• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକୁ ପିଉଥିବା ଚାରୁ କିଛି କପ୍ କମାଇ ଦିଅ । ପାକିସ୍ତାନୀ ଜନତାଙ୍କୁ ମନ୍ତ୍ରୀ ଏହସାନ୍ ଇକବଲଙ୍କ ଏହି ଅପିଲକୁ ନେଇ ଜୋରଦାର ଚର୍ଚ୍ଚା । ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଖାଲି ହେବାକୁ ବସିଥିବା ବେଳେ ଚା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଲାଗି ଅର୍ଥ ନାହିଁ । ତେଣୁ ଚା ବାବଦକୁ ଖର୍ଚ୍ଚ ବୈଦେଶିକ ମୁଦ୍ରା ହ୍ରାସ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଥିଲେ ମନ୍ତ୍ରୀ ଇକବାଲ । ତେବେ ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ଏମିତିକି ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ଦାବି ଟ୍ରେଣ୍ଡିଂରେ ଅଛି ।

ପାକିସ୍ତାନରେ ଚା କପରେ ଝଡ଼ । ଦେବାଳିଆ ହୋଇପଡିଛି ଅର୍ଥନୀତି । ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଦରଦାମ୍ ବି ଆକାଶଛୁଆଁ । ଅଟା, ଚାଉଳ, କିରାସିନିଠୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଘୋର ଅଭାବ । ତେଣେ ବୈଦେଶିକ ଋଣର କିସ୍ତି ସୁଝି ନପାରି ଡିଫଲ୍ଟର ହେବାକୁ ଯାଉଛି ଶାହାବାଜ୍ ସରିଫ୍ ସରକାର । ସ୍ଥିତି ଏତେ ସଂଗୀନ ଯେ, ଆମଦାନୀ କମାଇବାକୁ ଚାଲିଛି ଉଦ୍ୟମ । ଏହି ପରୀପ୍ରେକ୍ଷୀରେ ଜଣେ ବରିଷ୍ଠ ମନ୍ତ୍ରୀ ଏହସାନ୍ ଇକବାଲ୍ ଦିନକୁ କିଛି କପ୍ ଚା କମ୍ ପିଇବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ପାକିସ୍ତାନ ବାର୍ଷିକ ୪ଶହ ମିଲିୟନ ଡଲାର ମୂଲ୍ୟର ଚା ଆମଦାନୀ କରୁଥିବା ବେଳେ ଆର୍ଥିକ ଦୁରବସ୍ଥା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷଠାରୁ ୬୦ ମିଲିୟନ ଡଲାର ମୂଲ୍ୟର ଅଧିକ ଚା ଆମଦାନୀ କରିଛି । ତେବେ ମନ୍ତ୍ରୀଙ୍କ ଏଭଳି ବୟାନ ପାକିସ୍ତାନବାସୀଙ୍କ ହଜମ ହୋଇନି । ଦିନକୁ ଅତି କମରେ ୩ କପ୍ ଚା ପିଉଥିବା ପାକିସ୍ତାନବାସୀ ମନ୍ତ୍ରୀଙ୍କ ପରାମର୍ଶରେ କ୍ଷୁବ୍ଧ ହୋଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଜବରଦସ୍ତ ଢଙ୍ଗରେ ଟ୍ରୋଲ କରାଯାଉଛି ।

ମନ୍ତ୍ରୀ ଇକବାଲଙ୍କ ଏହି ଯୁଗାନ୍ତକାରୀ ଆଇଡିଆ ସମୟ ଠାରୁ ୫ଶହ ବର୍ଷ ଆଗରେ ବୋଲି କଟାକ୍ଷ କରିଛନ୍ତି ଜଣେ ଟୁଇଟର୍ ୟୁଜର୍ ଅନୌସେ ଅସରଫ । ଆଉ ଜଣେ କହିଛନ୍ତି ଏବେ ଚା କଥା କହିଛ, ଆଗକୁ ଫାଳେ ରୁଟି କମ୍ କରିଦେବାକୁ କହିବ । ଏଭଳି ଅର୍ଥଶୂନ୍ୟ ବୟାନ ଦେଇଥିବାରୁ ମନ୍ତ୍ରୀ ଇକବାଲଙ୍କ ଇସ୍ତଫା ଦାବିରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଛି ।