/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662712959.jpg)
Neet Qualifier
ଇଚ୍ଛା ଥିଲେ ସବୁ କିଛି ସମ୍ଭବ । ଆସାଧ୍ୟ କାର୍ଯ୍ୟ ବି ହୋଇପାରିବ ସହଜ । ଆଜିର କାହାଣୀରେ ଇଚ୍ଛା ଆଗରେ ହାର ମାନିଛି ଅଭାବ ଅନଟନ ଏବଂ ଆର୍ଥିକ ପ୍ରତିବନ୍ଧକ । ପରିଶ୍ରମର ଫଳ ପାଇଛନ୍ତି ପରିବା ବ୍ୟବସାୟୀଙ୍କ ଝିଅ । ନିଟ୍ ପରୀକ୍ଷାରେ ୭୨୦ ନମ୍ବରରୁ ୬୨୨ ନମ୍ବର ରଖି କୃତିତ୍ୱ ହାସଲ କରିବା ସହ ପୂରା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।
ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ସେଇଥିପାଇଁ ତ ରାତିଦିନ ଏକ କରି ସବୁବେଳେ ପଢୁଥିଲେ ପାଠ । ଇଚ୍ଛାଥିଲା ବାପାଙ୍କ ଦୁଃଖ ଦୂର କରିବେ । ଆଉ ଆଜି ସେଇୟା ହିଁ ହେଲା । କାରଣ ଗାଁ ଛକ ଉପରେ ଖରା ତରାରେ ବସି ବାପା ପରିବା ବିକି ବିକି ପରିବାର ଚଳାଇବାର କଷ୍ଟ ବେଶ୍ ଭଲରେ ବୁଝିପାରିଥିଲା ଝିଅ ।
ଦୁଇ ଦୁଇଟି ଝିଅଙ୍କୁ ଆଜିକା ଦିନରେ ମଣିଷ କରିବା ଯେ କେତେ କଷ୍ଟ ତାହା ଆମେ ସମସ୍ତେ ଜାଣନ୍ତି । ତେଣୁ କୃଷ୍ଣଚନ୍ଦ୍ର, ଦୁଇ ଝିଅଙ୍କୁ ମଣିଷ କରିବା ପାଇଁ ଦିନରାତି ଏକ କରି ପରିଶ୍ରମ କରୁଥିଲେ । ମୁଣ୍ଡ ଝାଳ ତୁଣ୍ଡରେ ମାରି କରୁଥିଲେ ରୋଜଗାର । ଆଉ ଆଜି ଝିଅ ଯେତେବେଳେ ନିଟ୍ ପରୀକ୍ଷାରେ ପାସ୍ କରିଛି ବାପାଙ୍କ ଖୁସି କହିଲେ ନସରେ ।
ଏମିତିକି ଝିଅ କ୍ୱାଲିଫାଏ ଖବର ଶୁଣିବା ପରେ ବାପାଙ୍କ ଆଖିରେ ଝରି ଆସିଥିଲା ଖୁସିର ଲୁହ । ଜଣେ ପରିବା ବ୍ୟବସାୟୀଙ୍କ ଝିଅର ସଫଳତା ଏବେ କେବଳ ଅଡ଼ବା ଅଂଚଳ ନୁହେଁ ବରଂ ମୋହନା ବ୍ଲକ ସମେତ ଗଜପତି ଜିଲ୍ଲା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ । ଝିଅ ଆଗକୁ ଯାଇ ଅନେକ ସଫଳତା ପାଉ ବୋଲି ପରିବାର ଲୋକ ଆଶା ରଖିଛନ୍ତି ।
(ରିପୋର୍ଟ- ମିହିର ଜତି, ମୋହନା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)