/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746437331.jpg)
the epic wedding story of lord rama and mata sita
ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ। ଏହି ଦିନରେ ମାତା ସୀତା ଆବିର୍ଭାବ ହୋଇଥିଲେ ବୋଲି ବିଶ୍ୱାସ ରହିଛି। ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କୁହାଯାଏ।
ମିଥିଳା ବା ବିଦେହର ରାଜା ଋଷି ଜନକ ଅତ୍ୟନ୍ତ ଧର୍ମପରାୟଣ,ସରଳ ବିଶ୍ୱାସୀ, ନ୍ୟାୟବନ୍ତ ଓ ସତ୍ୟନିଷ୍ଠ ରାଜା ଥିଲେ। ତାଙ୍କ ରାଜ୍ୟରେ ଋଷି ମୁନି, ସାଧୁ ସନ୍ନ୍ୟାସୀ ଓ ଜ୍ଞାନୀ ବ୍ୟକ୍ତିଙ୍କର ଆଦର ଓ ଜ୍ଞାନଚର୍ଚ୍ଚା ପୂର୍ଣ୍ଣ ମାତ୍ରାରେ ହେଉଥିଲା। ରାଜାର ସମସ୍ତ ଭୋଗ ବିଳାସ ଐଶ୍ୱର୍ଯ୍ୟ ମଧ୍ୟରେ ରହି ସେ ଏକ ନିର୍ଲିପ୍ତ ଋଷିପ୍ରତୀମ ଜୀବନ ବିତାଉଥିବାରୁ ତାଙ୍କୁ ରାଜର୍ଷି ରୂପେ ସମସ୍ତେ ସମ୍ମାନ କରୁଥିଲେ।
ଥରେ ଯଜ୍ଞ କରିବା ପାଇଁ ଲଙ୍ଗଳ ମୂନରେ ଭୂମି ଚାଷ କରିବା ବେଳେ, ସେହି ଚାଷଭୂମିରୁ ସେ ଏକ ପେଟିକା ମଧ୍ୟରୁ ଏକ କନ୍ୟା ସନ୍ତାନ ପାଇଥିଲେ। ଲଙ୍ଗଳ ଲୁହାକୁ ସୀତା କୁହାଯାଏ। ତେଣୁ ରାଜା ଜନକ ସେହି ଶିଶୁଟିର ନାମ ସୀତା ରଖିଥିଲେ। ଏହାବ୍ୟତୀତ ମିଥିଳାରୁ ‘ମୈଥିଳୀ’, ବିଦେହରୁ ‘ବୈଦେହୀ’, ପୃଥିବୀରୁ ‘ପାର୍ଥବୀ’, ଜନକ କନ୍ୟା ହେତୁ ‘ଜାନକୀ’ ଓ ଅତ୍ୟନ୍ତ ସୁନ୍ଦର ଓ ଗୁଣବତୀ ହୋଇଥିବାରୁ ‘ଯୋଜନଗନ୍ଧା’ ନାମରେ ମଧ୍ୟ ତାଙ୍କୁ ସମ୍ବୋଧନ କରୁଥିଲେ।
ଏମିତି ଥିଲା ସୀତାଙ୍କ ପିଲାଦିନ
