• Astrospeak
  • Live TV
  • Read In English

Punjab boy honoured by Army: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ବାହିନୀ ପଞ୍ଜାବର ଫିରୋଜପୁରରେ ଥାଇ ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ପ୍ରବଳ ଗରମରେ ବି ସେମାନଙ୍କୁ ପାଣି, କ୍ଷୀର, ଲସି ଓ ବରଫ ଦେଇ ସୈନିକଙ୍କ ସେବା କରୁଥିଲେ ୧୦ ବର୍ଷୀୟ କୁନି ବାଳକ ଶ୍ରବଣ ସିଂହ । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Punjab boy
କୁନି ଯୋଦ୍ଧା

ଅପରେସନ ସିନ୍ଦୂରରେ ଭାରତୀୟ ସେନାର କରାମତିକୁ ସାରା ବିଶ୍ୱ ଦେଖିଲା । ଦେଶର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ହିଁ ଏହି ଅପରେସନର ପ୍ରକୃତ ସାକ୍ଷୀ। ସାମ୍ପ୍ରତିକ ପରିସ୍ଥିତିରେ ଦେଶ ରଚିଥିବା ଏହା ସବୁଠୁ ବଡ ସାମରିକ କାର୍ଯ୍ୟାନୁଷ୍ଠାନ। ଭାରତୀୟ ସେନାର ଏହି କଠିନ ସମୟରେ ସାହସ ଯୋଗାଇଥିଲେ ସେଠାକାର ସ୍ଥାନୀୟ ଲୋକେ । ସେନା ଯବାନମାନେ ଏକା ନଥିବା ଭାବନାରେ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ନୂଆ ଆଶାର କିରଣ ଦେଖାଉଥିଲେ ସ୍ଥାନୀୟ ଲୋକେ । 

ଏହାରି ମଧ୍ୟରେ ଆଗେଇ ଆସିଥିଲେ ଜଣେ କୁନି ନାବାଳକ । ଯାହାଙ୍କ ବୟସ ମାତ୍ର ୧୦ ବର୍ଷ । ନା ପାଖରେ ଥିଲା ଅସ୍ତ୍ରଶସ୍ତ୍ର ନା ପାଖରେ ଥିଲା ସେନା ୟୁନିଫର୍ମ । ଭାରତୀୟ ସେନା ବିଷୟରେ କିଛି ଜାଣି ନଥିବା ଏହି ଅଜ୍ଞାତ ବାଳକ ବଡ ହେଲେ ସେନାରେ ଯୋଗ ଦେବ ବୋଲି ସ୍ୱପ୍ନ ଦେଖିବା ସହ ସବୁ ପରିସ୍ଥିତିରେ ସେନା ବାହିନୀଙ୍କ ସେବା ପାଇଁ ଆଗେଇ ଆସୁଥିଲେ । ଫିରୋଜପୁରର ଏହି ନାବାଳକ ନିଜ ଆଖି ସାମନାରେ ଦେଖିଥିଲେ ସୃଷ୍ଟି ହୋଇଥିବା ଏହି ଯୁଦ୍ଧ ପରିସ୍ଥିତି । କିନ୍ତୁ ଏସବୁ ତାଙ୍କୁ ବ୍ୟଥିତ କରି ନଥିଲା କି ପଛକୁ ଫେରିବା ଭାବନା ତାଙ୍କ ମନକୁ ଥରୁଟେ ଆସି ନଥିଲା । 

ସୈନ୍ୟମାନେ ସୀମାନ୍ତବର୍ତ୍ତୀ ଗାଁ ଗୁଡିକ ମଧ୍ୟରେ ଥିବା ଖୋଲା ପଡିଆରେ ଆଗାମୀ ପରିସ୍ଥିତିକୁ କିଭଳି ମୁକାବିଲା କରିବେ ତାକୁ ନେଇ ଯୋଜନା କରୁଥିଲେ । ଆଉ ସାଇଡଲାଇନରେ ଠିଆ ହୋଇ ଲୋକେ ଦେଖୁଥିଲେ । କିନ୍ତୁ ସ୍ଥାନୀୟ କୃଷକ ସୋନା ସିଂହଙ୍କ ପୁଅ ଶବଣ ସିଂହ ଦୂରରେ ଥାଇ ଦେଖୁନଥିଲେ । ବରଂ ସାଇଡଲାଇନ ଡେଇଁ ସୈନ୍ୟଙ୍କ ପାଖକୁ ଯାଉଥିଲେ । ତାଙ୍କ କୁନି ହାତରେ ଯବାନଙ୍କ ପାଇଁ ପାଣି, କ୍ଷୀର, ଲସି ଏବଂ ବରଫ ନେଇ ଯୋଗାଉଥିଲେ । ପ୍ରଚଣ୍ଡ ଗରମରେ ସମସ୍ତେ ସେହି ସ୍ଥାନକୁ ଯିବା ପାଇଁ ଭୟ କରୁଥିବା ବେଳେ ଶବଣ ପ୍ରତ୍ୟେକ ଦିନ ସେମାନଙ୍କୁ ପାଖକୁ ଯାଇ ସେନା ଯବାନଙ୍କୁ ମନେ ପକାଇ ଦେଉଥିଲେ ଯେ, ସେମାନେ ଏକା ନାହାନ୍ତି ।

