• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ନିପାତ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ସରକାରର ମୁଖ୍ୟ ରାହି ମୁସ୍ତାହାଙ୍କ ମୃତ୍ୟୁ ହୋଇଥିବା IDF ସ୍ପଷ୍ଟ କରିଛି । ଗାଜା ଷ୍ଟ୍ରିପ୍ ଉପରେ ଆଜି ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଗାଜା ଷ୍ଟ୍ରିପରେ ରାହି ମୁସ୍ତାହା ଥିଲା ହମାସର ସବୁଠୁ ବଡ଼ ନେତା । ଇସ୍ରାଏଲ ବିରୋଧରେ ଲଗାତର ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବାରୁ ଏହି ଆକ୍ସନ ନିଆଯାଇଥିବା ଇସ୍ରାଏଲ କହିଛି ।

ତେବେ ଏହି ଆକ୍ରମଣରେ ହମାସ ସୁରକ୍ଷା ଅଧିକାରୀ ଓ ଜଣେ କମାଣ୍ଡରର ମୃତ୍ୟୁ ହୋଇଥିବା ମଧ୍ୟ ଇସ୍ରାଏଲ ସେନା ସୂଚନା ଦେଇଛି । IDFର ସୂଚନା ଅନୁଯାୟୀ ନର୍ଥ ଗାଜାରେ ଥିବା ଏକ ଅଣ୍ଡର ଗ୍ରାଉଣ୍ଡ କମ୍ପାଉଣ୍ଡ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିଲା । ସେହି ସ୍ଥାନକୁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭାବେ ବ୍ୟବହାର କରୁଥିଲା ହମାସ ।

ତେବେ ଏଠାରେ ହମାସ ମୁଖ୍ୟ ରାହି ମୁସ୍ତାହା ସହ ଅନ୍ୟ ହମାସ ନେତା ଲୁଚିଥିବା ଖବର ପାଇ ଏହି ଆକ୍ରମଣ କରିଥିଲା ଇସ୍ରାଏଲ । ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟାର ମାଇଣ୍ଡ ଥିଲା ରାହି ମୁସ୍ତାହା ବୋଲି IDF କହିଛି ।

ସେହିପରି ଗତ ଶୁକ୍ରବାର ବେରୁତର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲର ଆକ୍ରମଣରେ ନସରାଲ୍ଲାଙ୍କର ମୃତ୍ୟୁ ଘଟିଥିଲା । ସେ ୧୯୬୦ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୮୨ରେ ହିଜବୁଲରେ ଯୋଗ ଦେଇଥିଲେ । ୧୯୯୨ରେ ହିଜବୁଲ୍ଲା ଗୋଷ୍ଠୀର ତୃତୀୟ ସେକ୍ରେଟେରୀ ଜେନେରାଲ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଇରାକରେ ତାଙ୍କୁ ବିଶେଷ ରୂପରେ ସିଆ ସମ୍ପ୍ରଦାୟରେ ଇସ୍ରାଏଲ ଓ ପାଶ୍ଚାତ୍ୟ ପ୍ରଭାବ ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ ଭାବରେ ବିବେଚନା କରାଯାଉଥିଲା । ଆମେରିକାର ପ୍ରଭାବକୁ ବିରୋଧ କରୁଥିବା ତାଙ୍କର ନୀତି ମଧ୍ୟ ଇରାକୀମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା । ବିଶେଷ କରି ଯେଉଁମାନେ ୨୦୦୩ ପରେ ଇରାକରେ ଆମେରିକାର ଉପସ୍ଥିତିକୁ ବିରୋଧ କରୁଥିଲେ ।

ମଧ୍ୟପ୍ରାଚ୍ୟରେ ଗମ୍ଭୀର ହେଉଛି ଯୁଦ୍ଧ ସ୍ଥିତି । ଇରାନର ମିସାଇଲ୍ ମାଡ଼ ପରେ ପ୍ରତିଶୋଧ ନିଆଁରେ ଇସ୍ରାଏଲ । ଲେବାନନ ରାଜଧାନୀ ବେରୁଟର ୭ଟି ସ୍ଥାନରେ ଜୋରଦାର୍ ହମଲା କରିଛି ଇସ୍ରାଏଲ ସେନା । ଇସ୍ରାଏଲ ବାୟୁସେନା ଦ୍ୱାରା ଏୟାର ଷ୍ଟ୍ରାଇକ ସହ ବୋମାମାଡ଼ କରାଯାଇଛି । ଆକ୍ରମଣରେ କିଛି ଲେବାନନ ସେନା ନିହତ ହୋଇଥିବା ସୂଚନା ମିଳିଛି ।

