• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବନ୍ଧୁକର ଗର୍ଜନରେ ପୁଣି ଥରିଲା ଆମେରିକା । ଚିକାଗୋ ନିକଟ ହାଇଲାଣ୍ଡ ପାର୍କରେ ଗତକାଲି ଫ୍ରିଡମ୍ ଡେ ପରେଡ ଚାଲିଥିବା ବେଳେ ଜଣେ ଆତତୀୟ ଆଖିବୁଜା ଗୁଳିମାଡ଼ କରିଥିଲା । ଏହି ଅତର୍କିତ ଗୁଳିମାଡ଼ରେ ୬ଜଣଙ୍କ ଜୀବନ ଯାଇଥିବା ବେଳେ ୨୬ରୁ ଅଧିକ ଲୋକଙ୍କ ଅବସ୍ଥା ଗମ୍ଭୀର ରହିଛି । ଗତକାଲି ଆମେରିକାରେ ଘଟିଥିବା ଏହି ଅଘଟଣକୁ ନେଇ ସ୍ତବ୍ଧ ରହିଛି ସାରା ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି ।

ସୂଚନା ଅନୁସାରେ, ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ରାସ୍ତାରେ ଆମେରିକାର ସ୍ୱାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡ ଅନୁଷ୍ଠିତ ହେଉଥିଲା । ପରେଡରେ ଲୋକେ ଆସୁଥିବାବେଳେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଏକ ଦୋକାନର ଛାତ ଉପରେ ଥାଇ ଏହି ଗୁଳି ମାଡ କରିଛନ୍ତି । ଗୁଳିମାଡ ପରେ ସେ ଚିତ୍କାର କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି ।

ତେବେ ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ଏଣେ ତେଣେ ଦୌଡିବାରେ ଲାଗିଥିଲେ । ଉକ୍ତ ଅଞ୍ଚଳରେ ଭୟରବାତାବରଣ ଖେଳିଯାଇଥିଲା ଗୁଳିମାଡ ପରେ ହାଇଲାଣ୍ଡ ପାର୍କ ପୁଲିସ ପରେଡକୁ ବନ୍ଦ କରିଛି । ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରୁ ଏକ ପିସ୍ତଲକୁ ପୁଲିସ ଜବତ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ଅନ୍ୟପଟେ ଏହି ଘଟଣାରେ ଜଣେ ପାଖାପାଖି ୨୦ ବର୍ଷୀୟ ଯୁବକଙ୍କୁ ପୋଲିସ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି । ପୂର୍ବରୁ ମେ ୨୪ ତାରିଖରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ ହେବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ନ୍ୟୁୟର୍କର ବୁଫାଲୋର ଏକ ଗ୍ରସୋରୀ ଷ୍ଟୋର ଉପରେ ଗୁଳିମାଡ ହେବାରୁ ସେଠାରେ ଅନ୍ୟୁନ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା ଏଥିରୁ ଆମେରିକାରେ ହିଂସା ବଢୁଥିବା ସ୍ପଷ୍ଟ ହୋଇଛି । ତେବେ ବାରମ୍ବାର ଆମେରିକାରେ ଏଭଳି ଅଘଟଣ ଘଟୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।