• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଙ୍ଗା ଦଦରା ଘର, ମାଟି କାନ୍ଥରୁ ମାଟି ଖସିପଡ଼ିଲାଣି । ୪ ହାତିଆ ଦୁଆର ମୁହଁରେ ଗଳିକି ଗଲେ ଗୋଟିଏ ବଖରା ଘର । ଘର ଭିତରକୁ ପଶିଗଲେ ଦୃଶ୍ୟ ହିଁ ବୟାନ କରିଦେବ ସେମାନେ କେତେ କଷ୍ଟରେ ରହୁଛନ୍ତି ? ଯେଉଁଠି ମଣିଷ ରହୁଛି, ସେଇଠି ଛେଳି ଶୋଉଛି । ପୁଣି ସେଇ ଘରେ ରୋଷେଇ ହେଉଛି । ଘର ଭିତରେ କଳା
ଧୂଆଁ ଏତେ ମାତ୍ରାରେ ଭରି ହେଉଛି ଯେ ଘଡ଼ିଏ ଛିଡା ହେବା ବି କଷ୍ଟକର । ହେଲେ ତାହାରି ଭିତରେ ସିମେଣ୍ଟ ଜରି ବାନ୍ଧି ଘରେ ରହୁଛନ୍ତି ଗୋଟିଏ ପରିବାର ।

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ୍ ଜୋତ ଗାଁର ବିକ୍ରମ ବାରିକଙ୍କ ଘର । କବାଟ ଝରକା ନଥିବା ବଖରାଏ ଘର ଭିତରେ ଖାଇବା,ଶୋଇବା,ରୋଷେଇ ଠାରୁ ଆରମ୍ଭ କରି ସବୁ ସେଇଠି ହୁଏ । ଗୋଟିଏ ଘରେ ପରିବାର ଚଳେଇବା ବଡ଼ କଷ୍ଟକର ହୋଇ ପଡିଥିବା ବେଳେ ଅଧିକାଂଶ ସମୟରେ ପିଲାମାନେ ମାମୁଁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଘରର ଅବସ୍ଥା ଏତେ ଖରାପ ଯେ ଝଡ଼ ପବନ ଆସିଲେ ପଡୋଶୀଙ୍କ ଘରେ ଆଶ୍ରୟ ନେବାକୁ ଧାଆଁନ୍ତି ବିକ୍ରମ ଓ ତାଙ୍କ ସ୍ତ୍ରୀ ।

ଅଧିକ ପଢ଼ନ୍ତୁ: ‘ଜାଗା ମିଶନ’ରେ ମିଳୁନି ଜାଗା; ଛପର ଘରକୁ ପଲିଥିନ ସାହା

୧୯୯୯ ମହାବାତ୍ୟା ପରେ ଘର ଖଣ୍ଡେ କରିବାକୁ ବିକ୍ରମଙ୍କୁ ୫ ହଜାର ଟଙ୍କା ମିଳିଥିଲା । ହେଲେ ସେତେବେଳେ ଆର୍ଥିକସ୍ଥିତି ଭଲ ନଥିବାରୁ ଘରଟିଏ କରିପାରିଲେନି ବିକ୍ରମ । ହେଲେ ଏବେ ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଗୁହାରି କରୁଥିଲେ ବି ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ ।

ବିକ୍ରମଙ୍କ ଅବସ୍ଥା ଯିଏ ଦେଖୁଛି ସିଏ ଆଖିରୁ ଲୁହ ଝରାଉଛି । ହେଲେ ପ୍ରଶାସନ ନିଦାବିଷ୍ଣୁ ହୋଇ ବସିରହିଛି । ତେଣୁ ତୁରନ୍ତ ତାଙ୍କୁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସରପଂଚ କହୁଛନ୍ତି, ପୂର୍ବରୁ ତାଙ୍କୁ ଘର ମିଳିଥିଲା ହେଲେ ସେ କରିନଥିଲେ । ଏବେ ଘର ଆସିଲେ ତାଙ୍କୁ ଦିଆଯିବ । ଏପଟେ ବିଡିଓ କହୁଛନ୍ତି, ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସେ ଘର ପାଇବା ଲାଗି ଯୋଗ୍ୟ । ନୂଆ ତାଲିକା ଆସିଲେ ତାଙ୍କୁ ଘର ଯୋଗାଇ ଦିଆଯିବ ।

ଗରିବ ଲୋକଙ୍କୁ ଘର ଦେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ମାଳମାଳ ଯୋଜନା ରହିଛି । ହେଲେ ପ୍ରକୃତ ହିତାଧିକାରୀ ଘର ପାଉନାହାନ୍ତି ତାହା ଏହି ଘଟଣାରୁ ଜଳଜଳ ହୋଇ ଦିଶୁଛି।

  • Reported by:
  • Sashank Sekhar Panda