• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବା ପରେ ସ୍ଥିତି ବେହାଲ୍

ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ଦୁଃସ୍ଥିତିରେ ଗତି କରୁଛି । ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ ଅତ୍ୟାବଶ୍ୟକ ଜିନିଷ ମଧ୍ୟ ଲୋକେ ପାଇପାରୁନାହାନ୍ତି । ବିଦ୍ୟୁତ ଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ହାହାକାର ପଡ଼ିଛି । ଏପରିସ୍ଥଳେ ଶ୍ରୀଲଙ୍କା ବାହ୍ୟ ଋଣ ଶୁଝି ପାରିବନି ବୋଲି କହି ହାତ ଟେକି ଦେଇଛି । ଅନ୍ୟ ଦେଶରୁ କରିଥିବା ଋଣ ୫୧ ବିଲିୟନ ଡଲାରରେ ପହଞ୍ଚି ଥିବା ବେଳେ ଡିଫଲ୍ଟର ଭାବେ ନିଜକୁ ଘୋଷଣା କରିସାରିଛି । ଏପଟେ ଦେଶର ଆର୍ଥିକ ସମସ୍ୟା ଖୁବଶୀଘ୍ର ହଟିବ, ଲୋକେ ଧୈର୍ଯ୍ୟ ଧରନ୍ତୁ ବୋଲି କହିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ।

ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ । ଆର୍ଥିକ ସଙ୍କଟ ସମୟରେ ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦେଶର ବୈଦେଶିକ ମୁଦ୍ରା ପାଣ୍ଠିରୁ ବାହ୍ୟ ଋଣ ପ୍ରାୟ ୫୧ ବିଲିୟନ ଡଲାର  । ବର୍ତ୍ତମାନ ଟଙ୍କା ସୁଝିବା ଭଳି ସ୍ଥିତିରେ ନାହିଁ ଦେଶ । ତେଣୁ ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି । ଫଳରେ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ୁଛି ।

୧୯୪୮ ମସିହାରେ ସ୍ୱାଧିନତା ପରଠୁ ଦେଶ କେବେବି ଏଭଳି ଦଃସ୍ଥିତି ଦେଇ ଗତି କରିନାହିଁ । ବିଦ୍ୟୁତ କାଟ୍ ସାଙ୍ଗକୁ ଖାଦ୍ୟାଭାବ ଓ ଇନ୍ଧନର ଅଭାବ ଲାଗି ରହିଛି । ସରକାରୀ ବିରୋଧୀ ଜନ ଆନ୍ଦୋଳନ ଥମିବାର ନାଁ ନେଉନି । ମେଡିସିନ ଠାରୁ ଆରମ୍ଭ କରି ଆନୁସଙ୍ଗିକ ଇକ୍ୟୁପମେଣ୍ଟ ମେଡିକାଲରେ ନଥିବାରୁ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜିଛି । ଫଳରେ ମେଡିକାଲ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ଏଭଳି ସ୍ଥିତିରେ ଦେଶକୁ ସମ୍ବୋଧନ କରି ଲୋକଙ୍କୁ ଶାନ୍ତ ହେବାକୁ ଓ ଧୈର୍ଯ୍ୟ ଧରିବାକୁ ଅପିଲ୍ କରିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପକ୍ସା । କହିଛନ୍ତି, ଆପଣଙ୍କ ପ୍ରତିଟି ସେକେଣ୍ଡ୍ ଆନ୍ଦୋଳନରେ, ଆମେ ଡଲାର୍ ହରାଉଛୁ । ଦୀର୍ଘ ବର୍ଷର ସମସ୍ୟାକୁ ଯେଉଁଭଳି ସମାଧାନ କରାଗଲା, ଆର୍ଥିକ ସମସ୍ୟା ଉପରେ ମଧ୍ୟ ସେହିପରି ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ରାଜପକ୍ସା । ତେବେ କାହିଁକି ଏବେ ଶ୍ରୀଲଙ୍କାର ଏହି ହାଲ୍?

ଏହାର ଉତ୍ତର ଦେବାକୁ ଯାଇ କୋଭିଡ୍ ଲକଠାଉନକୁ ଦାୟୀ କରିଛନ୍ତି ପିଏମ୍ ମହିନ୍ଦା ରାଜପକ୍ସା । କୋଭିଡ ଲକଡାଉନ ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡିଯାଇଛି । ଲକଡାଉନ ପାଇଁ ବିଦେଶୀ ମୁଦ୍ରା ଭଣ୍ଡାର ନିମ୍ନଗାମୀ ହେଲା, ଯାହା ଫଳରେ ଏବେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ ଦର୍ଶାଇଛନ୍ତି । ଗତ ରବିବାରରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ୧୧ଟି ରାଜନୈତିକ ଦଳରୁ ୪୨ ଜଣ ସାଂସଦଙ୍କୁ ଡାକି ଦେଶର ଆର୍ଥିକ ସ୍ଥିତି ନେଇ ଜରୁରୀ ଆଲୋଚନା କରିଥିଲେ ।

ସେପଟେ ରାଜପକ୍ସା ସରକାରର ଭୁଲ୍ ନୀତି ଯୋଗୁଁ ଶ୍ରୀଲଙ୍କାର ଦୟନୀୟ ସ୍ଥିତି ହୋଇଛି ବୋଲି ଆରୋପ ଲଗାଇଛନ୍ତି ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା । ଏଥିସହ ଅନ୍ୟ ଦେଶମାନଙ୍କୁ ଶ୍ରୀଲଙ୍କାର ସହାୟତା ପାଇଁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି । ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂ ମଧ୍ୟ ଆର୍ଥିକ ଦୁରବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ୨୦୧୯ରେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବହୁତ ଭଲ ଥିଲା । ଦୀର୍ଘ ୨ ବର୍ଷ ହେଲା ସରକାର ଅର୍ଥନୀତି ସଂସ୍କାର କ୍ଷେତ୍ରରେ କୌଣସି ଚୁକ୍ତିକୁ ଗ୍ରହଣ କରିନାହାନ୍ତି । ତେଣୁ ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ ବା IMFର ଦ୍ୱାରସ୍ଥ ପାଇଁ ପ୍ରସ୍ତାବ ଦେଇଛନ୍ତି ରାନିଲ ୱିକ୍ରେମସିଂ ।