ବେରୁଟରେ ଅନେକ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ଆକାଶରେ କଳାଧୂଆଁ ଛାଇଯାଇଛି । ହିଜବୋଲ୍ଲା ଓ ଇସ୍ରାଏଲି ସେନା ମଧ୍ୟରେ ଲଢେଇରେ ୮ ଇସ୍ରାଏଲି ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ସୀମାନ୍ତରେ ଲେବାନନର କିଛି ଗାଁ ଉପରେ ଇସ୍ରାଏଲ ସେନାର ଆକ୍ରମଣ ବେଳେ ହିଜବୋଲ୍ଲା ମୁହଁତୋଡ଼ ଯବାବ ଦେଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା ।

ଏହି ଆକ୍ରମଣରେ ଇସ୍ରାଏଲର ୩ଟି ମାର୍କାଭା ଟ୍ୟାଙ୍କକୁ ମଧ୍ୟ ଉଡ଼ାଇ ଦେଇଥିବା ହିଜବୋଲ୍ଲା ଦାବି କରିଛି । ମଧ୍ୟପ୍ରାଚ୍ୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଏହି ଯୁଦ୍ଧ, ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଇଲାଣି । ଏପଟେ ଇରାନ ଉପରେ ନୂଆ କଟକଣା ଲାଗିବା ନେଇ ଆଶଙ୍କା କରାଯାଉଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ G7ର ଜରୁରୀ ବୈଠକ ବସିଛି ।

ଇରାନର ଆକ୍ରମଣକୁ ବୈଠକରେ G7 ରାଷ୍ଟ୍ରସମୂହ କଡ଼ା ନିନ୍ଦା କରିଛନ୍ତି । ଇରାନ ଉପରେ ନୂଆ କଟକଣା ଲଗାଇବାକୁ G7 ରାଷ୍ଟ୍ରସମୂହ ଚିନ୍ତା କରୁଛନ୍ତି । ଅନ୍ୟପଟେ ଇସ୍ରାଏଲକୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି । ଇରାନ ଉପରେ ପରମାଣୁ ଆକ୍ରମଣ କଲେ ସମର୍ଥନ ଦେବୁନାହିଁ ବୋଲି ବାଇଡେନ୍ କହିଛନ୍ତି ।

ସେପଟେ ଇସ୍ରାଏଲରେ ଯୁଦ୍ଧ ପରେ ଭାରତରେ ପଡ଼ିପାରେ ଅନେକ ପ୍ରଭାବ...

(୧) ଷ୍ଟ୍ରକ୍ ମାର୍କେଟ୍ ଉପରେ ପ୍ରଭାବ

ଇସ୍ରାଏଲ୍-ଇରାନ ମଧ୍ୟରେ ଯୁଦ୍ଧ ଘମାଘୋଟର ସିଧା ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପଡ଼ିଛି । ବଢ଼ୁଥବା ସେନସେକ୍ସ ଏବେ ସ୍ଥିର ରହିଛି । କିନ୍ତୁ ଯଦି, ଏଭଳି ପରିସ୍ଥିତିରେ ଲାଗି ରହେ ଷ୍ଟକ୍ ମାର୍କେଟ ଖସିପାରେ । ପୂର୍ବରୁ ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ୩ରୁ ୪ ମାସ ଯାଏଁ ସାରା ବିଶ୍ୱ ଓ ଭାରତ ଉପରେ ମାନ୍ଦାବସ୍ଥା ଦେଖାଦେଇଥିଲା । ତେଣୁ ଅନୁମାନ କରାଯାଉଛି ଏବେ ବି ସେମିତି କିଛି ପରିସ୍ଥିତି ହେଇପାରେ । ଗତ କିଛି ଦିନ ଧରି ବିଦେଶୀ ପୁଞ୍ଜି ନିବେଶ ଭାରତରେ ବଢ଼ିଥିବା ବେଳେ ଯୁଦ୍ଧ ପରିସ୍ଥିତି ଏହା ଉପରେ ପ୍ରଭାବ ପକାଇପାରେ । ତଥାପି ଆଜି ସେୟାର ବଜାର ଖସିଯାଇଥିବା ଦେଖିବାକୁ ମିଳିଛି ।

(୨) ବିଶ୍ୱରେ ଭାରତୀୟ ଅର୍ଥନୀତି

ଯୁଦ୍ଧର ଘମାଘୋଟ ପରିସ୍ଥିତି ଯୋଗୁଁ ଗ୍ଲୋବାଲ୍ ସେୟାର ମାର୍କେଟ ଉପରେ ପଡ଼ିପାରେ । ବିଶ୍ୱର ବିଭିନ୍ନ ଦେଶରେ ଭାରତୀୟ ନିବେଶକ ଓ ଭାରତରେ ବିଦେଶୀ ନିବେଶକ ଯୁଦ୍ଧ ଯୋଗୁଁ ଅର୍ଥ ଫେରାଇ ପାରନ୍ତି । ଫଳରେ ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ସହ ପରୋକ୍ଷରେ ଭାରତ ଉପରେ ବି ପଡ଼ିପାରେ ।

