ଜନ୍ମରୁ ହାତର ପାପୁଲି ନାହିଁ । ତଥାପି ସେ କର୍ମଠ ଓ ଧୂରନ୍ଧର । ନିଜ କଥା ନିଜେ ବୁଝିବା ସହ ଘର ଚଳାଇବା ପାଇଁ କରୁଛନ୍ତି ଦୈନନ୍ଦିନ ସଂଘର୍ଷ । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଧରାକୋଟ ବ୍ଲକ୍ ବଳରାମପୁର ପଞ୍ଚାୟତର ଆଲିଗୁଡା ଗ୍ରାମର ଗୋପାଳ ନାୟକଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଆଦିଙ୍କ ଉପରେ ବଡ ଦାୟିତ୍ୱ ଛାଡ଼ିଗଲେ । ଭିନ୍ନକ୍ଷମ ହେଲେ ବି ଆଦି ଘର ଚଳାଇବାକୁ ସଂଘର୍ଷ ଜାରି ରଖିଛନ୍ତି । ବାପାଙ୍କ ଦେହାନ୍ତ ପରେ ଆଦି ନାୟକ ବିଧବା ମାଆଙ୍କ ସହ ସାନ ଭାଇ ଭଉଣୀକୁ ନେଇ ତାଙ୍କ ପରିବାର । ଜନ୍ମ ବେଳକୁ ହାତର ପାପୁଲି ନଥିଲା । ବାପା ଥିବା ଯାଏଁ ଆଦି ଭିନ୍ନକ୍ଷମ ଥିଲେ କିନ୍ତୁ ବାପାଙ୍କ ମୃତ୍ୟୁପରେ ସେ ନିଜ ପରିବାରର ବୋଝ ନିଜ ମୁଣ୍ଡକୁ ନେଇଛନ୍ତି ।
ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦୀ ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ ପରିସ୍ଥିତିକୁ ଦୋଷ ନଦେଇ କଠିନରୁ କଠିନ ପରିଶ୍ରମ କରିବା ଜାରି ରଖିଛନ୍ତି । ଯାହାକୁ କେହି ନଦେଖିଲେ ବିଶ୍ୱାସ କରିପାରିବେନି । ପୁଅର ଦୁଃଖ ଦେଖିପାରୁନଥିଲେ ମଧ୍ୟ ଛାତିକୁ ପଥର କରିଦେଇଛି ଅସହାୟ ମାଆ ।
Also Read
ଆଖିରେ ଦେଖୁଛି ଭିନ୍ନକ୍ଷମ ପୁଅର କଷ୍ଟକୁ । ପରିବାରର ପେଟ ଭରିବା ପାଇଁ କୋଡ଼ି କୋଦାଳ ଧରି ପରିଶ୍ରମ କରିବାକୁ ଯାଉଛନ୍ତି ଆଦି । ମାଆ ମନ ଓ ପ୍ରାଣ କାନ୍ଦୁଥିଲେ ମଧ୍ୟ ସେ ଆଜି କଠୋର ହୋଇଛି । ଦୁଃଖର ସହ ସରକାରଙ୍କୁ ନିବେଦନ କରିଛି ଜଣେ ଅସହାୟ ବିଧବା ମାଆ । ମାଆ ରେବତୀ ନାୟକ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ସହ ପୁଅକୁ ସରକାରୀ ଯୋଜନାରେ ଅର୍ଥଦେଇ ରୋଜଗାରର ପନ୍ଥା ଦେବା ପାଇଁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବବିଙ୍କୁ ନବୀନଙ୍କ ଡବଲ ଝଟକା; ଯାଜପୁରରୁ ବବି ବିଦା !
ଆଖ ପାଖର ଗ୍ରାମବାସୀ ଏବଂ ସମବୟସ୍କ ଲୋକଙ୍କ ସହ କାମ କରିବାକୁ ଯାଇଥାନ୍ତି ଆଦି । ଭିନ୍ନକ୍ଷମ ହେଲେ ବି କ'ଣ ହେଲା ଜଣେ ସୁସ୍ଥ ମଣିଷଙ୍କ ପରି ଆଦି ସବୁ କାମ ସୁରୁଖୁରୁରେ କରିପାରନ୍ତି । ସେ ଜଣେ ସୁସ୍ଥ ବ୍ୟକ୍ତି ଭଳି ବିଲ କାମ , ଗାଈ ଚରାଇବା ଭଳି କାମ କରନ୍ତି । ଖାଲି ଏତିକି ନୁହେଁ ସାଇକେଲ ଚଢ଼ି ଦୂର ଦୂରାନ୍ତକୁ ଯାଇ ଘରର କାମ ମଧ୍ୟ କରନ୍ତି । ଆଦିଙ୍କ ଏମିତି କାର୍ଯ୍ୟ ପାଇଁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି ସମସ୍ତେ । ସେଥିପାଇଁ ଏହି ପରିବାରକୁ ସରକାର ସହାୟତାର ହାତ ବଢ଼ାନ୍ତୁ ବୋଲି ଗାଁ ଲୋକେ ମଧ୍ୟ ନିବେଦନ କରିଛନ୍ତି ।