• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି । ଇମ୍ରାନ ଖାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରାଯିବାକୁ ଦାବି କରି ଇମ୍ରାନଙ୍କ ସମର୍ଥକମାନେ କରାଚିରୁ ଲାହୋର ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଆଉ ଏକ ଏକ ରାଲିରେ ‘ଚୌକିଦାର ଚୋର ହେ' ର ସ୍ଲୋଗାନ ଦିଆଯାଉଛି ।

ଗତକାଲି ତଥା ରବିବାର ଦିନ ମଧ୍ୟ ‘ପାକିସ୍ତାନ ତେହରିକ୍‌-ଏ-ଇନସାଫ୍‌’ର (ପିଟିଆଇ) ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ କରି ରାଲି ପ୍ରଦର୍ଶନ କରିଥିଲେ । ଏଥିରେ ପାର୍ଟିର ଜଣେ ବରିଷ୍ଠ ନେତା ଶେଖ ରସିଦ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ ‘ଚୌକିଦାର ଚୋର ହେ' ସ୍ଲୋଗାନ ଦିଆଯାଇଥିଲା । ଏହି ସ୍ଲୋଗାନ ପାକ୍ ସେନାକୁ ଇଙ୍ଗିତ କରି ଦିଆଯାଇଥିଲା । ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଦବୀରୁ ହଟାଇବା ପଛରେ ପାକିସ୍ତାନର ସେନା ତଥା ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ହାତ ଥିବା କୁହାଯାଉଛି । ତେବେ ରାଲିରେ ଶେଖ ରସିଦ ଜନସାଧାରଣଙ୍କୁ ଏପରି ସ୍ଲୋଗାନ ନଦେବାକୁ ନିବେଦନ କରିଥିଲେ, ଯାହା ପରେ ଜନସାଧାରଣ ଶାନ୍ତ ପଡ଼ିଥିଲେ।

ପାକିସ୍ତାନରେ ଜନତାଙ୍କ ଏକ ବଡ଼ ଭାଗ ଇମ୍ରାନ ଖାନଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଇମ୍ରାନଙ୍କ ସମର୍ଥନରେ ପାକିସ୍ତାନର ବିଭିନ୍ନ ସହରରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରଦର୍ଶନ ଚାଲିଛି। ବର୍ତ୍ତମାନ ଇସଲାମାବାଦ, କରାଚି, ପେଶୱାର, ମାଲାକାଣ୍ଡ, ମୁଲତାନ, ଖାଇବର, ୱାଙ୍ଗ ଏବଂ କ୍ୱେଟାରେ ବିରୋଧୀଙ୍କ ବିରୋଧରେ ସ୍ଲୋଗାନ ଦିଆଯାଉଛି।

ସେପଟେ ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକପ୍ରକାର ସ୍ପଷ୍ଟ । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍ । PML-N ଅଧ୍ୟକ୍ଷ ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଶାହ୍ ମହମ୍ମଦ କୁରେସି ।