• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରେଣୀ ଗୃହରେ ପାଠ ପଢ଼ାଉଛନ୍ତି ଜଣେ ସାର୍‌ । ୯ ଶୋହକ କେତେ ବୋଲି ପିଲାଙ୍କୁ ପଚାରୁଛନ୍ତି । ଅର୍ଥାତ୍‌ ପିଲାଙ୍କୁ ସେ ଗଣିତ ପଢାଉଛନ୍ତି । ଆଉ ସାର୍‌ଙ୍କ ପଢାକୁ ବି ବେଶ୍‌ ଭଲରେ ଗ୍ରହଣ କରୁଛନ୍ତି ପିଲା । କେମିତି ପିଲାମାନେ ସହଜରେ ଗଣିତ ପଢିବେ ସେଇ ଅନୁସାରେ କ୍ଲାସ୍‌ ରୁମରେ ଚାଲିଛି ପାଠ ପଢା । ତେବେ ସବୁଠୁ ବଡ଼ କଥା ହେଲା ଯେଉଁ ବ୍ୟକ୍ତି ଜଣଙ୍କ ପାଠ ପଢ଼ାଉଛନ୍ତି ସେ ବାସ୍ତବରେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷକ ନୁହନ୍ତି । ସେ ହେଉଛନ୍ତି ଗାଁର ସରପଂଚ ।

ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍‌ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l ଆଉ ପିଲାମାନେ କିପରି ସହଜରେ ବୁଝି ପାରିବେ ସେଥିପାଇଁ ଅତି ସରଳ ଉପାୟ ମଧ୍ୟ ବତାଇଲେ ସରପଞ୍ଚ ବାବୁ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ଜଗବନ୍ଧୁ ସରକାରୀ ବିଦ୍ୟାପୀଠରେ ।

ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ସରପଂଚ ପଦରେ ନିର୍ବାଚନ ହେବା ପରଠାରୁ ନିଜ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ପ୍ରତ୍ୟେକ ଲୋକଙ୍କ ସୁଃଖ ଦୁଃଖରେ ସାମିଲା ହେଉଛନ୍ତି । କେମିତି ସରକାରୀ ସ୍କୁଲରେ ଭଲରେ ପାଠ ପଢାଯିବ ସେନେଇ ଅନେକ ଯୋଜନା କରନ୍ତି ଗୋବିନ୍ଦ । ସେଇଥିପାଇଁ ତ ସ୍କୁଲ ପରିଦର୍ଶନ ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପଢାଇଥିଲେ ପାଠ । ଖାଲି ପାଠ ନୁହେଁ ବରଂ ସ୍କୁଲର ଭଲମନ୍ଦ କଥା ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ ।

ସ୍କୁଲରେ ଶିକ୍ଷକଙ୍କ ସମସ୍ୟା ଥିବା ଜାଣିବା ପରେ ନିଜେ ନବମ ଶ୍ରେଣୀର ପିଲାଙ୍କୁ ଜ୍ୟାମିତି ପଢାଇବାକୁ ଲାଗିଥିଲେ ସରପଞ୍ଚ ବାବୁ । ଖାଲି ଏବେ ନୁହେଁ ବରଂ ପୂର୍ବରୁ ସରପଞ୍ଚ ମଝିରେ ମଝିରେ ବିଦ୍ୟାଳୟ ପରିଦର୍ଶନରେ ଆସି ପିଲା ମାନଙ୍କୁ ଏପରି ପାଠ ପଢ଼ାଇଥାନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । କେବଳ ଏହି ବିଦ୍ୟାଳୟ ନୁହେଁ ବରଂ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ନିୟମିତ ଯାଆନ୍ତି ସରପଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଙ୍କୁ ପାଠ ପଢାଇବାକୁ ସେ ଖୁବ୍ ଭଲ ପାଆନ୍ତି ।