Advertisment

ତାଇୱାନ୍ ଆକାଶରେ ପଶିଲା ଚୀନ୍‌ର ୨୭ଟି ଲଢ଼ୁଆ ବିମାନ

ତାଇୱାନ୍‌ର ଏୟାର୍ ଡିଫେନ୍ସ ଜୋନ୍‌ରେ ୨୭ଟି ଚୀନି ଫାଇଟର୍ ଜେଟ୍ ପ୍ରବେଶ କରିଥିବା ତାଇପେ ପକ୍ଷରୁ ସୂଚନା ଦିଆଯାଇଛି ।

author-image
Otv Khabar Bureau
Taiwan China Issue

Taiwan China Issue

ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ନାନ୍ସି ପେଲୋସି ତାଇୱାନ୍ ଛାଡ଼ୁ ଛାଡ଼ୁ ତାଇୱାନ୍ ଆକାଶରେ ପଶିଲା ଚୀନ୍‌ର ୨୭ଟି ଲଢ଼ୁଆ ବିମାନ । ତାଇୱାନ୍‌ର ଏୟାର୍ ଡିଫେନ୍ସ ଜୋନ୍‌ରେ ୨୭ଟି ଚୀନି ଫାଇଟର୍ ଜେଟ୍ ପ୍ରବେଶ କରିଥିବା ତାଇପେ ପକ୍ଷରୁ ସୂଚନା ଦିଆଯାଇଛି । ୨୭ଟି ଲଢ଼ୁଆ ବିମାନ ଭିତରେ ୬ଟି J-11, ୫ଟି J-16 ଓ ୧୬ଟି ସୁଖୋଇ-30 ବିମାନ ଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

Advertisment

ଦକ୍ଷିଣ-ପଶ୍ଚିମ ପଟୁ ଏହି ଫାଇଟର୍‌ ଜେଟ୍‌ର ଅନୁପ୍ରବେଶ ହୋଇଥିଲା । ଏହାପରେ ତାଇୱାନ୍ ଏୟାର୍ ପାଟ୍ରୋଲିଂ କରିବା ସହିତ ନିଜର ଏୟାର୍ ଡିଫେନ୍ସ ସିଷ୍ଟମ ପ୍ରସ୍ତୁତ ରଖିଥିଲା ବୋଲି କୁହାଯାଇଛି । ଯଦିଓ ତାଇୱାନ୍ ଉପରେ ଚାପ ସୃଷ୍ଟି ଲାଗି ଚୀନ୍‌ର ଏଭଳି ଅନଧିକାର ପ୍ରବେଶ କିଛି ନୂଆ କଥା ନୁହେଁ, ତଥାପି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ନାନ୍ସି ପେଲୋସିଙ୍କ ବିବାଦୀୟ ଗସ୍ତ ପରେ ପରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ଦେଖୁଛନ୍ତି ବିଶେଷଜ୍ଞ । ୨୦୨୧ ମସିହାରେ ୨୩୯ ଦିନରେ ଏଭଳି ୯୬୧ଟି ଚୀନ୍ ବାୟୁସେନା ବିମାନର ଅନଧିକାର ପ୍ରବେଶ ରେକର୍ଡ ହୋଇଥିବା ସୂଚନା ମିଳିଛି ।

ଆମେରିକା ତାଇୱାନ୍‌ର ଗଣତନ୍ତ୍ରକୁ ସମର୍ଥନ କରେ ଏବଂ ତାକୁ କେବେବି ଏକୁଟିଆ ଛାଡ଼ିଦେବ ନାହିଁ ବୋଲି ତାଇପେରେ ଖୋଲାଖୋଲି ପ୍ରକାଶ କରିଛନ୍ତି ଆମେରିକା କଂଗ୍ରେସ୍ ବାଚସ୍ପତି ନାନ୍‌ସି ପେଲୋସି । ଏଣେ ତାଙ୍କର ଗସ୍ତ ଚୀନ୍‌ର ସର୍ବଭୌମତା ପ୍ରତି ବିପଦ ଦର୍ଶାଇ, ଉଭୟ ତାଇୱାନ୍ ଓ ଆମେରିକାକୁ ପରିଣତି ଭୋଗିବାର ଚେତାବନୀ ଦେଇଛି ବେଜିଂ । ଏଥିସହ ତାଇୱାନ୍ ଉପରେ ବିଭିନ୍ନ ବ୍ୟବସାୟିକ କଟକଣା ମଧ୍ୟ ଲଗାଇଛି ସି ଜିନ୍‌ପିଙ୍ଗ ସରକାର । ତେବେ ଏହି ବର୍ଦ୍ଧିତ ତିକ୍ତତା ଭାରତକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।

Advertisment
Taiwan China Issue Fighter Jet
Advertisment
Advertisment