ରାଜର୍ଷି, ଜନକଙ୍କୁ ପର୍ଶୁରାମଙ୍କ ଶିବଧନୁ ‘ପିନାକ’ ଦାନ କରିଥିଲେ। ଯାହାକୁ ରାଣୀ ସୁନୟନା ପ୍ରତିଦିନ ପୂଜା ଆରାଧନା କରୁଥିଲେ। ଦିନେ ସେହି ଧନୁକୁ ତାଙ୍କ କୁମାରୀ କନ୍ୟା ସୀତା ଉଠାଇ ଅନ୍ୟତ୍ର ରଖିବାର ଦେଖି ରାଣୀ ସୁନୟନା ରାଜା ଜନକଙ୍କୁ କହିଲେ। ରାଜା ଜନକ କନ୍ୟାର ଏପରି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ବିଚାର କଲେ ଯେ, ଯେଉଁ ଧନୁ ଦେବଦେବ ମହାଦେବ ଶିବ ଓ ଭଗବାନ ପର୍ଶୁରାମଙ୍କ ବ୍ୟତୀତ ଅନ୍ୟକେହି ଉଠାଇ ପାରନ୍ତି ନାହିଁ, ସେହି ଧନୁକୁ ସୀତା କିପରି ଉଠାଇ ପାରିଲେ? ତେଣୁ ରାଜା ଜନକ, ସେହି ଦିନଠାରୁ ମନରେ ସ୍ଥିର କଲେ ଯେ, ସେ କନ୍ୟାର ସ୍ଵୟଂବର ସଭା ଆୟୋଜନ କରି ବୀର ରାଜାମାନଙ୍କୁ ନିମନ୍ତ୍ରଣ କରିବେ। ଯେଉଁ ବୀର ପୁରୁଷ ଏ ପିନାକ ଧନୁକୁ ଉଠାଇ ସେଥିରେ ଗୁଣ ଚଢ଼ାଇ ପାରିବେ; ସେ ହିଁ ସୀତାର ଉପଯୁକ୍ତ ସ୍ଵାମୀ ହେବେ। ସୀତା ସେହି ବୀର ପୁରୁଷଙ୍କ ଗଳାରେ ବରଣମାଳା ଦେବେ।
ରାମଙ୍କ ସହ ସୀତାଙ୍କ ପ୍ରଥମ ସାକ୍ଷାତ
ଦେବୀ ସୀତା, କୁମାରୀ ଅଵସ୍ଥାରୁ ଯୁବତୀ ହେଲେ। ତାଙ୍କ ରୂପଲାବଣ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲା। ପିତା ଜନକ ଓ ମାତା ସୀତାଙ୍କ ବିବାହ ପାଇଁ କୁଳଗୁରୁଙ୍କ ସହ ପରାମର୍ଶ କଲେ। କୁଳଗୁରୁଙ୍କ ପରାମର୍ଶ ଅନୁସାରେ, ରାଜା ସ୍ଵୟଂବର ସଭାର ଆୟୋଜନ କରି ସମସ୍ତ ରାଜା ଓ ବୀରଙ୍କୁ ନିମନ୍ତ୍ରଣ କଲେ। ରାଜ୍ୟରେ ଡେଙ୍ଗୁରା ଦେଇ ଏ କଥା ଜଣାଇ ଦିଆଗଲା। ପ୍ରଜାବର୍ଗ ଖୁସି ହେଲେ। ମାତ୍ର ସ୍ଵୟଂବରର ସର୍ତ୍ତ ଶିବଧନୁରେ ଗୁଣଦେବା ମନରେ ସଂଶୟ ଆଣୁଥାଏ।
