବାହ ଏବଂ ଛାଡପତ୍ର ନେଇଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ ବୋଲି କୋର୍ଟ କହିଛନ୍ତି ।
ଦମ୍ପତିଙ୍କ ବିରୋଧରେ ଯାଂଚ ଆରମ୍ଭ:
କୋର୍ଟଙ୍କ ନିଷ୍ପତ୍ତି ପରେ ଠକେଇକୁ ନେଇ ଦମ୍ପତିଙ୍କ ବିରୋଧରେ ପୋଲିସ ପକ୍ଷରୁ ଯାଂଚ ଆରମ୍ଭ ହୋଇଛି । ଅନ୍ୟପଟେ ପଡ଼ୋଶୀଙ୍କ କହିବା ଅନୁସାରେ, ଦମ୍ପତି କେବେ ବି ଅଲଗା ହୋଇନାହାଁନ୍ତି । ଛାଡ଼ପତ୍ର ପରେ ବି ଉଭୟ ଦଶନ୍ଧି ଧରି ଖୁସିରେ ଜୀବନ ବିତାଉଥିଲେ। ଏତେ ବର୍ଷ ଭିତରେ ୧୨ ଥର ଛାଡ଼ପତ୍ର ନେଇଛନ୍ତି ଦମ୍ପତି । ହେଲେ ଶେଷ ଥର ଛାଡ଼ପତ୍ର ନେବା ପାଇଁ ଯାଇଥିବା ବେଳେ କର୍ତ୍ତୃପକ୍ଷ ମନା କରି ଦେଇଥିଲେ । ଏହିପରି ଭାବରେ ଦମ୍ପତି ଆଇନଗତ ଭାବରେ ସ୍ୱାମୀ ଏବଂ ସ୍ତ୍ରୀ ଅଟନ୍ତି । ଆଗାମୀ ବର୍ଷରେ ଆଉ ସେମାନଙ୍କ ମଧ୍ୟରେ ଛାଡପତ୍ର ହେବ ନାହିଁ ବୋଲି ଜଣାପଡ଼ିଛି।