• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନ୍‌ରେ ଭୟଙ୍କର ଭୂମିକମ୍ପ ଝଟକା । ସିଚୁଆନ୍‌ ପ୍ରଦେଶରେ ୬.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଛି । ତେବେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆଗାମୀ ସମୟରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଲୁଡିଙ୍ଗ କାଉଣ୍ଟି ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି , ଯେଉଁଠି ବର୍ତ୍ତମାନ କରୋନା ସହ ସଂଗ୍ରାମ କରୁଛନ୍ତି ଲୋକେ ।

ସିଚୁଆନ୍‌ ପ୍ରଦେଶରେ ୧୨ଟା ୨୫ ମିନିଟ୍‌ ସମୟରେ ଭୂମିକମ୍ପ ଝଟକା ଅନୁଭବ ହୋଇଛି । ଭୂମିକମ୍ପ ଯୋଗୁଁ ହଠାତ୍‌ କୋଠାଗୁଡ଼ିକ ଦୋହଲିବାରେ ଲାଗିଥିଲା । ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରି ଆସିଥିଲେ । ଜୀବନ ଭୟରେ ଧାଁ ଦଉଡ଼ କରୁଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଭୂମିକମ୍ପରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧ ପାଇପାରେ, ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଚୀନର ସୋସିଆଲ ମିଡିଆରେ ଭୂମିକମ୍ପ ସମୟର ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି ଜୋରରେ ଦୋହଲୁଛି ବଡ଼ ବଡ଼ ଅଟ୍ଟାଳିକା ଓ ଘର । ତେବେ ଲୋକଙ୍କ ମୃତ୍ୟୁ ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

ଯେଉଁ ସିଚୁଆନ୍ ପ୍ରଦେଶ ନିକଟରେ କମ୍ପନ ଅନୁଭୂତ ହୋଇଛି, ତାହା ତିବ୍ଦତ ପାଖରେ ଅବସ୍ଥିତ । ୨୦୦୮ ମସିହାରେ ସେଠାରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା, ​​ଯେଉଁଥିରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ । ସେହିପରି ୨୦୧୩ ମସିହାରେ ମଧ୍ୟ ସମାନ ଅଞ୍ଚଳରେ ଭୂମିକମ୍ପ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଭୂମିକମ୍ପ ପାଇଁ ଏହି ଅଞ୍ଚଳ ସବୁବେଳେ ଏକ ସମ୍ବେଦନଶୀଳ ସ୍ଥାନ । ପ୍ରାୟ ସମୟରେ ଭୂକମ୍ପ ଘଟି ଏଠାରେ କ୍ଷୟକ୍ଷତି ହେବାର ଖବର ଆସେ ।