ଏ ସମୟରେ ନଗରରେ ପ୍ରବେଶ କରି, ଗୁରୁ ବିଶ୍ୱାମିତ୍ରଙ୍କ ସହିତ ରାମ ଲକ୍ଷ୍ମଣ ନଗରସଜ୍ଜା ପରିଷ୍କାର, ପରିଛନ୍ନତା, ମନ୍ଦିର ଅଟ୍ଟାଳିକା, ପୁଷ୍କରିଣୀ, ପୁଷ୍ପୋଦ୍ୟାନ, ବିପଣୀ ଇତ୍ୟାଦି ଦେଖି ଅତ୍ୟଧିକ ଆନନ୍ଦିତ ହେଲେ। ସତେ ଯେପରି ବିଶ୍ଵାମିତ୍ର ରୂପି ବ୍ରହ୍ମା ନବୀନ ଦୁର୍ବାଦଳ ଶ୍ୟାମଳ, ନବ ଯୌବନ ସମ୍ପନ୍ନ ଶାନ୍ତ, କାନ୍ତ ରୂପୀ ଶ୍ରୀରାମ ବିଷ୍ଣୁ ଓ ତେଜ ଓ ଯଶ ସମ୍ପନ୍ନ ଧନୁର୍ଦ୍ଧାରୀ ଗୌରବର୍ଣ୍ଣ ରୂପି ଲକ୍ଷ୍ମଣ– ଶିବ, ଏ ବିଦେହ ନଗରରେ ସ୍ୱଦେହ ଧାରଣ କରି ସମସ୍ତଙ୍କୁ ଦର୍ଶନ ଦେଇ ଧନ୍ୟ କରିଦେଇଛନ୍ତି। ଋଷି ବିଶ୍ଵାମିତ୍ର ଓ ଅପୁର୍ବ ସୁନ୍ଦର ତେଜୋମୟ ଦୁଇ ରାଜକୁମାରଙ୍କ ଆଗମନ ସମ୍ବାଦ ପାଇ ରାଜର୍ଷି ଜନକ ତାଙ୍କୁ ସାଦର ସ୍ଵାଗତ କଲେ ଓ ଉପଯୁକ୍ତ ଚର୍ଚ୍ଚା କରିବା ସହିତ ରାଜଭବନର ଅତିଥିଶାଳାରେ ରଖାଇଲେ। ଜନକ ଦୁଇ ରାଜକୁମାରଙ୍କ ପରିଚୟ ଓ ଯଜ୍ଞ ରକ୍ଷାଦି କର୍ମ, ଅସୁର ବିନାଶ, ଅହଲ୍ୟା ଉଦ୍ଧାର ଆଦି ବିଷୟରେ ଜାଣି ଆନନ୍ଦ ତଥା ବିସ୍ମିତ ହୋଇଥିଲେ। ପରଦିନ ପ୍ରଭାତରେ ପ୍ରଭାତ ବନ୍ଦନା ଓ ଗୁରୁଙ୍କ ଚରଣରେ ପ୍ରଣାମ କରି ଗୁରୁଙ୍କ ଆଦେଶରେ ଦେବପୂଜା ପାଇଁ ରାଜ ଉଦ୍ୟାନରୁ ଫୁଲ ତୋଳିବା ପାଇଁ ରାମ ଲକ୍ଷ୍ମଣ ପୁଷ୍ପବାଟିକାକୁ ଗଲେ। ନିଜର ପରିଚୟ ଓ ଉଦ୍ଦେଶ୍ୟ ଜଣାଇ ଉଦ୍ୟାନ ରକ୍ଷକର ଅନୁମତି ନେଇ ପ୍ରବେଶ କଲେ ଓ ଉଦ୍ୟାନରେ ବୁଲି ବୁଲି ରାମ ଲକ୍ଷ୍ମଣ ବିବିଧ ପୁଷ୍ପ ସଂଗ୍ରହ କରିବାରେ ଲାଗିଲେ।
ଏହି ସମୟରେ ଜନକ ନନ୍ଦିନୀ ସୀତା ନିଜ ପରିଚାରିକା ସଖୀ ଗହଣରେ, ତାରାଙ୍କ ମେଳରେ ଚନ୍ଦ୍ରମା ସଦୃଶ ସୀତାଙ୍କର ଶୋଭା ଦିଶୁଥାଏ। ଉଦ୍ୟାନରେ ଭ୍ରମଣ ଓ ହାସ୍ୟରସ ବାକ୍ୟାଳାପ ମଧ୍ୟରେ ହଠାତ୍ ସଖୀଗଣ ଦୁଇ ସୁନ୍ଦର ଯୁବା ପୁରୁଷଙ୍କୁ ଦେଖି ସୀତାଙ୍କୁ ଜଣାଇଲେ। ରାମ ସୀତାଙ୍କର ଚାରି ଚକ୍ଷୁର ମିଳନ ହେଲା। ହର୍ଷ, ପୁଲକ ଓ ରୋମାଂଚରେ ଉଭୟଙ୍କର ଗତି ସ୍ଥିର ହୋଇଗଲା।
