Advertisment

ମନ୍ଦିର ଆକ୍ରମଣ ମାମଲାରେ ୨୦ ଗିରଫ

ପାକିସ୍ତାନ ପଞ୍ଜାବର ସୁଦୂରବର୍ତ୍ତୀ ସହରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ସାମ୍ନାନୁ ଆସିଛି ଯେତେବେଳେ ଦେଶର ସୁପ୍ରିମକୋର୍ଟ ଏଭଳି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ଅଧିକାରୀମାନଙ୍କୁ ଟାଣି ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଏଭଳି ଘଟଣା ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି।

author-image
Pramod Behera
ମନ୍ଦିର ଆକ୍ରମଣ ମାମଲାରେ ୨୦ ଗିରଫ

Pakistan temple vandalism

ଲାହୋର : ପାକିସ୍ତାନ ପଞ୍ଜାବର ସୁଦୂରବର୍ତ୍ତୀ ସହରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ସାମ୍ନାନୁ ଆସିଛି ଯେତେବେଳେ ଦେଶର ସୁପ୍ରିମକୋର୍ଟ ଏଭଳି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ଅଧିକାରୀମାନଙ୍କୁ ଟାଣି ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଏଭଳି ଘଟଣା ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି।

Advertisment

ସୂଚନା ମୁତାବକ ପଞ୍ଜାବ ପ୍ରଦେଶର ରହିମୟାର ଖାନ ଜିଲ୍ଲାର ଭୋଙ୍ଗ ଅଞ୍ଚଳରେ ଶତାଧିକ ଲୋକ ବାଡ଼ି, ଠେଙ୍ଗା, ପଥର ଓ ଇଟା ନେଇ ଏକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏହାର କିଛି ଅଂଶ ପୋଡି ଦେଇଥିଲେ ଏବଂ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ। ସ୍ଥାନୀୟ ମଦରସାରେ ପରିସ୍ରା କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଆଠ ବର୍ଷର ହିନ୍ଦୁ ବାଳକକୁ କୋର୍ଟ ମୁକ୍ତ କରିବା ବିରୁଧରେ ସେମାନେ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ରହୀମୟାର୍‌ ଖାନର ଜିଲ୍ଲା ପୋଲିସ ଅଧିକାରୀ (ଡିପିଓ) ଆସାଦ ସରଫରାଜ ଗଣମାଧ୍ୟମକୁ କହିଛନ୍ତି ଯେ ଭୋଙ୍ଗରେ ମନ୍ଦିର ଆକ୍ରମଣ ଘଟଣାରେ ସେମାନେ ଏପର୍ଯ୍ୟନ୍ତ ୨୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଭିଡିଓ ଫୁଟେଜ୍‌ ଜରିଆରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରୁଥିବାରୁ ଆଗାମୀ ଦିନରେ ଗିରଫ ସମ୍ଭବ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି ଯେ “ଆତଙ୍କବାଦ ତଥା ପାକିସ୍ତାନ ପେନାଲ୍‌ କୋଡ୍‌ (ପିପିସି) ର ଅନ୍ୟ ବିଭାଗରେ ମନ୍ଦିର ଉପରେ ଆକ୍ରମଣ କରିଥିବାରୁ ୧୫୦ରୁ ଅଧିକ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। ଏହି ଅପରାଧରେ ସମ୍ପୃକ୍ତ ପ୍ରତ୍ୟେକ ସନ୍ଦିଗ୍ଧଙ୍କୁ ଗିରଫ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ମରାମତି କାମ ଆରମ୍ଭ ହୋଇଛି।” ପାକିସ୍ତାନର ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ଶୁକ୍ରବାର କହିଛନ୍ତି ଯେ ମନ୍ଦିରରେ ଭଙ୍ଗାରୁଜା ଘଟଣା ଦେଶ ପାଇଁ ଲଜ୍ଜାଜନକ, କାରଣ ପୋଲିସ ଏକ ନିରବଦ୍ରଷ୍ଟା ସାଜିଛି।

ଆଠ ବର୍ଷର ଶିଶୁର ଗିରଫଦାରୀକୁ ନେଇ ପ୍ରଧାନ ବିଚାରପତି ପ୍ରଶ୍ନ ଉଠାଇଛନ୍ତି। ଏତେ ଛୋଟ ପିଲାର ମାନସିକ ସ୍ଥିତିକୁ ପୋଲିସ୍ କ’ଣ ବୁଝିପାରୁ ନାହାଁନ୍ତି ବୋଲି ସେ କହିଛନ୍ତି। ପାକିସ୍ତାନ ସଂସଦ ଶୁକ୍ରବାର ଏକ ପ୍ରସ୍ତାବ ପାରିତ କରି ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛି। ଏହି ମାମଲାର ଶୁଣାଣି ଅଗଷ୍ଟ ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଗୁରୁବାର ଭାରତ ନୂଆଦିଲ୍ଲୀରେ ପାକିସ୍ତାନୀ ଉଚ୍ଚ ଆୟୋଗର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଡକାଇ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱାଧୀନତା ତଥା ସେମାନଙ୍କ ଧାର୍ମିକ ସ୍ଥାନ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆକ୍ରମଣର ଦୃଢ ବିରୋଧ ପ୍ରଦର୍ଶନ କରିଛି।

ପ୍ରକାଶଥାଉ ଯେ ହିନ୍ଦୁମାନେ ପାକିସ୍ତାନର ସବୁଠାରୁ ବଡ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଟନ୍ତି। ସରକାରୀ ଆକଳନ ଅନୁଯାୟୀ ପାକିସ୍ତାନରେ ୭୫ ଲକ୍ଷ ହିନ୍ଦୁ ବାସ କରୁଛନ୍ତି। ତେବେ ସମ୍ପ୍ରଦାୟ ଅନୁଯାୟୀ, ଦେଶରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ବାସ କରୁଛନ୍ତି। ପାକିସ୍ତାନର ଅଧିକାଂଶ ହିନ୍ଦୁ ଜନସଂଖ୍ୟା ସିନ୍ଧ ପ୍ରଦେଶରେ ବାସ କରନ୍ତି, ଯେଉଁଠାରେ ସେମାନେ ମୁସଲମାନ ବାସିନ୍ଦାଙ୍କ ସହିତ ସଂସ୍କୃତି, ପରମ୍ପରା ଏବଂ ଭାଷା ବାଣ୍ଟିଥାନ୍ତି। ସେମାନେ ପ୍ରାୟତଃ ଉଗ୍ରବାଦୀଙ୍କ ଦ୍ୱାରା ହଇରାଣ ହେଉଥିବା ଅଭିଯୋଗ କରନ୍ତି।

International News Temple Vandalism
Advertisment
Advertisment