(୩) ସୁନା ଦର ଉପରେ ପ୍ରଭାବ

ସୁନା ଦର ଉପରେ ପ୍ରଭାବ ପଡ଼ିପାରେ । କାରଣ, ଯୁଦ୍ଧ ସ୍ଥିତି ପରେ ଲୋକେ ଅଧିକରୁ ଅଧିକ ଲୋକେ ସୁନା, ରୂପାକୁ ନିବେଶ ପାଇଁ ବିଶ୍ୱସ୍ତ ବାଟ ବାଛନ୍ତି । ଅଧିକ ଲୋକେ ସୁନାକୁ ଗଚ୍ଛିତ ରଖିବାକୁ ବି ଚାହିଁଥାନ୍ତି । ତେଣୁ ଦର ବଢ଼ିବା ଆଶଙ୍କା ରହିଛି । ଏବର୍ଷ ବିଭିନ୍ନ କାରଣ ପାଇଁ ସୁନା ଦରରେ ଅହେତୁକ ବୃଦ୍ଧି ଘଟିଛି ।

(୪) ତୈଳ ଦର ଉପରେ ପ୍ରଭାବ

ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି । ଇରାନ ବିଶ୍ୱର ସବୁଠୁ ଅଧିକ ତୈଳ ଉତ୍ପାଦନ କରୁଛି । ଇସ୍ରାଏଲ୍ ସହ ଯୁଦ୍ଧ ପରେ ଏବେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୭୫ ଡଲାରରେ ପହଞ୍ଚିଛି । ଫଳରେ ବିଶ୍ୱର ବିଭିନ୍ନ ଦେଶରେ ତୈଳ ଦର ବଢ଼ିବା ଆଶଙ୍କା ରହିଛି । ଭାରତ ଏବେ ତୈଳ ପାଇଁ ମିଡିଲ୍ ଇଷ୍ଟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନୁହେଁ । ତଥାପି ନିବେଶକଙ୍କ ଦୃଷ୍ଟିରୁ ଇରାନ ବେଶ୍ ଗୁରୁତ୍ୱବହନ କରୁଛି ।

(୫) ଶକ୍ତି ଶିଳ୍ପ ଉପରେ ପ୍ରଭାବ

ଯଦି ଏମିତି ଯୁଦ୍ଧ ଲାଗି ରହେ ତାହେଲେ ଭାରତୀୟ ଏନର୍ଜି ଇଣ୍ଡଷ୍ଟ୍ରି ଉପରେ ଏହାର ବି ପ୍ରଭାବ ଦେଖାଦେଇପାରେ । ଭାରତରେ ଥିବା ଶକ୍ତି ଶିଳ୍ପ ପାଇଁ ଋଷ ଓ ୟୁରୋପୀୟ ଦେଶରୁ ସାମଗ୍ରୀ ଆସିଥାଏ । ତେବେ ରେଡ୍ ସି ରୁଟ୍ ଦେଇ ଏସବୁକୁ ଭାରତକୁ ଅଣାଯାଏ । ଯଦି ଲମ୍ବା ସମୟ ଧରି ଯୁଦ୍ଧ ଲାଗି ରହେ ତାହେଲେ ‘ରେଡ୍ ସି’ ରୁଟ୍ ବନ୍ଦ ହେବ । ସମୁଦ୍ର ଭିତରେ ଟ୍ରାଫିକ୍ ଜାମ୍ ହେଲେ କୋଟି କୋଟି ଟଙ୍କା କ୍ଷତି ସହିବ ଭାରତ । ଋଷରୁ ତେଲ ବି ଏହି ରୁଟ୍ ରେ ଆସେ ।

(୬) ଇସ୍ରାଏଲ୍-ଇରାନ ସହ ଭାରତର ସମ୍ପର୍କ

ଭାରତର ଘନିଷ୍ଠ ମିତ୍ର ହେଉଛି ଇସ୍ରାଏଲ୍ । ସାମରିକ, ଶକ୍ତି, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନେହୁ ମଧ୍ୟ ପରସ୍ପର ମଧ୍ୟରେ ଉତ୍ତମ ବନ୍ଧୁ । ଅନ୍ୟପକ୍ଷେ, ଇରାନ ସହ ଭାରତର ବହୁ ପୁରୁଣା ଓ ନିବିଡ଼ତା ରହିଛି । ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଭିତରେ ଭାରତ କାହାକୁ ସମର୍ଥନ ଜଣାଇବ ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ପୂରା ଘଟଣାକୁ ନେଇ ଭାରତ ଏବେ ଗୁରୁତ୍ୱର ସହ ଅନୁଧ୍ୟାନ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now