• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଳମଳ ରାଜପକ୍ସା ଆସନ । ଏଣେ ଲୋକମାନେ ଆନ୍ଦୋଳନକୁ ଦିନ ପରେ ଦିନ ଅଧିକରୁ ଅଧିକ ତୀବ୍ର କରୁଥିବା ବେଳେ ବିରୋଧୀ ବି ସରକାରକୁ କ୍ଷମତାରୁ ହଟାଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଅତି କମରେ ୪୧ ସାଂସଦ ନିଜ ସମର୍ଥନ ପ୍ରତ୍ୟାହାର କରିବା ପରେ ଶ୍ରୀଲଙ୍କା ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି ଶାସକ ମେଣ୍ଟ ସରକାର । ସେପଟେ ବିରୋଧୀ ଦଳ ନେତା ଦାବି କରିଛନ୍ତି ଦେଶର ରାଷ୍ଟ୍ରପତିଙ୍କ ହାତରୁ କ୍ଷମତା ଛଡ଼ାଇ ଆଣି ସଂସଦକୁ ଦିଆଯାଉ ।

ରାଜରାସ୍ତାରେ ଆନ୍ଦୋଳନ... ସଂସଦ ବାହାରେ ଆନ୍ଦୋଳନ... ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ । ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ । ହାତ ଛାଡ଼ିଛନ୍ତି ୪୦ରୁ ଅଧିକ ସାଂସଦ । ସଂକଟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାଙ୍କ ଆସନ । ଅତି କମରେ ୪୧ ସାଂସଦ ନିଜ ସମର୍ଥନ ପ୍ରତ୍ୟାହାର କରିବା ପରେ ଶ୍ରୀଲଙ୍କା ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି ଶାସକ ମେଣ୍ଟ ସରକାର । ତେବେ ଏହା ସତ୍ତ୍ୱେ ସେ ଇସ୍ତଫା ଦେବେନି ବୋଲି ଜିଦ୍ ଧରି ବସିଛନ୍ତି ରାଷ୍ଟ୍ରପତି ଗୋଟାବାୟା ।

ଯେଉଁ ଦଳ ୧୧୩ଟି ସିଟ୍ ସହ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବ ତାକୁ ସରକାର ହସ୍ତାନ୍ତର କରିବାକୁ ମୁଁ ପ୍ରସ୍ତୁତ । କିନ୍ତୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି ଗୋଟାବାୟା କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାଙ୍କ ବାସଭବନ ଆଗରେ ଗତକାଲି ଆନ୍ଦୋଳନକାରୀ ମାନେ ଥାଳି ବଜାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ତାଙ୍କର ଇସ୍ତଫା ଦାବିରେ ହେଉଥିବା ଏହି ବିକ୍ଷୋଭ ଉଗ୍ର ହେବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।

ଦେଶରୁ ଏକଜିକ୍ୟୁଟିଭ୍ ପ୍ରେସିଡେନ୍ସିଆଲ୍ ସିଷ୍ଟମ୍ ବା ରାଷ୍ଟ୍ରପତି ଢାଞ୍ଚା ଶାସନ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରେମଦାସା । ୨୦ ବର୍ଷ ହେଲା ନେତା ମାନେ ଏହି ବ୍ୟବସ୍ଥା ଉଚ୍ଛେଦ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଏହାକୁ ଆହୁରି ଶକ୍ତିଶାଳୀ କରିଚାଲିଛନ୍ତି ଶ୍ରୀଲଙ୍କାରେ । ସର୍ବଶକ୍ତିମାନ ରାଷ୍ଟ୍ରପତି ଢାଞ୍ଚା ଉଚ୍ଛେଦ ହୋଇ ସଂସଦ ସଶକ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି ।

ଗତକାଲି ବିରୋଧୀ ଦଳଙ୍କୁ ସରକାରରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଦେଇଥିବା ପ୍ରସ୍ତାବକୁ ସେମାନେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ତେଣେ ନିଯୁକ୍ତିର ୨୪ ଘଣ୍ଟା ନପୁରୁଣୁ ଶ୍ରୀଲଙ୍କାର ନୂଆ ଅର୍ଥମନ୍ତ୍ରୀ ଅଲି ସାବ୍ରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦର ଉପବାଚସ୍ପତି ରଞ୍ଜିତ ସିୟାମ୍ବାଲାପିଟିଆ ମଧ୍ୟ ପଦ ଛାଡ଼ିଥିବା ସୂଚନା ମିଳିଛି । ସେପଟେ ନରେଓ୍ୱ ଓ ଇରାକ୍ ରାଜଧାନୀରେ ଥିବା ନିଜ ଦୂତାବାସ ଏବଂ ଅଷ୍ଟ୍ରେଲିଆ ସିଡନିରେ ଥିବା ବାଣିଜ୍ୟିକ ଦୂତାବାସକୁ ସାମୟିକ ଭାବେ ବନ୍ଦ କରିଦେଇଛି ଶ୍ରୀଲଙ୍କା ।