ଚକୋର ସତେ ଚନ୍ଦ୍ରଙ୍କୁ ଦେଖିଲା, ସୂର୍ଯ୍ୟ ଦର୍ଶନରେ ସତେକି କମଳ ପ୍ରସ୍ଫୁଟିତ ହେଲା। ଉଭୟେ ଉଭୟଙ୍କୁ ପ୍ରେମପୂର୍ଣ ଅପଲକ ନେତ୍ରରେ ଚାହିଁ ରହିଲେ। କିଛି ସମୟ ପରେ ସଖୀମାନେ ରାମ ଲକ୍ଷ୍ମଣଙ୍କ ପରିଚୟ ପ୍ରାପ୍ତ ହୋଇ ସୀତାଙ୍କୁ ଜଣାନ୍ତେ, ସୀତା ଲଜ୍ଜା ହରଷରେ ମଥା ପୋତି ସେଠାରୁ ଚାଲିଗଲେ। ରାମଚନ୍ଦ୍ରଙ୍କ ପ୍ରତି ପ୍ରେମଭାବ, ତାଙ୍କୁ ସ୍ୱୟଂବରରେ ପତି ରୂପରେ ପାଇବାର ଲାଳସା, ହୃଦୟରେ ଦୃଢ ଭାବରେ ଜାଗ୍ରତ କରାଇଲା। ଇଷ୍ଟଦେବୀ ମାଆ ଭବାନୀଙ୍କ ନିକଟରୁ ସେ ଆଶିଷ ପ୍ରାର୍ଥନା କଲେ।
ସୀତାଙ୍କ ସ୍ଵୟମ୍ବର
ସୀତାଙ୍କ ସ୍ଵୟଂବର ସଭାର ମୂହୁର୍ତ୍ତ ନିକଟ ହେଇ ଆସୁଥାଏ। ସବୁଠାରେ ଆନନ୍ଦ ଉଲ୍ଲାସର ବାତାବରଣ। ମିଥିଳାର ରାଜଦାଣ୍ଡଠୁ ଆରମ୍ଭ କରି ରାଣୀ ଅନ୍ତପୁର ଯାଏଁ ଅତି ସୁନ୍ଦର ଭାବରେ ସଜ୍ଜିତ ହୋଇଥାଏ। ରାଜାମାନଙ୍କର ଆଗମନରେ ରଥର ଘର୍ଘର୍ ନାଦ, ହାତୀ ଘୋଡାଙ୍କର ଧ୍ୱନି ତଥା ଜନ କୋଳାହଳରେ ପୂରି ଉଠୁଥାଏ ରାଜପଥ। ଦ୍ୱାରେ ଦ୍ୱାରେ ଚିତ୍ରିତ ପୂର୍ଣ୍ଣକୁମ୍ଭ, କଦଳୀ ବୃକ୍ଷ ଓ ପୁଷ୍ପମାଳ ଶୋଭାକୁ ବଢାଉଥାଏ। ମନ୍ତ୍ରୀ ପାରିଷଦ ଗଣ ଅତ୍ୟନ୍ତ ନିଷ୍ଠାର ସହିତ ସମସ୍ତଙ୍କ ସେବା କରୁଥାନ୍ତି। ପ୍ରଜାଗଣ ମଧ୍ୟ ଉତ୍ସାହ ସହକାରେ କାର୍ଯ୍ୟରେ ଲାଗି ପଡିଥାନ୍ତି।
ସ୍ଵୟମ୍ବର ସମୟରେ ସୁନ୍ଦର ସୁସଜ୍ଜିତ ସଭାସ୍ଥଳରେ ଶିବ ପିନାକ ଧନୁ ପଟ୍ଟବସ୍ତ୍ର ଶୋଭିତ ପୁଷ୍ପମଣ୍ଡିତ ହୋଇ ପୂଜାର୍ଚ୍ଚନା ପରେ ବିରାଜିତ ହେଲା। ଉପସ୍ଥିତ ସମସ୍ତ ସଭାସଦ ରାଜନବର୍ଗ ଉତ୍କଣ୍ଠାର ସହିତ ସେହି ଧନୁକୁ ଚାହିଁ ରହିଲେ। ସମସ୍ତଙ୍କୁ ସ୍ଵାଗତ ଅଭିନନ୍ଦନ ଜଣାଇ ନିଜ କନ୍ୟା ସୀତାଙ୍କ ସ୍ଵୟଂବର ବିଷୟ ଓ ସେଥିପାଇଁ କରିଥିବା ପଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ ରାଜା ଜନକ। ସଭା ମଧ୍ୟରେ ଥିବା ଶିବଧନୁକୁ ଯେଉଁ ବୀର ହାତରେ ଧରି ସେଥୁରେ ଗୁଣ ଚଢ଼ାଇ ପାରିବେ, ତାଙ୍କୁ ସୀତା ପତି ରୂପେ ବରଣମାଳା ପ୍ରଦାନ କରିବେ।
ଏହାଶୁଣି ଅନେକ ପରାକ୍ରମୀ ଓ ଅହଂକାରୀ ରାଜା ଧନୁ ନିକଟକୁ ସଦର୍ପେ ଜଣ ଜଣ ହୋଇ ଯାଇ ଧନୁ ଉଠାଇବାକୁ ଚେଷ୍ଟା କଲେ। ମାତ୍ର ଧନୁ ଉଠାଇବା ତ ଦୂରର କଥା, ସାମାନ୍ୟ ମାତ୍ର ଆସ୍ଥାନରୁ ଘୁଞ୍ଚାଇ ପାରିଲେ ନାହିଁ। କେହି କେହି ବଳ ପ୍ରୟୋଗ କରିବାକୁ ଯାଇ ନିଜେ ଆଘାତ ପ୍ରାପ୍ତ ହେଲେ। ସଭାଜନ ଏପରି ଦୃଶ୍ୟରେ ହସି ଉଠିବାରୁ ରାଜାଗଣ ଲଜ୍ଜା ଅପମାନରେ ମଥା ନୁଆଁଇ ନିଜ ଆସନକୁ ଫେରିଗଲେ। ସୀତା ବରଣ ମାଳା ହାତରେ ଧରି ଏ ଦୃଶ୍ୟ ଦେଖୁଥାନ୍ତି ଓ ଆଶା ଆଶଙ୍କା ମଧ୍ୟରେ ବାରମ୍ବାର ରାମଚନ୍ଦ୍ରଙ୍କୁ ଚାହୁଁଥାନ୍ତି।
ସୀତାଙ୍କ ସ୍ଵୟମ୍ବରରେ ରାବଣ
ସୀତାଙ୍କ ସ୍ଵୟମ୍ବର ସଭାକୁ ବିଭିନ୍ନ ରାଜା ମହାରାଜାଙ୍କ ସମେତ ଅନେକ ପ୍ରବଳ ପ୍ରତାପୀ ଅସୁର ମଧ୍ୟ ଆସିଥିଲେ। ବାଣାସୁର ସୀତାଙ୍କୁ କନ୍ୟାତୁଲ୍ୟ ମନେ କରି ଧନୁ ନଉଠାଇ ଫେରିଗଲା। ମାତ୍ର ଅହଂକାରୀ, ଗର୍ବୀ ରାବଣ, ଧନୁ ଉଠାଇବାକୁ ଯାଇ ସମସ୍ତ ବଳ ପ୍ରୟୋଗ କରି ଧନୁ ଉଠାଇ ନପାରି ଅପମାନିତ, ଲଜ୍ଜିତ ଓ କ୍ରୋଧିତ ହୋଇ ସଭାସ୍ଥଳ ଛାଡ଼ି ପଳାଇଲେ।
ସୀତା ବିବାହ
ସମସ୍ତ କ୍ଷତ୍ରୀୟ ବୀର ଅସମର୍ଥ ହେବାରୁ, ରାଜା ଜନକ ନିରାଶ ହୋଇ କହିଲେ- “ଏ ଜଗତ କ’ଣ ବୀର ଶୂନ୍ୟ ହୋଇଗଲା? ମୋ ଅଲିଅଳି କନ୍ୟା କ’ଣ ଅବିବାହିତ ରହିଯିବ”?
