Advertisment

କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିଲେ ରାମ୍ପରେ, ଦର୍ଶକଙ୍କ ହୃଦୟ ଜିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Kinner Fashion Show

Kinner Fashion Show

ଆପଣ ସାଧାରଣତଃ ପୁଜା ମହୋତ୍ସବ ଆଦିରେ ମେଲୋଡ଼ି, ଡ୍ୟାନ୍ସ କିମ୍ବା ପୌରାଣିକ ନାଟକ ନଚେତ୍‌ ଡ୍ରାମା ଦେଖିବାକୁ ପାଇଥିବେ । ହେଲେ ଆପଣ କେବେ ଭାବିଛନ୍ତି କି ଏମିତି କିଛି ଉତ୍ସବ ବା ମହୋତ୍ସବରେ ଦେଖିବାକୁ ମିଳିବ ପ୍ୟାଶନ ଶୋ’ । ଆଉ ତାହା ପୁଣି କିନ୍ନର ମାନଙ୍କ ଫ୍ୟାଶନ ଶୋ’ । ଆଜ୍ଞା ହଁ କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଆଉ ଏକ ନିଆରା ପ୍ରୟାସ ବୋଲି ଆମେ କହିପାରିବା ।

Advertisment

କିନ୍ନର ମାନଙ୍କୁ ନେଇ ଏକ ସୁନ୍ଦର ଓ ଆକର୍ଷଣୀୟ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା । ଯାହାକୁ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିଥିଲେ ଏବଂ ଦର୍ଶକଙ୍କ ଏହା ଖୁବ୍‌ ମନୋରଞ୍ଜନ କରିଥିଲା । ଏମିତିକି କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାର ବରପାଲିର ଶୀତଳଷଷ୍ଠୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜିତ ହୋଇଥିଲା କିନ୍ନରଙ୍କ ଫ୍ୟାସନ ଶୋ’ । ଶିତଲଷଷ୍ଠୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ନିଆରା ଫ୍ୟାଶନ ଶୋ’ରେ ପାଖାପାଖି ୫୦ ଜଣ କିନ୍ନର ଭାଗ ନେଇଥିଲେ । ସମସ୍ତେ ରାମ୍ପରେ ଚାଲିବା ସହ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଯାହାକୁ ଦର୍ଶକମାନେ ଖୁବ୍‌ ଉପଭୋଗ କରିଥିଲେ । ତେବେ ଏପରି ଏକ ନିଆରା କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Advertisment

ମଞ୍ଚରେ ପଡ଼ିଥିଲା ଗ୍ରୀନ୍‌ କାର୍ପେଟ୍‌ । ଆଉ ସେଥିରେ ଜଣକ ପରେ ଜଣେ କିନ୍ନର କରୁଥିଲେ ରାମ୍ପ ୱାକ୍‌ । ଭଳିକି ଭଳି ଡ୍ରେସ୍‌ ପରିଧାନ କରି ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀରେ କାର୍ପେଟ ଉପରେ ଚାଲୁଥିଲେ କିନ୍ନର । ତେବେ ଏମାନେ କୌଣସି ପେଷାଦାର ମଡେଲର ନୁହନ୍ତି କିନ୍ତୁ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଆଉ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ କଳାର ଯାଦୁରେ ବାନ୍ଧି ରଖିଥିଲେ ।

ବରପାଲି ଶିତଲଷଷ୍ଠୀ ଯାତ୍ରା ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଛି । ଯେହେତୁ ଭଗବାନ ଶିବଙ୍କୁ ଅର୍ଦ୍ଧ ନାରୀଶ୍ୱର କୁହାଯାଏ । ତାଙ୍କ ଯାତ୍ରାରେ ସାମିଲ ହେଲେ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ କାହିଁ କେତେ ଦୂରରୁ ଏହି କିନ୍ନରମାନେ ଆସି ଯାତ୍ରାରେ ସାମିଲ ହେଉଥିବା ବେଳେ ସବୁବେଳେ ଯାତ୍ରାର ମୁଖ୍ୟ ଆକର୍ଷଣ ରହି ଆସିଛନ୍ତି । ତେବେ ଏମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତକୁ ଅଣାଯାଇ ପାରିବ ଏବଂ ଯାତ୍ରାକୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେଥି ପାଇଁ ବରପାଲି ଶୀତଳଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ ଏପରି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ବିଜୟୀ କିନ୍ନରଙ୍କୁ ପୁରସ୍କୃତ କରାଯାଇଛି ।

Fashion Show Kinner
Advertisment
Advertisment