• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ରକ୍ତ ମାଂସର ଶରୀରରେ ମଣିଷରୂପୀ ଦେବତା । ଯାହା ପାଇଁ ସେବା ହିଁ ପରମଧର୍ମ । ଆସନ୍ତୁ ଜାଣିବା ସେଭଳି ଜଣେ ଡାକ୍ତରଙ୍କୁ । ଯିଏ ନିସ୍ୱାର୍ଥପର ସେବା ଓ ଉନ୍ନତ ଚିକିତ୍ସାର ବ୍ରତୀ । ମାଲକାନଗିରିର ବଣ୍ଡା ଘାଟିରେ ଆଦିବାସୀଙ୍କୁ ଯୋଗାଇ ଚାଲିଛନ୍ତି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ।

ବଣ ପାହାଡ ଘେରା ଉପାନ୍ତ ଅଂଚଳ ମାଲକାନଗିରିର ମୁଦୁଲିପଡ଼ା । ଆଉ ତା’ ଭିତରେ ଆଦିମ ଜନଜାତି ରହୁଥିବା ବଣ୍ଡା ଘାଟିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବାହାରେ ଫୁଲ ବଗିଚା, ଭିତରେ ପରିଷ୍କାର ପରିଛନ୍ନତା । ପୂରାପୂରି ଘରୋଇ ମେଡିକାଲର ମାହୋଲ । ଚିକିତ୍ସାଳୟର ଚିତ୍ର ବଦଳାଇ ଦେଇଥିବା ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ । ଡାକ୍ତର ତ ନୁହନ୍ତି, ବଣ୍ଡାଘାଟିର ମଣିଷରୂପୀ ଭଗବାନ ।

ସପ୍ତାହର ସାତ ଦିନ, ଦିନର ୨୪ ଘଣ୍ଟା ଅନ୍ ଡ୍ୟୁଟି । ଖରା, ବର୍ଷା, ଶୀତରେ ଅନବରତ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଚମ୍ପେଶ୍ୱର । ଛୋଟ ମୋଟ ରୋଗରୁ ଗର୍ଭବତୀଙ୍କ ଡେଲିଭରି ଯାଏଁ, ବଣ୍ଡା ଆଦିବାସୀଙ୍କୁ ଆଉ ଯିବାକୁ ପଡୁନି ମାଲକାନଗିରି ଜିଲ୍ଲା ହସ୍ପିଟାଲ । ଭଗବାନଙ୍କ ଭଳି ଡାକ୍ତର ଓ ସ୍ୱପ୍ନରେ କେବେ ଭାବିନଥିବା ଚିକିତ୍ସା ସେବା ପାଇ ସେମାନଙ୍କ ଖୁସି କାହିଁରେ କଣ ।

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ । ସେଇଠୁ ଆରମ୍ଭ ହୋଇଥିଲା ଡାକ୍ତର ଚମ୍ପେଶ୍ୱରଙ୍କ ଅଭିଯାନ । ପ୍ରଥମେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କଲେ, ମେଡିକାଲ ମୁହାଁ କରାଇଲେ । ଦଦରା ଚିକିତ୍ସାଳୟର ଚିତ୍ର ବଦଳାଇ ଘରୋଇ ଚିକିତ୍ସାଳୟ ଭଳି ବ୍ୟବସ୍ଥା କଲେ । ଷ୍ଟାଫଙ୍କୁ ଦାୟିତ୍ୱ ବୁଝାଇ ଉତ୍ତମ ସେବାର ପରାମର୍ଶ ବି ଦେଲେ । ଏବେ ବଣ୍ଡା ଘାଟିରେ କାହାର କଣ ହେଲେ ସିଧା ଆସୁଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରକୁ, ଡାକ୍ତର ଚମ୍ପେଶ୍ୱରଙ୍କ ପାଖକୁ ।

ବଣ୍ଡା ଘାଟିର ଅପହଂଚ ଇଲାକାରେ ଆଦିବାସୀଙ୍କ ସେବାରେ ଲାଗିଥିବା ଚମ୍ପେଶ୍ୱରଙ୍କୁ ସହଯୋଗ କରୁଛନ୍ତି ଏମବିଏ ପଢୁଆ ପତ୍ନୀ ଅନୁଜା ମିଶ୍ର । ସେ ଚାହିଁଥିଲେ ଭଲ କମ୍ପାନୀରେ ଚାକିରି କରିପାରିଥାନ୍ତେ । ହେଲେ ସ୍ୱାମୀଙ୍କ ପଥରେ ଅନୁପ୍ରାଣିତ ହୋଇ ପାଲଟିଛନ୍ତି ଉପାନ୍ତ ଅଂଚଳର ସ୍ଥାୟୀ ସଦସ୍ୟ। ଗାଁ ଗାଁ ବୁଲି ମହିଳାଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଆସିବାକୁ ସଚେତନ କରାଉଛନ୍ତି । ଚମ୍ପେଶ୍ୱରଙ୍କର ଏହି ନିସ୍ୱାର୍ଥପର ସେବା ବଣ୍ଡା ଜନଜାତିଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ଠାରୁ କମ୍ ନୁହେଁ ।

  • Reported by:
  • JITENDRA BEURA