Taliban
କାବୁଲ: ତାଲିବାନୀ କବଜାକୁ ଚାଲିଗଲା କି ପଞ୍ଜଶିର? ପ୍ରତିରୋଧର ଏଇ ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଆଜି ପଞ୍ଜଶିର ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇଛି ତାଲିବାନ୍। ହେଲେ ତାଲିବାନର ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ ଟୁଇଟ୍ କରି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫୋର୍ସ କହିଛି ଏହାର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି। ଅନ୍ୟପଟେ ପଞ୍ଜଶିର ଉପରେ ପାକ୍ସେନାର ଆକ୍ରମଣକୁ ନିନ୍ଦା କରି ଏନେଇ ବିଶ୍ୱ ସମୁଦାୟର ସହଯୋଗ ଲୋଡିଛି ଆଲାଏନ୍ସ।
ପୂରା ଆଫଗାନିସ୍ତାନରେ ଅଖଣ୍ଡ କ୍ଷମତା ହାତେଇବା ରାସ୍ତାରେ ପ୍ରତିବନ୍ଧକ ସାଜିଥିବା ଏଇ ଅଜେୟ ଉପତ୍ୟକାକୁ ଶେଷରେ ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଥିବା ଦାବି କରିଛି ତାଲିବାନ। ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇ ଖୁସି ମନାଇଛନ୍ତି ତାଲିବାନୀ ଲଡାକୁ । ତାଲିବାନି କମାଣ୍ଡୋଙ୍କ ସହ କିଛି ବରିଷ୍ଠ ନେତା ଏହି ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ତାଲିବାନ ମୁଖ୍ୟ ମୁଖପାତ୍ର ଜବିହୁଲା ମୁଜାହିଦ୍ କହିଛନ୍ତି ଏହି ବିଜୟ ସହ ଯୁଦ୍ଧର ଘନଘଟାରୁ ଆଫଗାନିସ୍ତାନ ସଂପୂର୍ଣ୍ଣ ବାହାରି ଆସିଛି। ହେଲେ ଏପଟେ କିନ୍ତୁ ତାଲିବାନର୍ ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ। ଟୁଇଟ୍ କରି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫୋର୍ସ ଦାବି କରିଛି ଫୋର୍ସର ଯୋଦ୍ଧାମାନେ ଉପତ୍ୟକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି। ଏପରକି ପୂର୍ବତନ ରାଷ୍ଟ୍ରପତି ଅମ୍ରୁଲା ସାଲହେ ପଞ୍ଜଶିର ଛାଡ଼ି ତାଜାକିସ୍ତାନ ଚାଲିଯାଇଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛି ରେଜିଷ୍ଟାନ୍ସ ଫୋର୍ସ। ତେଣୁ ଏଭଳି ସ୍ଥିତିରେ ପଞ୍ଜଶିରକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି।
Also Read
ଏପଟେ ପଞ୍ଜଶିରକୁ ଅକ୍ତିୟାର ନେବାକୁ ଗତକାଲିଠୁ ତାଲିବାନ୍ ସହ ମିଶି ପଞ୍ଜଶିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ପାକିସ୍ତାନ ବାୟୁସେନା। ଉପରାଷ୍ଟ୍ରପତି ଅମ୍ରୁଲା ସାଲହେଙ୍କୁ ଟାର୍ଗେଟ୍ କରି ତାଙ୍କ ବାସଭବନ ଉପରେ ଘନ ଘନ ଗୁଳିଗୋଳା ବର୍ଷା କରିଥିଲା। ହମଲାରେ ମାସୁଦଙ୍କୁ ଘନିଷ୍ଠ ସହଯୋଗୀ ତଥା ନର୍ଦ୍ଦନ ଆଲାଏନ୍ସର ମୁଖପାତ୍ର ମହମ୍ମଦ ଫହିମଙ୍କ ସହ ସାଲ୍ହେଙ୍କ ପରିବାରର ବହୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମାସୁଦ୍ ମଧ୍ୟ ୧୯ ମିନିଟ୍ର ଏକ ଭିଡିଓ ଜାରି କରି ପଞ୍ଜଶିରରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ନିନ୍ଦା କରିବା ସହ ଏହା ବିରୋଧରେ ଆଫଗାନ୍ ଜନତା ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଆଫଗାନିସ୍ତାନର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରି ପାକ୍ସେନାର ପଞ୍ଜଶିର ଉପରେ ଆକ୍ରମଣ କରୁଥିଲା ବେଳେ ବିଶ୍ୱ ସମୁଦାୟ ନିରବ ଦ୍ରଷ୍ଟା ସାଜିଥିବାର ଅଭିଯୋଗ ବି କରିଛନ୍ତି ମାସୁଦ୍।
ଏପଟେ ଆଫଗାନିସ୍ତାନରେ ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍। ଆଫଗାନିସ୍ତାନରେ ନୂଆ ସରକାର ଘୋଷଣା କରିବାକୁ ଯାଉଥିବା ଏହି ସଂଗଠନ, ମହିଳାଙ୍କ ପ୍ରତି ଯେ କେତେ କ୍ରୁର, କେତେ ସମ୍ବେଦନହୀନ, ତାର ନଗ୍ନ ନମୁନା ଦେଖିବାକୁ ମିଳିଛି। ଘୋର୍ ପ୍ରୋଭିନ୍ସରେ ଫିରଜ୍କୋ ସହରର ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ପରିବାର ସାମ୍ନାରେ ଗୁଳି କରି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ତାଲିବାନୀ। ତାଙ୍କ ନାଁ ନିଗାରା ଏବଂ ସେ ଜଣେ ପୋଲିସ ଅଧିକାରୀ ଥିଲେ । ଏହି ଘଟଣା ପରେ ଆଫଗାନ୍ ପୋଲିସର ଥିବା ଅନ୍ୟ ମହିଳା ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କେବଳ ଏହି ଘଟଣା ନୁହେଁ, ସୁରକ୍ଷା ଓ ବିଭିନ୍ନ ଅଧିକାରର ଦାବି ନେଇ ଆନ୍ଦୋଳନ କରୁଥିବା ମହିଳାଙ୍କ ଉପରେ ବି ବଳ ପ୍ରୟୋଗ ଜାରି ରଖିଛି ତାଲିବାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)