• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ପାଖାପାଖି ୪ ବର୍ଷ ହେଲା ଯୁଦ୍ଧ ଚାଲିଛି। ଯୁଦ୍ଧର ପରିଣାମ ଭୟଙ୍କର ଜାଣି ବି କେହି ଅସ୍ତ୍ର ଥୋଇବାକୁ ନାରାଜ। ଦୁଇ ରାଷ୍ଟ୍ରର ଅହଂକାର ପାଇଁ ସାରା ବିଶ୍ବ ନାନା ସମସ୍ୟାକୁ ସାମ୍‌ନା କରୁଛି। ତେବେ ଭିତରେ ଏକ ଖବର ସୂଚନା ମିଳିଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧର ପରିସମାପ୍ତି ଖୁବ୍‌ ଶୀଘ୍ର ଘଟିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍‌-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ବଡ଼ ପଦକ୍ଷେପ ନେବେ ବୋଲି ଆମେରିକା କଂଗ୍ରେସରେ ଅଭିଭାଷଣ ପ୍ରସଙ୍ଗରେ ଘୋଷଣା କରିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କଠାରୁ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ସଂକ୍ରାନ୍ତରେ ଏକ ଚିଠି ପାଇଥିବା ଟ୍ରମ୍ପ କହିଛନ୍ତି। ଏହି ଚିଠିରେ ଶାନ୍ତି ପାଇଁ ଆଲୋଚନା କରିବାକୁ ୟୁକ୍ରେନ୍‌ ଚାହୁଁଛି ବୋଲି କହିଛି। ଏଥି ସହିତ ଆମେରିକା ସହ ଖଣିଜ ଚୁକ୍ତିରେ ସ୍ୱାକ୍ଷର କରିବାକୁ ଜେଲେନସ୍କି ତାଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ପ୍ରତିଦିନ ହଜାର ହଜାର ରୁଷୀୟ ଓ ୟୁକ୍ରେନବାସୀ ଯୁଦ୍ଧରେ ମରୁଛନ୍ତି, ତେଣୁ ମୁଁ ଏହି ଅର୍ଥହୀନ ଯୁଦ୍ଧର ଅନ୍ତ କରିବାକୁ ଚାହୁଛି। ଯୁଦ୍ଧରେ ଆମେରିକା ପ୍ରାୟ ୩୫୦ ବିଲିୟନ ଡଲାର ସହାୟତା ଦେବା ଏବଂ ଏହା ଲମ୍ବା ସମୟ ଧରି ଚାଲିଥିବାରୁ ଭୀଷଣ ଅନର୍ଥକାରୀ ସ୍ଥିତି ସୃଷ୍ଟି ହୋଇଛି ।

ଏଇ ନିକଟରେ ହ୍ବାଇଟ୍‌ହାଉସ୍‌ରେ ରୁଷ୍-ୟୁକ୍ରେନ ଯୁଦ୍ଧବିରତି ପାଇଁ ୟୁକ୍ରେନର ପଦକ୍ଷେପ କ’ଣ ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏପରିକି ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଅଭିଯୋଗ କରିଥିଲେ ଯେ ଓଭାଲ ଅଫିସରେ ଜେଲେନସ୍କି ଆମେରିକା ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଛନ୍ତି। ଆମେରିକାଠାରୁ ୩୫୦ ବିଲିୟନ ଡଲାର ସହାୟତା ପାଇବା ସତ୍ତ୍ବେ ଜେଲେନସ୍କି କୃତଜ୍ଞତା ପ୍ରକାଶ କରିନାହାନ୍ତି। ଫଳ ସ୍ବରୂପ ଆମେରିକା ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷରିତ ହୋଇ ନ ଥିଲା। ଯେଉଁଥିପାଇଁ ଟ୍ରମ୍ପ ମଧ୍ୟ ରାଗି ଯାଇଥିଲେ।

ଅବଶ୍ୟ ପରେ ପୁଣି ଜେଲେନସ୍କି ଟ୍ରମ୍ପଙ୍କ ପାଖକୁ ଏକ ଚିଠି ପଠାଇ ଆମେରିକାର ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଶାନ୍ତି ଚାହୁଛନ୍ତି ଓ ଖଣିଜ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି ଜଣାଇଥିଲେ। ଟ୍ରମ୍ପ ଏଡାକୁ ପ୍ରଶଂସା କରିଛନ୍ତି। ଯୁଦ୍ଧବିରତି ପାଇଁ କଂଗ୍ରେସ ଉଦ୍‌ବୋଧନରେ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ରୁଷ୍‌ ୟୁକ୍ରେନରେ ଦଖଲ କରିଥିବା କୌଣସି ଅଞ୍ଚଳ ଛାଡ଼ିବ ନାହିଁ ବୋଲି ଦୋହରାଇଛି ।

