• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ଗାଁ ଲୋକଙ୍କ ପାଇଁ ଘରୁ ବିଦା ହୋଇଥିଲେ । ଆଜି ସେହି ଗାଁ ତାଙ୍କୁ ମୁଣ୍ଡରେ ଥୋଇଛି । ହୁଏତ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ମନରେ ପ୍ରଶ୍ନ ଆସୁଥିବ ଗାଁ ଲୋକଙ୍କ ପାଇଁ ଇଏ କାହିଁକି ଘରୁ ତଡା ଖାଇଥିଲେ ? ହେଲେ ଘଟଣା ଜାଣିବା ପରେ ଆପଣ ବି ତାଙ୍କୁ ପ୍ରଶଂସା ନକରି ରହିପାରିବେନି । ଆଉ କହିବେ ଏମିତି ନାରୀ ଥିଲେ କିଏ କାହିଁକି ଦାଦନ ଯିବ ?

ତେବେ ଏହି ମହିଳା ଜଣକ ହେଉଛନ୍ତି ଭୂମିକା ସାହୁ । ଯିଏକି ଗାଁରେ ଆଣିପାରିଛନ୍ତି ବିରାଟ ପରିବର୍ତ୍ତନ । ଘର- ନୂଆପଡ଼ା ସଦର ବ୍ଲକ୍‌ ବୁଏରଭାଡିରେ । ଗାଁ ଲୋକାମାନଙ୍କର ଦୁଃଖ ଭୂମିକାଙ୍କୁ ବ୍ୟତିବ୍ୟସ୍ତ କରିପକାଉଥିଲା । ଖାଲି ବ୍ୟସ୍ତ କରୁଥିଲା ତାହା ନୁହେଁ ବରଂ ଏମାନେ କେମିତି ରୋଜଗାର କରିବେ ସେନେଇ ଅନେକ ଚିନ୍ତା କରୁଥିଲେ ଭୂମିକା । ସେଇଥିପାଇଁ ତ ଗାଁରେ ଆରମ୍ଭ କରିଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଯାହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିବା ସହ ଦାଦନ ସଂଖ୍ୟା କମିବ ବୋଲି ଭୂମିକା ଚିନ୍ତା କରିଥିଲେ । ଖାଲି ଚିନ୍ତା କରିଥିଲେ ତାହା ନୁହେଁ ବରଂ ଗାଁରେ ୨୮ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ବି କଲେ । ହେଲେ ପରିବାରର ଆକ୍ରୋଶର ଶିକାର ହେଲେ । ଏମିତିକି ଗାଁ ଲୋକଙ୍କ ପାଇଁ ଘର ଛାଡିଥିଲେ ଭୂମିକା ।

ଅଧିକ ପଢ଼ନ୍ତୁ: କ୍ୟାନସର ପୀଡ଼ିତ ଭଉଣୀର ମନୋବଳ ବଢ଼ାଇବାକୁ ଲଣ୍ଡା ହେଲା ଭାଇ, ଭାବପ୍ରବଣ କରୁଛି ଭିଡିଓ

ବୁଏରଭାଡି ଗାଁର କୌଶଲ୍ୟା ମାଝୀ ହୁଅନ୍ତୁ କି ତାରାବତୀ । ଏମାନେ ଦିନେ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିଲେ । କିନ୍ତୁ ଆଜି ଭୂମିକାଙ୍କ ଛତୁଆ ୟୁନିଟ୍‌ରେ କାମ କରି ଏମାନେ ସମସ୍ତେ ମାସକୁ ରୋଜଗାର କରୁଛନ୍ତି ୧୦ ହଜାରୁ ଅଧିକ ଟଙ୍କା । ଆଉ ପରିବାର ବି ବେଶ୍‌ ଆରାମରେ ଚଳୁଛି । ଆଉ ରାଜ୍ୟ ବାହାରକୁ ନୁହେଁ ବରଂ ସେଇଠି କାମ କରିବେ ବୋଲି କହୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁରେ ନିଜସ୍ୱ ଉଦ୍ୟମରେ ୨୦୦୮ରୁ ୨୦୨୨ ପର୍ଯ୍ୟନ୍ତ ୧୪ ବର୍ଷ ମଧ୍ୟରେ ୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଗାଁକୁ ଦାଦନ ମୁକ୍ତ କରି ପାରିଛନ୍ତି ଭୂମିକା । ସତରେ ଏମିତି ନାରୀ ସମାଜ ପାଇଁ ପ୍ରେରଣା ଦାୟୀ । ତେବେ ଏମାନଙ୍କୁ ଓଡିଶା ଜୀବିକା ମିଶନ୍ ନୂଆପଡା ପକ୍ଷରୁ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓଡିଶା ଜୀବିକା ମିଶନର ପ୍ରୋଗ୍ରାମ ମ୍ୟାନେଜର ।

(ରିପୋର୍ଟ- ମାୟାଧର ସରାଫ, ନୂଆପଡା)