Axiom-4
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ ଲଞ୍ଚ ହେବାକୁ ଯାଉଛି । ବାରମ୍ବାର ଲଞ୍ଚ ସ୍ଥଗିତ ହେବା ପରେ ଶେଷରେ ନାସା ପକ୍ଷରୁ ଚୂଡାନ୍ତ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ ୨୫ ତାରିଖରେ ଆକ୍ସିଅମ୍-୪ ଲଞ୍ଚ ହେବ ବୋଲି ନାସା ଘୋଷଣା କରିଛି । ନାସା, ଆକ୍ସିଅମ୍ ସ୍ପେସ ଓ ସ୍ପେସ ଏକ୍ସ ଭାରତୀୟ ସମୟ ବୁଧବାର ମଧ୍ୟାହ୍ନ ୧୨.୦୧ରେ ଉତକ୍ଷେପଣ ପାଇଁ ନିର୍ଘଣ୍ଟ ସ୍ଥିର କରାଯାଇଛି । ସ୍ପେଶଏକ୍ସର ଫାଲକନ ୯ ରକେଟ ଓ ଡ୍ରାଗନ ମହାକାଶଯାନରେ ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରର ଲଞ୍ଚ କମ୍ପେ୍ଲକ୍ସ ୩୯ଇ ରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବ ।
ଅଧିକ ପଢ଼ନ୍ତୁ: ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ Axiom-4; ଏଇ କାରଣରୁ ସ୍ଥଗିତ ହେଲା ISS ଯାତ୍ରା
ପ୍ରଥମେ ମେ ୨୯ରେ ଆକ୍ସିଅମ୍-୪ ଲଞ୍ଚ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ଡ୍ରାଗନରେ ସମସ୍ୟା ଯୋଗୁଁ ଜୁନ ୮କୁ ଘୁଞ୍ଚା ଯାଇଥିଲା । ହେଲେ ଫାଲକନ-୯ ରକେଟ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଜୁନ ୯ ତାରିଖକୁ ଘୁଞ୍ଚା ଯାଇଥିଲା । ହେଲେ ଖରାପ ପାଗ ଯୋଗୁଁ ପୁଣି ଜୁନ ୧୦କୁ ଘୁଞ୍ଚିଥିଲା ଆକ୍ସିଅମ୍-୪ ମିଶନ। ଜୁନ ୧୦ରେ ଫାଲକନ୍ ୯ ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେରେ ଲିକୁଇଡ ଅକ୍ସିଜେନ ଲିକେଜ ହେବାରୁ ଜୁନ ୧୧ ଓ ପରବର୍ତ୍ତୀ ସମୟରେ ଜୁନ ୧୨କୁ ଘୁଞ୍ଚା ଯାଇଥିଲା । ଏହିପରି ଭାବେ ଜୁନ ୨୨ ପର୍ଯ୍ୟନ୍ତ ଘୁଞ୍ଚିଥିଲା । ଜବେଜଦା ସର୍ଭିସ ମୋଡ୍ୟୁଲରେ ମରାମତି କାର୍ଯ୍ୟ ବାକି ଥିବାରୁ ମିଶନ ଲଞ୍ଚିଂରେ ବିଳମ୍ବ ହୋଇଥିଲା ।
ସୂଚନାଯୋଗ୍ୟ, ଫାଲକନ ୯ ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର୍ଯ୍ୟାୟ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। ଆକ୍ସିଅମ୍-୪ ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଉଡାଣ ଭରିଥିଲା।
ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ। ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ ଏହି ମିଶନର କମାଣ୍ଡର ରହିବେ । ଏମାନଙ୍କ ସହ ମିଶନରେ ଯୋଗ ଦେବେ ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସାଓସ୍ଜ ଉଜନାସ୍କି ୱିନିଏସ୍କି ଏବଂ ହଙ୍ଗେରୀର ତିବୋର କାପୁ । ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ।
ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଲା ମହାକାଶକୁ ଯିବେ। ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Axiom_4_1750741143.jpg)