• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତାଙ୍କ ସ୍ପର୍ଶରେ କଥାକୁହେ ନିର୍ଜୀବ କାଠଖଣ୍ଡ । ମାତ୍ର କିଛି ସମୟରେ ତିଆରି କରିଦିଅନ୍ତି ଭଳିକି ଭଳି ସୁନ୍ଦର ସୁନ୍ଦର ଜିନିଷ । ନିଜର ଦୃଢ଼ ଇଚ୍ଛା ଶକ୍ତି ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । 

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଦିବ୍ୟାଙ୍ଗ କୁଶଳୀ କାଠ କାରିଗର ପ୍ରଶାନ୍ତ ମହାରଣା । ଛୋଟିଆ ନୂଆଣିଆ ଭଙ୍ଗା ଚାଳଘର ତାଙ୍କର ନିତିଦିନିଆ କର୍ମକ୍ଷେତ୍ର । ଯେଉଁଠି ବିଭିନ୍ନ କାଠର ଘରକରଣା ଜିନିଷ କରିବା ସହ ସୁନ୍ଦର ସୁନ୍ଦର ସୌଖୀନ ଜିନିଷ ସେ ତିଆରି କରନ୍ତି । ଯାହା ଏବେ କେବଳ ଓଡ଼ିଶାରେ ନୁହେଁ, ଦେଶ ବିଦେଶରେ ମଧ୍ୟ ବେଶ ନାଁ କରିପାରିଛି । 

ପିଲାଟି ବେଳୁ ପ୍ରଶାନ୍ତଙ୍କ ଡାହାଣ ଗୋଡ଼ ଛୋଟ ଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରନ୍ତି । ହେଲେ କେବେ ତାଙ୍କର ସେହି ଅକ୍ଷମତା ତାଙ୍କୁ ପଛକୁ ଠେଲି ପାରିନାହିଁ । ପିଲାବେଳୁ ପ୍ରଶାନ୍ତ ପାଠପଢ଼ା ସହ ବାପାଙ୍କ ନିର୍ମିତ ସୁନ୍ଦର କାଠ କାରିଗରୀ କାମକୁ ଖୁବ୍ ନିକଟରୁ ଦେଖୁଥିଲେ । କୂଳ ବେଉସାକୁ ବଞ୍ଚାଇ ରଖିବା ପାଇଁ ଇଚ୍ଛା କରୁଥିଲେ । ତେଣୁ ଆଜିକୁ ପ୍ରାୟ ୩୦ ବର୍ଷ ଧରି ବିଭିନ୍ନ ଝଡଝଞ୍ଜା ମଧ୍ୟରେ ସେ କୂଳ ବେଉସାକୁ ଜାବୋଡି ଧରି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । 

ପ୍ରଶାନ୍ତ ନିଜେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଶିଖାଉଛନ୍ତି, ଯାହାକୁ ନେଇ ଅଂଚଳରେ ପ୍ରଶାନ୍ତଙ୍କୁ ବେଶ ପ୍ରଶଂସା କରାଯାଉଛି । ସେପଟେ ପ୍ରଶାନ୍ତଙ୍କ ପରିବାରର ଲୋକ କିମ୍ବା ଦିବ୍ୟାଙ୍ଗ ପ୍ରଶାନ୍ତଙ୍କୁ ସରକାରୀ କିମ୍ବା ବେସରକାରୀ କିଛି ସହାୟତା ଯୋଗାଇ ଦିଆଗଲେ, ସେ ଆଗକୁ ଆହୁରି ଭଲ କାମ କରିପାରିବେ ବୋଲି ଗ୍ରାମବାସୀ ମତ ଦେଇଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now