ରୁଷ୍‌ର ପକ୍ଷ ନେଲା ଆମେରିକା, ଭାରତ : ସଙ୍କଟରେ ୟୁକ୍ରେନ୍‌

ୟୁକ୍ରେନରୁ ରୁଷ୍‌ର ସୈନ୍ୟ ପ୍ରତ୍ୟାହାର ଦାବି ଏବଂ ଯୁଦ୍ଧକୁ ନିନ୍ଦା କରିବା ପାଇଁ ୟୁରୋପ ସମର୍ଥିତ ମିଳିତ ଜାତିସଂଘର ପ୍ରସ୍ତାବ ବିରୋଧରେ ଆମେରିକା ପ୍ରଥମ ଥର ପାଇଁ ରୁଷ୍ ସପକ୍ଷରେ ଭୋଟ୍ ଦେଇଛି। କିନ୍ତୁ ଭାରତ, ଚୀନ୍ ଓ ୟୁଏଇ ପ୍ରମୁଖ ମତଦାନରୁ ଦୂରେଇ ରହିଥିବା ଜଣାପଡ଼ିଛି। ବାଇଡେନଙ୍କ ବିଦାୟ ପରେ ୟୁକ୍ରେନ ନୀତିରେ ଆମେରିକାର ଏହା ବିରାଟ ପରିବର୍ତ୍ତନ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବେଶ୍‌ ରଣ କୌଶଳ ଜଣାଥାଏ। ସେଥିପାଇଁ ୟୁକ୍ରେନ୍‌ର କିଛି ଅଂଶ ଦଖଲ କରି ବି ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ୟୁକ୍ରେନରେ ରୁଷୀୟ ଆକ୍ରମଣକୁ ନିନ୍ଦା କରିବା ଏବଂ ଅଧିକୃତ ଅଞ୍ଚଳ ଫେରାଇ ଦେବାକୁ ଦାବି କରୁଥିବା ପ୍ରସ୍ତାବକୁ ବିରୋଧ କରି ଆମେରିକା, ରୁଷ୍‌, ଇସ୍ରାଏଲ, ଉତ୍ତର କୋରିଆ ଏବଂ ଅନ୍ୟ ୧୪ଟି ରାଷ୍ଟ୍ର ମତଦାନ କରିଥିଲେ।

ଜାତିସଂଘ ସାଧାରଣ ସଭାରେ ଏହି ପ୍ରସ୍ତାବକୁ ଅଧିକାଂଶ ସମର୍ଥନ କରିବାରୁ ଏହାକୁ ଅନୁମୋଦନ ମିଳିଥିଲା। ପ୍ରସ୍ତାବ ସପକ୍ଷରେ ୯୩ଟି ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ୧୮ଟି ବିପକ୍ଷରେ ଭୋଟ୍ ଦେଇଥିଲେ । ଭାରତ ସମେତ ୬୫ଟି ରାଷ୍ଟ୍ର ମତଦାନରୁ ଦୂରେଇ ରହିଥିଲେ। ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତା ଉପରେ ଗୁରୁତ୍ୱାରୋପ କରୁଥିବା ଏହି ପ୍ରସ୍ତାବରେ ଉତ୍ତେଜନା ହ୍ରାସ, ଯୁଦ୍ଧ ଶୀଘ୍ର ବନ୍ଦ କରିବା ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ରୁଷ୍‌ ସେନା ୟୁକ୍ରେନ୍‌କୁ ପ୍ରତି ମୂହୁର୍ତ୍ତର ଆଘାତ ଦେଇଚାଲିଛି। ୟୁକ୍ରେନ ଦଖଲରେ ଥିବା ପଶ୍ଚିମ ରୁ୍ଷ୍‌ର କୁର୍ସ୍କ ଅଞ୍ଚଳକୁ ମୁକ୍ତ କରିବାକୁ ବାରମ୍ବାର ଆକ୍ରମଣ କରୁଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁକ୍ରେନର ସୈନିକଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରିଛନ୍ତି। ଫଳରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଛି। ୧୪୦ରୁ ଅଧିକ ଦେଶ ରୁଷ୍‌ର ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯୁଦ୍ଧ କାହାପାଇଁ ବି ଭଲ ନୁହେଁ। ଏହା ଦ୍ବାରା ଅର୍ଥନୀତି ବିଗିଡ଼ିବା ସହିତ ଜନଜୀବନ ହାନି ଉଭୟ ରାଷ୍ଟ୍ରର ହେଉଛି। ତେଣୁ ଉଭୟ ରାଷ୍ଟ୍ର ଅହଂକାରକୁ ଛାଡ଼ି ଶାନ୍ତିକୁ ଆପଣେଇବା ବୁଦ୍ଧିମତ୍ତାର କାମ ହେବ।

