• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୃତ୍ୟୁର ମିଜାଇଲ୍ ମାଡ଼ରେ ଥରହର ହେଉଛି ୟୁକ୍ରେନ । ଘମାଘୋଟ ଯୁଦ୍ଧ ଭିତରେ, ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଚିନ୍ତାରେ ସରକାର । ଭିଡିଓ କଲ୍‌ରେ କଥା ହୋଇ ସାମାନ୍ୟ ଆଶ୍ୱସ୍ତ ହେଉଥିଲେ ବି, ପ୍ରତି ମୁହୂର୍ତ୍ତରେ ଭୟଭୀତ ସମସ୍ତେ । ଏସବୁ ଭିତରେ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଆଜି ୨ଟି ବିମାନ ରୋମାନିଆ ଅଭିମୁଖେ ଯାଇଛି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ଉଦ୍ଧାର ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଆଉ ଏପଟେ କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି, ତଥାପି ପିଲାଙ୍କୁ ଦମ୍ଭ ଦେଉଛନ୍ତି ପିତା ମାତା । ପ୍ରତି ମୁହୁର୍ତ୍ତରେ ଭିଡ଼ିଓ କଲ୍ କରି ଅପଡେଟ୍ ନେଉଛନ୍ତି ।

ରାଉରକେଲା ଫର୍ଟିଲାଇଜର ଟାଉନ୍‌ସିପ୍‌ର ଅର୍ଚ୍ଚନା ଲେଙ୍କାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନରେ ଅର୍ଚ୍ଚନା ଫସି ରହିଥିବାବେଳେ ଆଖିରୁ ନିଦ ହଜିଯାଇଛି ପରିବାର ଓ ସମ୍ପର୍କୀୟଙ୍କର । ସେହିଭଳି ୟୁକ୍ରେନରୁ ଯେକୌଣସି ମତେ ଭାଇକୁ ଫେରାଇ ଆଣିବାକୁ କାକୁତି ମୀନତି ହେଉଛନ୍ତି ଜଗତସିଂପୁର ଓହଳର ମନୋରଂଜନ ସାହୁ । ବୟସର ଅପରାହ୍ନରେ ରୋଗାକ୍ରାନ୍ତ ମାଆବି ବଲବଲ କରି ଅନାଇ ରହିଛନ୍ତି, ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ପୁଅର ଫେରନ୍ତା ବାଟକୁ ।

କେବଳ ରାଉରକେଲା କି ଜଗତସିଂପୁର ନୁହେଁ । ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ଟିଟିଲାଗଡ଼, ଗୁଣପୁର, ମୟୁରଭଞ୍ଜ ଆଦି ଅନେକ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀ ରହିଛନ୍ତି ୟୁକ୍ରେନ୍‌ରେ ା କିଏ ସୁରକ୍ଷିତ ଥିବା କଥା କହୁଛନ୍ତି ତ ଆଉ କିଏ ବୋମା, ମିଜାଇଲ୍ ମାଡ଼ର ଶବ୍ଦ ଶୁଣୁଥିବା କହୁଛନ୍ତି ଭିଡ଼ିଓ କଲ୍‌ରେ । ସେଠାରେ ଧିରେ ଧିରେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ବି ଜଣାଉଛନ୍ତି ପରିବାର ସଦସ୍ୟଙ୍କୁ । ନୂଆଦିଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ସାମ୍ନାରେ ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ସେମାନଙ୍କର ସଂପର୍କୀୟମାନେ କିପରି ଭାରତ ଫେରିବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସମସ୍ତେ ।

ଏସବୁ ଭିତରେ କେନ୍ଦ୍ର ସରକାର ନିଜେ ଖର୍ଚ୍ଚ ବହନ କରି ୟୁକ୍ରେନ୍‌ରୁ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଜି ରୋମାନିଆ ରାଜଧାନୀ ବୁଖରେଷ୍ଟ ଅଭିମୁଖେ ୨ଟି ବିମାନ ଉଡ଼ାଣ ଭରିଇଥିବା ସୂଚନା ରହିଛି । ରୋମାନିଆ ଓ ହଙ୍ଗେରୀ ଦେଇ ଭାରତୀୟଙ୍କୁ ପ୍ରଥମେ ଉଦ୍ଧାର ପାଇଁ ଯୋଜନା କରାଯାଇଛି । ଏଥିପାଇଁ ରୋମାନିଆ ଓ ହଙ୍ଗେରୀ ଦେଇ ସ୍ଥଳପଥ ଦେଇ ସ୍ୱଦେଶ ମୁହାଁ ହୋଇଛନ୍ତି ଭାରତ ଫେରୁଥିବା ପ୍ରଥମ ବ୍ୟାଚ୍ ।

ଏପଟେ ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସିଥିବା ଓଡ଼ିଆ ପିଲା ଓ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ନିବେଦନ କରିଛନ୍ତି ନବୀନ । ଉଦ୍ଧାର ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୟୁକ୍ରେନ୍ ସହ ଭାରତ ସରକାର ଯୋଗାଯୋଗରେ ଅଛନ୍ତି, ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି । ଗତକାଲି ୟୁକ୍ରେନ ରାଜଧାନୀ କିଭ୍ ସ୍ଥିତ ଭାରତୀୟ ଦୂତାବାସରେ ଅଟକିଥିବା ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭେଟି ଉଦ୍ଧାର ଲାଗି ସରକାରଙ୍କ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଥିବା କହିଛନ୍ତି ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଓଡ଼ିଆ ଡିପ୍ଲୋମାଟ୍ ଆଇଏଫ୍ଏସ୍ ପାର୍ଥ ଶତପଥୀ ।

OTV is now on Whatsapp

Join and get latest news update delivered to you via whatsapp

Join Now