• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା । ଆଜି ସକାଳେ ପାକିସ୍ତାନର ବେଲୁଚିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅତି କମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ବେଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।

ପରେ ସେମାନେ ଯାତ୍ରୀମାନଙ୍କର ପରିଚୟ ପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ସରିବା ପରେ ଆଖି ବୁଜା ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ ମୁସାଖେଲର ରାରାଶାମ ଜିଲ୍ଲାର ରାଜପଥକୁ ଅବରୋଧ କରିଥିଲେ ଏବଂ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୃତକମାନେ ହେଉଛନ୍ତି ପଞ୍ଜାବର ।

ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଏହା ସହ ଆତଙ୍କବାଦୀମାନେ ୧୦ ଟି ଗାଡିରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଘଟଣାକୁ ନିନ୍ଦା କରି ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଆତଙ୍କବାଦୀଙ୍କ ନିର୍ଦ୍ଦୟତାକୁ ନିନ୍ଦା କରି ପାକିସ୍ତାନର ଫେଡେରାଲ୍ ସୂଚନା ମନ୍ତ୍ରୀ ଅତୁଲ୍ଲା ତରାର୍ କହିଛନ୍ତି, ସେମାନେ ନିରୀହ ଯାତ୍ରୀଙ୍କୁ ଟାର୍ଗେଟ କରି ନିଜର କାପୁରୁଷତାର ପ୍ରମାଣ ଦେଇଛନ୍ତି । ଏହାକୁ ନେଇ ପାକିସ୍ତାନର ପଞ୍ଜାବ ସରକାରଙ୍କ ମୁଖପାତ୍ର ଆଜମା ବୁଖାରୀ ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି ।

ପୂର୍ବରୁ ମଧ୍ୟ ଏପରି ଆକ୍ରମଣ ହୋଇଥିବାର ପ୍ରମାଣ ରହିଛି । ଗତ ଏପ୍ରିଲରେ ନୋସ୍କି ନିକଟସ୍ଥ ଏକ ବସରୁ ନଅ ଜଣ ଯାତ୍ରୀଙ୍କୁ ଜବରଦସ୍ତ ବାହାର କରିଦିଆଯାଇଥିଲା । ଏହା ସହ କେତେଜଣ ବନ୍ଧୁକଧାରୀ ଆତତାୟୀ ପରିଚୟପତ୍ର ଯାଞ୍ଚ କରିବା ପରେ ସେମାନଙ୍କୁ ହତ୍ୟା କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now