ଜନକଙ୍କର ଏପରି କଥା ଶୁଣି, ଗୁରୁ ବିଶ୍ଵାମିତ୍ର ରାମଙ୍କୁ ଅନୁମତି ଦେଲେ ସ୍ଵୟମ୍ବରରେ ନିଜର ବୀରତା ପ୍ରଦର୍ଶନ କରିବାକୁ। ବୀର ସିଂହ ଠାଣୀରେ ରାମଚନ୍ଦ୍ର ଆସନରୁ ଉଠି, ଗୁରୁଙ୍କୁ ପ୍ରଣାମ ପୂର୍ବକ ଶିବଧନୁ ନିକଟରେ ଉପସ୍ଥିତ ହେଲେ। ଜନକ, ସଭାସଦ ଓ ସମସ୍ତ ରାଜାଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଧନୁକୁ ପ୍ରଣାମ ପୂର୍ବକ ବାମହସ୍ତରେ ତୋଳି ଧରିଲେ। ପରେ ଦକ୍ଷିଣ ହସ୍ତରେ ଧନୁର ଗୁଣ ଚଢ଼ାଇବା ସମୟରେ ଭୟଙ୍କର ଶବ୍ଦସହ ଧନୁ ଦୁଇଖଣ୍ଡ ହୋଇ ଭାଙ୍ଗିଗଲା। ସଚରାଚର ସମସ୍ତେ ସେ ଶବ୍ଦରେ ଥରି ଉଠିଲେ। ଦୁର୍ବଳ ଭାବି ଯେଉଁମାନେ ରାମଙ୍କୁ ଉପହାସ କରୁଥିଲେ ସେମାନେ ଲଜ୍ଜା ଓ ଭୟରେ ଏକବାର ଚୁପ୍ ହୋଇଗଲେ। ସଭାରେ ଜୟ ଜୟକାର ଧ୍ଵନି ସହିତ ମଙ୍ଗଳବାଦ୍ୟ ବାଜି ଉଠିଲା। ଉପରୁ ପୁଷ୍ପ ବୃଷ୍ଟି ହେବାକୁ ଲାଗିଲା।
ଜନକଙ୍କ ନିର୍ଦ୍ଦେଶରେ ସୀତା ବରଣମାଳା ହସ୍ତରେ ସହଚରୀ ପରିବେଷ୍ଟିତା ହୋଇ ଲଜ୍ଜାବନତ ମୁଖରେ ଶ୍ରୀରାମଙ୍କ ଗଳାରେ ବରଣମାଳା ପିନ୍ଧାଇ ଦେଲେ। ବିଶ୍ଵାମିତ୍ରଙ୍କ ପରାମର୍ଶ ନେଇ ଜନକ ଅଯୋଧ୍ୟାକୁ ତୁରନ୍ତ ଦୂତ ପ୍ରେରଣ କଲେ। ରାଜା ଦଶରଥ ଏ ଶୁଭ ସମ୍ବାଦ ପାଇ ଅତ୍ୟନ୍ତ ଆନନ୍ଦିତ ହେବା ସହିତ ସମସ୍ତ ପରିବାର ବର୍ଗ ତଥା ଅମାତ୍ୟ ପ୍ରଜାଗଣଙ୍କୁ ଶୁଣାଇ ନିଜ ପୁତ୍ରଙ୍କ ପାଇଁ ଗର୍ବିତ ହେଲେ। ଉଭୟ ପକ୍ଷର କୁଳଗୁରୁ ବଶିଷ୍ଠ, ସନାତନ, ଜୋତିଷ, ପୁରୋହିତ ଆଦି ବସି ବିବାହର ଦିନବାର ଲଗ୍ନ ଆଦି ସ୍ଥିର କରି ଉଭୟ ରାଜାଙ୍କୁ ଜଣାଇ ଦେଲେ। ମାର୍ଗଶୀର ମାସ କୃଷ୍ଣପକ୍ଷ ପଂଚମୀ ତିଥିରେ ସୀତା ରାମଙ୍କ ବିବାହ ସ୍ଥିର ହେଲା। ଜନକଙ୍କର ଅନ୍ୟ ପୁତ୍ରୀ ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କ ସହିତ, ଜନକଙ୍କ ଭ୍ରାତା କୁଶକେତୁଙ୍କ ଦୁଇକନ୍ୟା ମାଣ୍ଡବୀ ଭରତଙ୍କ ସହ ଓ ଶ୍ରୁତକୀର୍ଷି ଙ୍କ ସହ ଶତୃଘ୍ନଙ୍କ ବିବାହ ମଧ୍ୟ ଉଭୟ ପକ୍ଷର ସମ୍ମତିରେ ସ୍ଥିର ହେଲା। ଚାରି ବିଭା ମଣ୍ଡପ, ଚାରି ବର, ଚାରି କନ୍ୟା, ଚାରି ପୁରୋହିତଙ୍କୁ ନେଇ ଏ ଅପୂର୍ବ ବିବାହ ଉତ୍ସବ ଯଥା ବିଧୂ ବିଧାନରେ ମହା ସମାରୋହରେ ସମାପନ ହେଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)