Advertisment

କଥାକୁହା ବିରଳ ଫଟୋର ଶିଳ୍ପୀ ଇଞ୍ଚୁଡିର ସର୍ବେଶ୍ୱର ଦାସ

ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ।

author-image
Chandan Shishu
ଫଟୋର ଶିଳ୍ପୀ ସର୍ବେଶ୍ୱର ଦାସ

ଫଟୋର ଶିଳ୍ପୀ ସର୍ବେଶ୍ୱର ଦାସ

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ। ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବା ଓ ତାଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଫଟୋକୁ ଲୋକାଦୃତ କରିବା ଆଜି ଦିନର ମୂଳ ଉଦ୍ଦେଶ୍ୟ। ଫଟୋଗ୍ରାଫର ଦିବସ ଅବସରରେ ଆଜି ଏମିତି ଜଣେ ଫଟୋଗ୍ରାଫରଙ୍କୁ ଜାଣିବା ଯିଏ ସ୍ବାଧୀନ ଭାରତର ପୂର୍ବ ଓ ପରବର୍ତ୍ତୀ ସମୟର ୩୫ ହଜାରରୁ ଅଧିକ ବିରଳ ଫୋଟ ସଂଗ୍ରହ କରିଛନ୍ତି। ୫୦ ବର୍ଷ ଧରି ଜାରି ରହିଛି ତାଙ୍କର ଏହି ନିଶା।

Advertisment

ଗାଥା ବଖାଣୁଛି ଇତିହାସର ଏସବୁ କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ। ଗଡଜାତ ମିଶ୍ରଣଠାରୁ ଆଚାର୍ଯ୍ୟ ହରିହର, ନବକୃଷ୍ଣ ଚୌଧୁରୀ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ସହିଦ ବିପ୍ଲବୀ ବାଘା ଯତିନଙ୍କ ତିରୋଧାନ, ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି।

କଥାକୁହା ଫଟୋର ଶିଳ୍ପୀ ସର୍ବେଶ୍ୱର ଦାସ। ବୟସ ୭୦ ଡେଇଁଲାଣି। ଆଉ ସେହି ବୟସ ମଧ୍ୟରୁ ଦୀର୍ଘ ୫୦ ବର୍ଷ କଟାଇଛନ୍ତି ଫଟୋଗ୍ରାଫିରେ। କାଶ୍ମୀରରୁ କନ୍ୟାକୁମାରୀ ବୁଲିଛନ୍ତି। ରାଜ୍ୟର ସମସ୍ତ ୩୧୪ ବ୍ଳକ୍ କୁ ବାରମ୍ବାର ଯାଇଛନ୍ତି। ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଯେଉଁଠି ଯାହା ମିଳିଛି ଫଟୋ ଉଠାଇଛନ୍ତି, ସଂଗ୍ରହ କରିଛନ୍ତି।

Advertisment

ଇତିହାସର ପାଖାପାଖି ୩୫ ହଜାର ଫଟୋ ରହିଛି ତାଙ୍କ ପାଖରେ। ସେଥିରୁ ୨୦ ହଜାରରୁ ଅଧିକ ଫଟୋ ସେ ନିଜେ ଉଠାଇଛନ୍ତି। ପ୍ରଥମେ ରିଲ୍ କ୍ୟାମେରା, ପରେ ଡିଜିଟାଲ୍, ଦେଶର ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ପୀଠ ବୁଲି ସଂଗ୍ରହ କରିଛନ୍ତି ଏକାଧିକ ବିରଳ ଫଟୋ। 

ସର୍ବେଶ୍ୱର, ଜଣେ ସ୍ୱାଧିନତା ସଂଗ୍ରାମୀଙ୍କ ଦାୟାଦ। ବଡ ବାପା ସ୍ୱାଧୀନତା ସଂଗ୍ରାମୀ କୈଳାସ ଚନ୍ଦ୍ର ଦାସ ଏବଂ ବାପା ଆଜାଦ ହିନ୍ଦ ଫୌଜର ଜଣେ ଆଗଧାଡିର ସୈନିକ। ଘର, ଲବଣ ସତ୍ୟାଗ୍ରହର ମାଟି ଇଂଚୁଡିରେ। ନବମ ଶ୍ରେଣୀରୁ ଆରମ୍ଭ ହୋଇଥିଲା ଫଟୋ ପ୍ରତି ଦୁର୍ବଳତା। ୧୯୭୨ ମସିହା, ଭାରତ ସ୍ୱାଧୀନତାର ରଜତ ଜୟନ୍ତୀ ଠାରୁ ନିରନ୍ତର ଫଟୋ ସଂଗ୍ରହ କରିଚାଲିଛନ୍ତି ସର୍ବେଶ୍ୱର।

ପେଶା ନୁହେଁ, ଫଟୋ ଉଠାଇବା, ସଂଗ୍ରହ କରିବା ତାଙ୍କର ନିଶା, ଅଭ୍ୟାସ। ଇଂଚୁଡିର ଏହି ଲବଣ ସତ୍ୟାଗ୍ରହ ସ୍ମୃତି ପରିଷଦରେ ରହିଛି ସର୍ବେଶ୍ବରଙ୍କ ଦ୍ବାରା ସଂଗୃହୀତ ୬ ହଜାରରୁ ଅଧିକ ଫଟୋ। କାଳ କାଳ ଉପରେ କବଜା କରିଥିବା ଏସବୁ ଅଦେଖା ଫଟୋ ସର୍ବେଶ୍ୱରଙ୍କ ସମ୍ପତ୍ତି, ତାଙ୍କ ସନ୍ତକ।

Advertisment
Advertisment