ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିବା ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ବାପା ମାଆ । ପୁଅ ପରୀକ୍ଷାରେ ଫେଲ ହୋଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ ।
ମୁଖ୍ୟତଃ ଯେତେବେଳେ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଏ, ସେତେବେଳେ ଟପ୍ପରଙ୍କ ସଫଳତାର ମନ୍ତ୍ର ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଏପରିକି ଗଣମାଧ୍ୟମଠାରୁ ଆରମ୍ଭ କରି ସବୁଠି ଟପ୍ପରଙ୍କ ଚର୍ଚ୍ଚା ଚାଲିଥାଏ । ଘରେ ବାପା ମାଆଙ୍କ ଖୁସି କହିଲେ ନସରେ । କିନ୍ତୁ ଆମେ ଏପରି ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଠି ପୁଅର ବିଫଳତାର ଉତ୍ସବ ମନାଇଛନ୍ତି ପରିବାର ଲୋକେ । ଏପରି ଏକ କାହାଣୀ ସାମନାକୁ ଆସିଛି କର୍ଣ୍ଣାଟକରୁ । କର୍ଣ୍ଣାଟକର ଦଶମ ବୋର୍ଡ ପରୀକ୍ଷାରେ ପୁଅ ଫେଲ୍ ହୋଇଯିବା ପରେ ମଧ୍ୟ ତାଙ୍କ ବାପା ମାଆ ମନ ଦୁଃଖ କରିବା ପରିବର୍ତେ ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଏମିତି ଥିଲା ସୀତାଙ୍କ ପିଲାଦିନ, ସ୍ୱୟମ୍ୱରରେ ଘଟିଥିଲା ଏହିସବୁ ଘଟଣା
କର୍ଣ୍ଣାଟକର ବଗଲକୋଟରେ ଥିବା ବଶବେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିଲେ ଅଭିଷେକ ଚୋଳଚାଗୁଡ୍ଡା (୧୭) । ସେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ହେଲେ ସେ ୬୦୦ ମାର୍କରୁ ୨୦୦ ମାର୍କ ରଖି ସମସ୍ତ ବିଷୟରେ ଫେଲ୍ ହୋଇଯାଇଥିଲେ । ଯେତେବେଳେ ତାଙ୍କ ସାଙ୍ଗମାନେ ମାତ୍ର ୩୨ ପ୍ରତିଶତ ମାର୍କ ରଖିଥିବା ହେତୁ ତାଙ୍କୁ ଚିଡାଇବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ବାପା ୟେଲ୍ଲାପ୍ପା ଚୋଳଚାଗୁଡ୍ଡା ପରୀକ୍ଷାରେ ତାଙ୍କ ପ୍ରଦର୍ଶନକୁ ନେଇ କେକ୍ କାଟି ଉତ୍ସବ ପାଳନ କରିବେ ବୋଲି ଭାବିଥିଲେ ।
ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ୟେଲ୍ଲାପ୍ପା କହିଥିଲେ ଯେ, ଯେତେବେଳେ ଅଭିଷେକ ବର୍ଷକର ହୋଇଥିଲେ, ସେତେବେଳେ ତାଙ୍କ ପାଦରେ ବହୁତ ଜୋର ଆଘାତ ଲାଗିଥିଲା । ଯାହାକି ତାଙ୍କୁ ମାନସିକ ଆଘାତ ଦେଇଥିଲା ଏବଂ ସେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଥିଲେ । ଏହି ଘଟଣା ପରେ ତାଙ୍କ ସ୍ମୃତି ଶକ୍ତି ହ୍ରାସ ପାଇବାକୁ ଲାଗିଲା । ତେଣୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ତାଙ୍କ ପାଇଁ ଏକ ଉପଲବ୍ଧି । ମୋ ପୁଅ ପରୀକ୍ଷାରେ ଫେଲ୍ ହୋଇଯାଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ । ମୁଁ ବହୁତ ଖୁସି ଯେ, ସେ ୨୦୦ ମାର୍କ ରଖିଛି । ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ, ପୂରା ପରିବାର ତାଙ୍କ ସହିତ ଅଛନ୍ତି । ମୁୁଁ ଏହାକୁ ପାଳନ କରିବାକୁ ମନସ୍ଥ କରି ତାଙ୍କ ପାଇଁ ଦୁଇଟି କେକ୍ ଆଣିଥିଲି, ଯେଉଁଥିରେ ମାର୍କ ଲେଖା ହୋଇଥିଲା । ଆମେ ମାନେ ଖୁସି ଅଛୁ । ମୁଁ ଦେଖିଛି ଯେ, ବହୁ ସ୍ନାତକଧାରୀମାନେ ପାସ୍ କରି ମଧ୍ୟ ବେରୋଜଗାରୀ ଅଛନ୍ତି । କିନ୍ତୁ ମୋ ପୁଅ ବହୁ ଶକ୍ତିଶାଳୀ । ତା ଭିତରେ ସଂଘର୍ଷ କରିବାକୁ ଇଚ୍ଛା ଅଛି । ଯାହା ଆମ ପାଇଁ ବହୁତ ।
ଅଭିଷେକ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ତାଙ୍କ ରିବାର ତାଙ୍କ ସହିତ ଥିବାରୁ ସେ ବହୁତ ଖୁସି ଅଛନ୍ତି । ମୁଁ ପୁଣି ଆଉଥରେ ପରିକ୍ଷା ଦେବି । ଯଦି ମୁଁ ପୁଣି ଫେଲ୍ ହେଲି ତାହାଲେ ସଫଳତା ପାଇବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିବି । ଯେପର୍ଯ୍ୟନ୍ତ ଯାଏଁ ସଫଳତା ପାଇନାହିଁ, ମୁଁ ଅଟକିବି ନାହିଁ ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର କର୍ଣ୍ଣାଟକ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ୬୨.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ ।
ଅଧିକ ପଢ଼ନ୍ତୁ: କୁକୁରର ଶୁଦ୍ଧିକ୍ରିୟା; ଏକାଦଶାହ ପାଳିଲେ, ଲଣ୍ଡା ହେଲେ