• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ତାଲିବାନ ଆତଙ୍କବାଦୀଙ୍କ ପାଇଁ ବଡ଼ କଣ୍ଟା ସାଜିଛି ପଞ୍ଜଶୀର । କାବୁଲକୁ କବଜା କରିସାରିଥିଲେ ସୁଦ୍ଧା ଆଫଗାନିସ୍ତାନର ପଞ୍ଜଶୀର ଅଞ୍ଚଳ ଉପରକୁ ଆଖି ଉଠାଇ ଦେଖିପାରୁ ନାହାନ୍ତି ତାଲିବାନୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ୨୦ ବର୍ଷ ପୂର୍ବେ ମଧ୍ୟ ଏହି ଅଞ୍ଚଳ ଦଖଲ କରିବାରେ ବିଫଳ ହୋଇଥିଲା ତାଲିବାନ୍ । ଆଉ ଏବେ ପୁଣି ଥରେ କାବୁଲ ଅକ୍ତିଆର କରିବା ପରେ ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ କବଜା କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ପଞ୍ଜଶୀରରେ ବିଦ୍ରୋହୀମାନେ ୩୦୦ରୁ ଅଧିକ ତାଲିବାନୀଙ୍କୁ ମାରିଥିବା ସୂଚନା ମିଳିଛି । ପଞ୍ଜଶୀରରେ ଅନେକ ସଂଖ୍ୟାରେ ବିଦ୍ରୋହୀ ସୈନ୍ୟ ଉପସ୍ଥିତ ଅଛନ୍ତି । ତାଲିବାନୀ ଆତଙ୍କବାଦୀଙ୍କୁ ମାରିବା ସହ ବିଦ୍ରୋହୀମାନେ ସେମାନଙ୍କ ସପ୍ଲାଇ ଚେନକୁ ମଧ୍ୟ ଜବତ କରିଛନ୍ତି ।

ପଞ୍ଜଶୀର କବଜା କରିବାର ସ୍ୱପ୍ନ ନେଇ ଆକ୍ରମଣ କରିବାକୁ ଯାଇଥିଲେ ତାଲିବାନୀ । ହେଲେ ସେଠାରେ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ ବିଦ୍ରୋହୀ । ତାଲିବାନୀ ପହଞ୍ଚିବା ପରେ କଡ଼ା ମୁକାବିଲା ଆରମ୍ଭ ହୋଇଥିଲା । ତାଲିବାନ କାରୀ ଫାସିହୁଦ ଦିନ୍ ହାଫିଜୁଲ୍ଲାଙ୍କ ନେତୃତ୍ୱରେ ପଞ୍ଜଶୀର ଆକ୍ରମଣ କରିବାକୁ ଶହ ଶହ ତାଲିବାନୀ ଆତଙ୍କୀଙ୍କୁ ପଠାଯାଇଥିଲା । କିନ୍ତୁ ବାଗଲାନ ପ୍ରଦେଶର ଏକ ଘାଟିରେ ପଞ୍ଜଶୀର ବିଦ୍ରୋହୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩୦୦ ଅଧିକ ତାଲିବାନୀ ନିହତ ହୋଇଥିବା କୁହାଯାଉଛି । ସେହିପରି ପଞ୍ଜଶୀର ଅଭିମୁଖେ ଯାଉଥିବା ସଲାଙ୍ଗ ରାଜପଥ ମଧ୍ୟ ବନ୍ଦ କରି ଦିଆଯାଇଛି ।

ପଞ୍ଜଶୀର ତାଲିବାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ବିଦ୍ରୋହୀମାନେ ପଞ୍ଜଶୀର ଅଞ୍ଚଳରେ ଏକାଠି ହେବା ଆରମ୍ଭ କରି ଦେଇଛନ୍ତି । ତାଲିବାନକୁ ବିରୋଧ କରୁଥିବା ସରକାରୀ ବଳ ମଧ୍ୟ ବିଭିନ୍ନ ଅଞ୍ଚଳରୁ ରାଲି କରି ପଞ୍ଜଶୀର ଉପତ୍ୟକାରେ ଏକାଠି ହୋଇଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ । ତାଙ୍କ ସହ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ବଲ୍ଖ ପ୍ରଦେଶର ପୂର୍ବତନ ରାଜ୍ୟପାଳଙ୍କ ସେନାବାହିନୀ ଅଛନ୍ତି । ତାଲିବାନୀଙ୍କୁ ଉଚିତ ଶିକ୍ଷା ଦେବାପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ଠାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି ।

ସେପଟେ ରବିବାର ଅଲ-ଆରବିଅ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପଞ୍ଜଶୀର ସିଂହ କୁହାଯାଉଥିବା ଅହମ୍ମଦ ଶାହା କହିଛନ୍ତି, ଆମେ ଯୁଦ୍ଧ କରିବାକୁ ଚାହୁଁନୁ । କିନ୍ତୁ କୌଣସି ପ୍ରକାର ଆକ୍ରମଣର କଡ଼ା ଜବାବ ଦିଆଯିବ । ଚୁପ ବସି ପଞ୍ଜଶୀରକୁ ତାଲିବାନ୍ ହାତରେ ଟେକି ଦିଆଯିବନି । ତାଲିବାନ ସହ ଆଲୋଚନା ବିଫଳ ହେଲେ ଯୁଦ୍ଧକୁ ରୋକା ଯାଇପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ଅହମ୍ମଦ ମାସୁଦ । ଆଲୋଚନା କରିବାକୁ ମନା କଲେ ଯୁଦ୍ଧ ହିଁ ଶେଷ ବିକଳ୍ପ ହେବ ।