• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଓ ଆମେରିକାର ସଂପର୍କ ଅଦ୍ୱିତୀୟ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମର ବାଣିଜ୍ୟ ଓ ନିବେଶ ସଂପର୍କରେ ବୃଦ୍ଧି ଘଟିଛି । ତେବେ ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଏଥିରେ ଆହୁରି ଠୋସ୍ ଅଗ୍ରଗତି ଦେଖିବାକୁ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି । ଟୋକିଓରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରତିରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ଅନ୍ୟପଟେ ଏହି ଅବସରରେ ବାଇଡେନ୍ କହିଛନ୍ତି, ଆମେରିକା-ଭାରତ ସହଭାଗିତାକୁ ମୁଁ ପୃଥିବୀର ସବୁ ସହଭାଗିତାଠୁ ନିକଟତମ ଓ ଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ । ରୁଷ-ୟୁକ୍ରେନ୍ ଯୁଦ୍ଧର କୁପ୍ରଭାବର ପ୍ରଶମନ ପାଇଁ ଭାରତ-ଆମେରିକା ପରସ୍ପର ସହ ପରାମର୍ଶ ଆଦାନ ପ୍ରଦାନ ଜାରି ରଖିବ ବୋଲି ବାଇଡେନ୍ ସୂଚନା ଦେଇଛନ୍ତି ।

ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବୈଠକ କରିବା ସହ ଦେଶର ତିନି ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବି ଗତକାଲି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ସିଞ୍ଜୋ ଆବେ ଏବଂ ୟୋଶିରୋ ମୋରିଙ୍କ ସହ ମୋଦିଙ୍କ ସାକ୍ଷାତ ହୋଇଛି ।

୧୯୦୩ ମସିହାରେ ପ୍ରତିଷ୍ଠିତ ଜାପାନ-ଇଣ୍ଡିଆ ଆସୋସିଆଏସନରେ ବର୍ତ୍ତମାନର ଅଧ୍ୟକ୍ଷ ୟୋଶିରୋ ମୋରି ଥିବା ବେଳେ, ଖୁବଶୀଘ୍ର ସିଞ୍ଜୋ ଆବେ ଏହି ପଦ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଉଭୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ଏଥିସହ ୟୋଶିହିଦେ ସୁଗା ଜାପାନ ସାଂସଦଙ୍କ ଗଣେଶ ଗ୍ରୁପର ସଦସ୍ୟ ହୋଇଥିବାରୁ ତାଙ୍କୁ ଏଥିପାଇଁ ପ୍ରଶଂସା କରିବା ସହ ଏହି ଗ୍ରୁଗର ସମସ୍ତ ସାଂସଦଙ୍କୁ ଚଳିତ ବର୍ଷ ଗଣେଶ ଉତ୍ସବ ବେଳେ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଗତକାଲି ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀଙ୍କୁ ମଧ୍ୟ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନାଯୋଗ୍ୟ କ୍ୱାଡ୍ ବୈଠକ ତୁରନ୍ତ ପରେ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଜାପାନର ୩ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବି ଭେଟିଛନ୍ତି ।