• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ କ୍ୟାମେରା ସାମ୍ନାରେ ନିଜ ଦୁଃଖ କଥା କହି ଭୋ ଭୋ କାନ୍ଦି ପକାଉଥିଲେ ଦୁଇ ଭଉଣୀ ଶ୍ରୀୟା ‌ଆଉ ସଂପୂର୍ଣ୍ଣା । ହେଲେ ଆଜି ସେମାନଙ୍କ ମୁହଁରେ ଫୁଟିଛି ହସ । ହଁ ଆପଣ ଠିକ୍‌ ଶୁଣିଲେ କାନ୍ଦ ବଦଳରେ ଏମାନଙ୍କ ଓଠରେ ପୁଟିଛି ହସ । ବାପା ଚାଲିଯିବା ପରେ ମାଆ ନିଖୋଜ ହୋଇଯାଇଥିଲେ ଆଉ ବଡଭାଇ ଶ୍ୱଶୁର ଘରକୁ ପଳାଇଥିଲେ । ଆଉ ବାପା-ମାଆଙ୍କ ବିନା ଦୁଃଖରେ ଦିନ କାଟୁଥିଲେ ଦୁଇ ଭଉଣୀ ଓ ଭାଇ । ଏମାନଙ୍କ ଦୁଃଖ ଖବର ଆମେ ଓଟିଭିରେ ପ୍ରସାରଣ କରିଥିଲୁ । ଶେଷରେ ଏମାନଙ୍କ ଦୁଃଖ ଶୁଣିଛି ପ୍ରଶାସନ, ଆଉ ବଢାଇଛି ସାହାଯ୍ୟର ହାତ ।

ଖବର ପ୍ରସାରଣ ହେଲା, ଆଉ ଦୁଇ ଭଉଣୀଙ୍କ ଓଠରେ ହସ ଫୁଟିଲା । ଅସହାୟ ଦୁଇ ଭଉଣୀ ଶ୍ରୀୟା ଓ ସମ୍ପୂର୍ଣ୍ଣାଙ୍କୁ ପ୍ରଶାସନ ଏବେ ଛାତ୍ରୀ ନିବାସକୁ ଆଣି ଥଇଥାନ କରିଛି । ଦୁହେଁ ଛାତ୍ରୀ ନିବାସରେ ରହି ପାଠ ପଢିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଶାସନ ସେମାନଙ୍କର ଦାୟିତ୍ୱ ବି ନେଇଛି । ଏମିତିକି ଦୁଇ ଭଉଣୀ ଛାତ୍ରୀ ନିବାସରେ ଥଇଥାନ ହେବା ପରେ ସାନ ଭାଇ ସମେତ ଶ୍ରୀୟା ଓ ସଂପୂର୍ଣ୍ଣା ମଧ୍ୟ ଓଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ଦୁଇ ଭଉଣୀଙ୍କୁ ସ୍ଥାନୀୟ ପ୍ରଶାସନ ବାଲିଗୁଡା ବନବାସୀ ସେବା ସମିତି ଛାତ୍ରୀ ନିବାସରେ ଆଣି ରଖିଛନ୍ତି । ଯେଉଁଠି ଏବେ ସେମାନେ ସୁରକ୍ଷିତ ରହିବା ସହ ନିଜ ଭବିଷ୍ୟତ ଗଢିପାରିବେ ।

ଶ୍ରୀୟା ଓ ସମ୍ପୂର୍ଣ୍ଣାଙ୍କ ଘର ବାଲିଗୁଡା ବ୍ଲକର ପୁସାଙ୍ଗିଆ ଗାଁରେ । ଦୁଇ ଭଉଣୀ ଛୋଟ ଥିବାବେଳେ ବାପାଙ୍କର ମୃତ୍ୟୁ ଘଟିଥିଲା । ଆଉ ଏହାର କିଛି ବର୍ଷ ପରେ ମାଆ ମଧ୍ୟ କୁଆଡେ ନିଖୋଜ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ସାନ ଭାଇ ଶ୍ରୀତମ ପାତ୍ର ବହୁ ଅସୁବିଧାରେ ସେମାନଙ୍କର ଦେଖାଶୁଣା କରି ଆସୁଥିଲା । ହେଲେ ବାପା ମାଆଙ୍କ ଅନୁପସ୍ଥିତିରେ ସାନ ଭାଇ ଦୁଇ ଭଉଣୀଙ୍କୁ ଦୁଇ ଓଳି ଖାଇବାକୁ ଦେବା ପାଇଁ ମଧ୍ୟ କଷ୍ଟକର ହୋଇପଡୁଥିଲା ।

ଏମିତିକି ମାଟ୍ରିକ୍ ପରେ ପାଠ ପଢାରେ ଡୋରି ବାନ୍ଧିଥିଲେ ଶ୍ରୀତମ୍ । କିନ୍ତୁ ଏମାନଙ୍କ କଷ୍ଟରେ ଏବେ ବିରାମ ପଡିଛି । କାହିଁକି ନା ଏମାନଙ୍କୁ ଏବେ ସାହାଯ୍ୟ ମିଳିଛି । ଆଉ ଦୁଇ ଭଉଣୀ ସୁରକ୍ଷିତ ରହିବା ସହ ଭବିଷ୍ୟତ ଗଢିବା ପାଇଁ ନୂଆ ସ୍ୱପ୍ନ ଦେଖୁଥିବାରୁ ପ୍ରଶାସନକୁ ବି ଧନ୍ୟବାଦ ଜଣାଇଛନ୍ତି ଶ୍ରୀତମ୍ ।

କଥାରେ ଅଛି ଜୀବନ ଦେଇଛି ଯିଏ ଦାନା ବି ଦେଇଛି ସିଏ । ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି ।

(ରିପୋର୍ଟ- ଅଜିତ୍‌ ନାୟକ, ବାଲିଗୁଡା)