ୟୁକ୍ରେନ୍‌କୁ କଡ଼ା ଜବାବ ଦେଲେ ମସ୍କ

ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସରକାରରେ ବିଶ୍ବର ଏକ ନମ୍ବର ଧନୀ ଏଲୋନ ମସ୍କ ଖୁବ୍‌ ଶକ୍ତିଶାଳୀ । କାହାକୁ କିପରି ପ୍ରତିହତ କରାଯାଇପାରିବ ସେ କୌଶଳ ମସ୍କଙ୍କୁ ବେଶ୍‌ ଜଣା। ମିଳିଥିବା ସୂଚନା ଅନୁସାରେ, ଏଲନ୍ ମସ୍କଙ୍କ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍ଲାଭ ସିକୋରସ୍କିଙ୍କ ସହ ଯୁକ୍ତିତର୍କ ହୋଇଛି। ମାମଲାଟି ୟୁକ୍ରେନ୍‌ରେ ଷ୍ଟାରଲିଙ୍କ ସେବା ସହ ଜଡିତ ରହିଛି। ମସ୍କଙ୍କ ଦାବି ଅନୁସାରେ ଷ୍ଟାରଲିଙ୍କର ସେବା ୟୁକ୍ରେନ୍‌ରେ ବନ୍ଦ କରିଦେଇଥିଲେ, ଋଷ ସହିତ ଏତେ କଡ଼ା ମୁକାବିଲା କରିପାରିନଥାନ୍ତା ୟୁକ୍ରେନ୍। ତେଣୁ ବୁଝିବିଚାରି କାମ କରନ୍ତୁ, ନ ହେଲେ ସ୍ଥିତି ଭୟଙ୍କର ହେଲେ ଦୋଷ ଦେବ ନାହିଁ। ଷ୍ଟାରଲିଙ୍କ ବିନା ୟୁକ୍ରେନ୍‌ର ପୁରା ଫ୍ରଣ୍ଟଲାଇନ୍ ଖସିଯିବାକୁ ବେଶୀ ସମୟ ଲାଗିବ ନାହିଁ।

ଯୁଦ୍ଧ ବନ୍ଦ କର, ନଚେତ୍‌ ପରିଣାମ ଭୋଗିବ 

ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ହମଲା କରି ୧୨ ଜଣ ଲୋକଙ୍କ ଜୀବନ ନେଇଛି। ରୁଷ୍‌ର ଏପରି କାର୍ଯ୍ୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ସେ ରୁଷ୍‌ ଉପରେ ନୂଆ ବ୍ୟାଙ୍କିଂ ପ୍ରତିବନ୍ଧକ ଓ ଟାରିଫ୍‌ (ଶୁଳ୍କ) ଲଗାଇବାକୁ ସିଧାସଳଖ କହିଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ ଲାଗି ରୁଷ୍‌ ଚୁକ୍ତି କରିବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି । ଯଦି ଏଭଳି ନ ହୁଏ, ତେବେ ରୁଷ୍‌ ଉପରେ ଆହୁରି ଆର୍ଥିକ କଟକଣା ଲାଗୁ କରାଯିବ । ନୂଆ ଟାରିଫ୍‌ ବି ଲାଗୁ କରାଯାଇପାରେ । ‘ଟ୍ରୁଥ୍‌ ସୋସିଆଲ୍‌’ରେ ଏକ ପୋଷ୍ଟରେ ଟ୍ରମ୍ପ୍‌ କହିଛନ୍ତି, ବର୍ତ୍ତମାନ ଯୁଦ୍ଧ ଭୂମିରେ ରୁଷ୍‌ ୟୁକ୍ରେନ୍‌ ଉପରେ ପ୍ରହାର କରିଚାଲିଛି । ଯେ ପର୍ଯ୍ୟନ୍ତ ଯୁଦ୍ଧବିରତି ଓ ଶାନ୍ତି ପାଇଁ ଚୂଡ଼ାନ୍ତ ବୁଝାମଣା ନ ହୋଇଛି, ସେ ପର୍ଯ୍ୟନ୍ତ ରୁଷ୍‌ ବିରୋଧରେ ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟ ପ୍ରତିବନ୍ଧକ ସହ ଟାରିଫ୍‌ ଲାଗୁ କରାଯିବ । ଯୁଦ୍ଧ ପାଇଁ ନିରୀହଙ୍କ ଜୀବନ ଯାଉଛି। ଏକଥା ଉଭୟ ପ୍ରତିପକ୍ଷ ବେଶ୍‌ ଭଲଭାବେ ଜାଣିଛନ୍ତି। ଉଭୟ ରାଷ୍ଟ୍ର ଯୁଦ୍ଧରୁ ବିରତ ରହି ଶାନ୍ତିର ବାଟ ଖୋଜନ୍ତୁ । ଏହା ହେଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ପାଇବ।

Email id : serveforthenation@gmail.com

OTV is now on Whatsapp

Join and get latest news update delivered to you via whatsapp

Join Now