ଅଧିକ ପଢ଼ନ୍ତୁ: କେଶ ପ୍ରତିରୋପଣ ସର୍ଜରୀ କଲେ ଦାନ୍ତ ଡାକ୍ତର; ଚାଲିଗଲା ଦୁଇ ଇଞ୍ଜିନିୟରଙ୍କ ଜୀବନ

ଏ ନେଇ ଶ୍ରବଣ କହିଛନ୍ତି, ‘‘ମୁଁ ଭୟ କରିନଥିଲି । ମୁଁ ବଡ ହେଲେ ସୈନିକ ହେବି । ମୁଁ ସେନା ଯବାନଙ୍କ ପାଇଁ ପାଣି, ଲସି ଓ ବରଫ ନେଇ ଯାଉଥିଲି । ସେମାନେ ମୋତେ ବହୁତ ଭଲ ପାଆନ୍ତି’’ ବୋଲି ଶ୍ରବଣ କହିଛନ୍ତି ।

ତେବେ ଶ୍ରବଣଙ୍କ ଏହି ତ୍ୟାଗକୁ ଭୁଲି ନଥିଲେ ଭାରତୀୟ ସେନା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେନା ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ସପ୍ତମ ଇନଫାଣ୍ଟ୍ରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ରଣଜିତ୍ ସିଂହ ମନରାଲ ତାଙ୍କୁ ଏକ ସ୍ମାରକୀ, ସ୍ୱତନ୍ତ୍ର ଭୋଜନ ଓ ତାଙ୍କ ପ୍ରିୟ ଆଇସକ୍ରିମ ଦେଇ ତାଙ୍କୁ ସମ୍ମାନିତ କରିଛନ୍ତି । 

ଏ ନେଇ ଶ୍ରବଣଙ୍କ ବାପା ସୋନା ସିଂହ କହିଛନ୍ତି, ‘‘ଆମ ପଡିଆରେ ସୈନ୍ୟମାନେ ମୁତୟନ ଥିଲେ । ପ୍ରଥମ ଦିନରୁ ହିଁ ଶ୍ରବଣ ସେମାନଙ୍କୁ କ୍ଷୀର, ପାଣି, ଲସି ଓ ବରଫ ଦେଇ ସାହାଯ୍ୟ କରୁଥିଲେ । ଏମିତି ଗୋଟିଏ ଦିନ ବି ନାହିଁ, ଯେଉଁ ଦିନ ବି ସେ ସେମାନଙ୍କୁ ସାହାଯ୍ୟ କରିନଥିବେ । ଆମେ ତାଙ୍କ ସହ ଛିଡା ହୋଇଥିଲୁ, ଆଉ ସେ ସେନା ସହ ।’’

ଅପରେସନ ସିନ୍ଦୂରରେ ଭାରତୀୟ ସେନାବାହିନୀର ଏହି ସାମରିକ ଅପରେସନ ଇତିହାସରେ ଲିପିବଦ୍ଧ ହୋଇ ରହିବ । କିନ୍ତୁ ଏହି କାହାଣୀରୁ ଛାଡି ଯିବେନି ଶ୍ରବଣ ସିଂହ । ଗୋଟିଏ କୁନି ବାଳକର ଦେଶ ପାଇଁ ଥିବା ଭଲ ପାଇବା ଅଦମ୍ୟ ସାହସକୁ ସାରା ଦେଶ ମନେ ରଖିବ । ଶ୍ରବଣଙ୍କ କାମ ସାରା ଦେଶକୁ ଏହି ଶିକ୍ଷା ଦେଲା ଯେ, ଦେଶର ସେବା କରିବା ପାଇଁ ବୟସର ତାରତମ୍ୟ ନଥାଏ, ବାସ୍ ମନ ଭିତରେ ଦେଶ ଭକ୍ତିର ଭାବନା ଥିବା ଆବଶ୍ୟକ । ଭବିଷ୍ୟତରେ ଯେବେ ଅପରେସନ ସିନ୍ଦୂର କାହାଣୀ କୁହାଯିବ, ସେତେବେଳେ ଏହି କୁନି ନାବାଳକଙ୍କ ସେବା, ସାହସ ଓ ସମର୍ପଣର କାହାଣୀ ମଧ୍ୟ କୁହାଯିବ ।

ଅଧିକ ପଢ଼ନ୍ତୁ: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା