• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ତାଲିବାନ୍‌ ଟାର୍ଗେଟ୍‌ରେ ସାମ୍ୱାଦିକ

  • ବନ୍ଦ ହେଲା ୧୫୦ଟି ଗଣମାଧ୍ୟମ ସଂସ୍ଥା

  • ସାମ୍ୱାଦିକ କରୁଛନ୍ତି ଦିନ ମଜୁରିଆ କାମ

କାବୁଲ: ତାଲିବାନ୍‌ ଟାର୍ଗେଟ୍‌ରେ ଗଣମାଧ୍ୟମ । ଆଫଗାନ୍‌ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି । ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ ହିଜବୁହ୍ଲା ଖାନଙ୍କ ଅନୁଯାୟୀ, ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକବିକଳରେ ବଞ୍ଚିଛନ୍ତି । ଦେଶ ଚାଲାଇବା ପାଇଁ ତାଲିବାନ୍‌ ପାଖରେ ଅର୍ଥ ମଧ୍ୟ ନାହିଁ । ପୂର୍ବରୁ ଆମେରିକା ଏବଂ ଆଇଏମ୍ଏଫ୍ ଆଫଗାନିସ୍ତାନର ଆକାଉଣ୍ଟକୁ ଫ୍ରିଜ୍ କରିସାରିଛନ୍ତି । ଆଫଗାନ୍‌ର ସ୍ଥିତି ଏମିତି ହେଲାଣି ଯେ ସେମାନେ ଦିନମଜୁରୀଆ ଶ୍ରମିକ ହୋଇ ଇଟା ତିଆରି କରିବା କାମ କରୁଛନ୍ତି ।

ଜାବୁଲ୍ଲା ୱାଫାଙ୍କ ପରିବାରରେ ୧୦ ଜଣ ସଦସ୍ୟ ଥିବାରୁ ସେ ପରିବାର ଚଳାଇବା ପାଇଁ ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ନ୍ୟୁଜ୍‌ ଏଜେନ୍ସି ଖାମା ପ୍ରେସ୍‌ ଅନୁଯାୟୀ, ପୂର୍ବତନ ସାମ୍ବାଦିକ କହିଛନ୍ତି, ଆଫଗାନ୍‌ରେ ତାଲିବାନ୍‌ ଦଖଲ ପରେ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ମତେ ଚାକିରୀରୁ ବହିଷ୍କାର କରିଦେଲେ । ସେ ଚାକିରୀ ପାଇଁ ଆଗ୍ରହୀ ଥାଇ ମଧ୍ୟ ପ୍ରାୟ ଦୁଇମାସ ହେବ ତାଙ୍କୁ କୌଣସି ଚାକିରୀ ମିଳୁନାହିଁ । ତେଣୁ ପରିବାରର ପେଟ ପୋଷିବା ପାଇଁ ସେ ବାଧ୍ୟ ହୋଇ ନିଜ ବାପାଙ୍କ ସହିତ ଇଟା ତିଆରି କରିବା କାମ କରିବା ଆରମ୍ଭ କରିଛନ୍ତି । ଏହାସହ ସେ କହିଛନ୍ତି, କେବଳ ସେ ନୁହେଁ ବରଂ ତାଙ୍କ ପରି ଶହ ଶହ ଆଫଗାନିସ୍ତାନ ସାମ୍ବାଦିକ ସେଠାରେ ବେକାର ହୋଇ ରହିଛନ୍ତି । ସେମାନଙ୍କର ସହାୟତା କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି ।

ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି,ଗତ ଦୁଇ ମାସ ମଧ୍ୟରେ ଆଫଗାନିସ୍ଥାନରେ ଥିବା ୧୫୦ଟି ଗଣମାଧ୍ୟମ ସଂସ୍ଥାକୁ ବନ୍ଦ କରିଦିଆଯାଇଛି । ତାଲିବାନ୍‌ ଦଖଲ ପରେ ଏହି ସବୁ ସଂସ୍ଥା ଗୁଡିକର ଆର୍ଥିକ ସ୍ଥିତି ବିଗିଡିବାରୁ ଏହି ସଂସ୍ଥା ଗୁଡିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଫଳରେ ଏହି ସବୁ ମିଡିଆ ସଂସ୍ଥା ଗୁଡିକ ବନ୍ଦ ହୋଇଛି । 'ଟୋଲୋ ନ୍ୟୁଜ୍' ଅନୁଯାୟୀ, ତାଲିବାନ୍‌ ସାମ୍ୱାଦିକଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲାଗାଇ ଥିଲା । ଯାହା ଦ୍ୱାରା ମିଡିଆ ଚ୍ୟାନେଲ୍‌ ଗୁଡିକର କାର୍ଯ୍ୟରେ ମଧ୍ୟ ପ୍ରଭାବ ପଡିଛି । ଜଣେ ସାମ୍ବାଦିକ କହିଛନ୍ତି, ଏଠାରେ ଗଣମାଧ୍ୟମ ବିଜ୍ଞାପନ ଉପରେ ନିର୍ଭରଶୀଳ ରହିଥାଏ । ହେଲେ ଏବେ କୌଣସି ସ୍ଥାନରୁ ମଧ୍ୟ ବିଜ୍ଞାପନ ଦିଆଯାଉ ନାହିଁ । ବିଜ୍ଞାପନର ମିଳୁ ନଥିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।