• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କଙ୍କୁ ହତ୍ୟା ଲାଗି ରହିଛି କି ପୁତିନଙ୍କ ଯୋଜନା ? କିଭରେ ଋଷ ସପକ୍ଷବାଦୀ ସରକାର ଗଠନ ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କି ରାଷ୍ଟ୍ରପତି ? ଯୁଦ୍ଧ ହେଉ କି ଆଲୋଚନା, ଯେକୌଣସି ମତେ ୟୁକ୍ରେନରେ ଲକ୍ଷ୍ୟ ହାସଲ କରିବେ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଘୋଷଣା ପରେ ଉଠିଛି ଏମିତି ପ୍ରଶ୍ନ । କାରଣ ୟୁକ୍ରେନକୁ ନିରସ୍ତ୍ର କରିବା ସହ ସେଠାରେ ମସ୍କୋକୁ ସମର୍ଥନ କରୁଥିବା ସରକାର ପ୍ରତିଷ୍ଠା ହେବା ଦ୍ୱାରା ହିଁ ପୁତିନ ଶାନ୍ତିରେ ନିଶ୍ୱାସ ମାରିବେ । ତାସହିତ ୟୁକ୍ରେନ ଯେଭଳି କେବେବି ନାଟୋ ଓ ୟୁରୋପୀୟ ସଂଘରେ ସାମିଲ ହେବାର ସ୍ୱପ୍ନ ଦେଖିବନି ତାହା ବି ସେ ସୁନିଶ୍ଚିତ କରିବେ ।

ତେବେ ପୁତିନଙ୍କ ଯୋଜନାକୁ ପଣ୍ଡ ଲାଗି ଆମେରିକାର ରହିଛି କାଉଣ୍ଟର ଷ୍ଟ୍ରାଟେଜି । ଋଷିଆ ଯଦି ବି ଜେଲେନସ୍କିଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ମଧ୍ୟ କିଭରେ ସରକାରର ପତନ ହେବନି ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ସଚିବ । ଦିନକ ତଳେ ସେ ୟୁକ୍ରେନ ଯାଇଥିଲେ ଏବଂ ସମ୍ଭାବ୍ୟ ସ୍ଥିତି ନେଇ ବୈଦେଶିକ ମନ୍ତ୍ରୀ ଦିମିଟ୍ରୋ କୁଲେବାଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ଜଣାଇଛନ୍ତି । ଜେଲେନେସ୍କିଙ୍କ ପରେ ସରକାର ବଜାୟ ରଖିବା ଲାଗି ବିକଳ୍ପ ଯୋଜନା ପ୍ରସ୍ତୁତ ଥିବା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରତିରକ୍ଷା ସଚିବ । ସେହିପରି ସାହସ ଓ ବୀରତା ପାଇଁ ସେ ୟୁକ୍ରେନ ରାଷ୍ଟ୍ରୁପତିଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି ।

ଫେବ୍ରୁଆରୀ ୨୨ରେ ୟୁକ୍ରେନ ବିରୋଧରେ ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ହେଲାଣି ୩ ଥର ଉଦ୍ୟମ । ଜେଲେନେସ୍କିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଛି । ଚେଚେନ୍ ବିଦ୍ରୋହୀ ଓ ଓ୍ୱାଗନର ଗୋଷ୍ଠୀ ପକ୍ଷରୁ ଏହି ହତ୍ୟା ଉଦ୍ୟମ କରାଯାଉଛି । ତେବେ ୟୁକ୍ରେନ ଗୁଇନ୍ଦା ସଂସ୍ଥାର ତତ୍ପରତା କାରଣରୁ ଜେଲେନେସ୍କିଙ୍କ ଜୀବନ ବଞ୍ଚିଯାଇଛି । ମାତ୍ର ଋଷ ଗୁଇନ୍ଦା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସର କିଛି ଅଫିସରଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ଜେଲେନସ୍କି ଏର୍ଯ୍ୟନ୍ତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା କୁହାଯାଉଛି । ଏପଟେ ଜୀବନ ପ୍ରତି ଘୋର ବିପଦସତ୍ତ୍ୱେ କିଭରେ ରହି ଦେଶବାସୀ ଓ ସୈନ୍ୟବାହିନୀର ଉତ୍ସାହ ବଢାଉଛନ୍ତି ଜେଲେନସ୍କି । ତାଙ୍କ ଦେଶବାସୀଙ୍କୁ ଯିଏ ବି ଉତ୍ପୀଡିତ କରିଛି ତାକୁ ଉଚିତ୍ ଶାସ୍ତି ଦିଆଯିବ ବୋଲି ସେ ପୁତିନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି । ୟୁକ୍ରେନବାସୀ ନିର୍ଯାତନାକୁ ଭୁଲିବେ ନାହିଁ କି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି ।

ୟୁରୋପୀୟ ସଂଘ ସିଧାସଳଖ ଯୁଦ୍ଧରେ ସାମିଲ ହୋଇନଥିଲେ ମଧ୍ୟ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଫଳରେ ୟୁକ୍ରେନ ଋଷକୁ ଜବରଦସ୍ତ ଚ୍ୟାଲେଞ୍ଚ ଦେବାରେ ସକ୍ଷମ ହୋଇଛି । ଯୁଦ୍ଧ ୧୩ ଦିନରେ ପହଞ୍ଚି ସାରିଥିବା ନିକଟ ଭବିଷ୍ୟତରେ ଶେଷ ହେବାର ଆଶା ଦେଖାଯାଉନି ଅର୍ଥାତ୍ ଯୁଦ୍ଧ ଯେତେ ଲମ୍ବିବ ଅଧିକରୁ ଅଧିକ ଧନଜୀବନ ହାନୀ ହେବ । ତେଣେ ଯୁଦ୍ଧ ଦ୍ୱାରା ବିସ୍ଥାପିତ ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକଙ୍କ ଦୁର୍ଦ୍ଦଶା ଆହୁରି ବଢିବ ।