• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ପ୍ରଥମେ ମୋତେ ଉଠେଇ ନେଲେ । କହିଲେ ରାହୁଲ ଡାକୁଛି । ସେ ଅପେକ୍ଷା କରିଛି । ଇଣ୍ଡିକା ଗାଡ଼ି ପଠାଇଛି । ଗାଡ଼ି ପାଖକୁ ଗଲା ବେଳକୁ ମୋତେ ରୁମାଲ ସୁଂଘାଇ ଦେଲେ । ତା’ପରେ ମୁଁ ଆଉ କିଛି ଜାଣି ପାରିଲିନି । ହୋସ ଆସିଲା ବେଳକୁ ମୁଁ ନିଜକୁ ଗୋଟେ ବନ୍ଦ କୋଠରୀରେ ପାଇଲି । ମୋତେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ । ଖାଇବା ପିଇବାକୁ ବି ଦେଉନଥିଲେ । ଏବେ ମୋତେ ଜାତି ପୁଜା କରିବେ କହି ଆଣିଥିଲେ । ମୁଁ କଳେ ବଳେ କୌଶଳେ ୟାଙ୍କୁ (ସ୍ୱାମୀ) ମେସେଜ୍‌ କରି ଜଣେଇଲି । ମୋତେ ବଞ୍ଚାଅ ବୋଲି । ଏମିତିକି ଏଇ ଜାଗା ବିଷୟରେ ମୋତେ ଜଣେଇ ନଥିଲେ । ମୁଁ ଆନୁମାନ କରି ଜାଣିଲି । ତାଙ୍କୁ ମେସେଜ୍‌ କରିବା ପରେ ସେ ଆସି ମୋତେ ବଞ୍ଚାଇଲେ । ମୁଁ ତାଙ୍କୁ ଦେଖି ଭାରି ଖୁସି ହେଲି । ଯେଉଁମାନେ ମୋତେ ନେଇ ଯାଇଥିଲେ ସେମାନଙ୍କୁ ମୁଁ ଜାଣିଛି । ସେମାନେ ଚିହ୍ନାପରିଚୟ ଲୋକ । ହେଲେ ସେମାନେ କିଏ ମୋର ମନେ ପଡ଼ୁନି । ମୁଁ ଜାଣିପାରୁନି।’

କଲେଜରୁ ଫେରାର ହୋଇଯାଇଥିବା ସ୍ତ୍ରୀ (ଧନ) ଏବେ ପୁଣି ସ୍ୱାମୀଙ୍କ ପାଖକୁ ଫେରି ଆସିଛନ୍ତି । ଆଉ ଫେରିବା ପରେ ଫେରାର ପଛର ପୁରା କାହାଣି ବଖାଣିଛନ୍ତି ସ୍ତ୍ରୀ । ଗଣମାଧ୍ୟମ ସମ୍ମୁଖରେ ଏହା ଥିଲା ତାଙ୍କର ବୟାନ୍ । କେମିତି ଫେରାର ହୋଇଥିଲେ ଆଉ କେମିତି ପୁଣି ଫେରି ଆସିଲେ ।

ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଉଦ୍ଧାର କରିଛନ୍ତି ସ୍ୱାମୀ । ଆଉ ଖୋଜି ପାଇବା ପରର ଦୃଶ୍ୟ ଦେଖିଲେ ସମସ୍ତଙ୍କ ହୃଦୟ ତରଳିଯିବ । ସ୍ତ୍ରୀ ଫେରାର ହେବା ପରେ ଯେମିତ କାନ୍ଦୁଥିଲେ, ସେମିତି ପାଇବା ପରେ ବିକଳ ହୋଇ କାନ୍ଦୁଛନ୍ତି । ତେବେ ସ୍ୱାମୀର ଝଲକ୍‌ ଦେଖିବା ପରେ ଧାଇଁ ଆସି କୁଣ୍ଢାଇ ଧରିଥିଲେ ସ୍ତ୍ରୀ । ଆଉ ତାପରେ ବାଇକ୍‌ରେ ବସି ପଳାଇଲେ ସ୍ୱାମୀଙ୍କ ସହ ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜାରର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ । ତେବେ ଉଭୟ ଘରେ ନଜଣାଇ ଫେରାର ହୋଇଯାଇଥିଲେ । ସେମାନେ ଭୁବନେଶ୍ୱରରେ ରହୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ପୁଅର ପରିବାର ଲୋକେ ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ କରେଇ ଘରକୁ ଆଣିଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଇଛା କରିଥିଲା। ପରିବାର ଲୋକ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ +3 ଆର୍ଟ୍ସରେ ଆଡ୍‌ମିସନ କରାଇଲେ। ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା ନିଜ ସ୍ୱାମୀଙ୍କ ସ୍କୁଟିରେ ବସି। ପରୀକ୍ଷା ସରିବା ପରେ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ ସ୍ୱାମୀ । ହେଲେ ପରୀକ୍ଷା ହଲ୍‌ରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି ଲାଗିଲା କଲେଜ୍‌ ଗେଟ୍ ସାମ୍ନାରେ । ହରିପ୍ରିୟା କାର୍ ଗେଟ୍‌ ଖୋଲି କାର୍‌ରେ ବସିଲେ ଆଉ କୁଆଡେ ପଳାଇଥିଲେ, ଆଉ ତା’ପର ଠାରୁ ପାଗଳ ପରି ସ୍ତ୍ରୀକୁ ଖୋଜୁଥିଲେ ସ୍ୱାମୀ । ଏବେ ସ୍ତ୍ରୀକୁ ଖୋଜି ପାଇବା ପରେ ସ୍ୱାମୀର ଖୁସି କହିଲେ ନସରେ ।