• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପା ନାହାନ୍ତି କି ମାଆ ନାହାନ୍ତି । ଆଗେ ଆଗେ ବାପା ଚାଲିଗଲେ, ମାତ୍ର କେଇ ଦିନ ମଧ୍ୟରେ ମାଆ ବି ଚାଲିଗଲେ । ସାଙ୍ଗ ହୋଇ ଡକାଡକି ହୋଇ ଆରପାରିକୁ ଯିବା ପରେ ଏବେ ଅନାଥ ହୋଇଗଲେ ୫ ଭାଇ- ଭଉଣୀ । ସ୍ଥିତି ଏମିତି ହେଲାଣି ବାପା-ମାଆଙ୍କ ଅବର୍ତ୍ତମାନରେ ସେମାନେ ଖାଇବାକୁ ବି ମୁଠେ ପାଉନାହାନ୍ତି । ବଡ଼ କଷ୍ଟରେ କାଟୁଛନ୍ତି ଦିନ ।

ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍‌ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ଚଳୁଥିଲା ୭ ପ୍ରାଣୀର କୁଟୁମ୍ବ । ହେଲେ ଆକସ୍ମିତ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଏ । ବାପାଙ୍କ ଅବର୍ତ୍ତମାନରେ ୫ ପିଲାଙ୍କ ମୁହଁରେ ଆହର ଦେବା ଲାଗି ଅଣ୍ଟା ଭିଡିଥିଲେ ମାଆ ।

ଅଧିକ ପଢ଼ନ୍ତୁ: ବାପା-ମାଆ ଯିବା ପରେ ପିଉସୀ କାନ୍ଧରେ ପିଲାଙ୍କ ଭବିଷ୍ୟତ

ହେଲେ ଦୈବ ଦେଇଛି ଦୁଃଖ, କିଏ କରିବ ଲାଘବ ? ପିଲାଙ୍କ ମୁହଁରେ ଆହାର ଯିଏ ଦେଉଥିଲା ତାକୁ ବି ନେଇଗଲେ ଭଗବାନ । ଏବେ ବାପା-ମାଆଙ୍କ ହାତ ମୁଣ୍ଡ ଉପରୁ ଉଠିଯିବା ପରେ ବଡ଼ ଚିନ୍ତାରେ ୫ ପିଲା । ମାଆ ସିନା ଚାଲିଗଲା ହେଲେ ଭାଇ-ଭଉଣୀଙ୍କୁ ମାଆର ସ୍ନେହ ଦେବା ଲାଗି ଅଣ୍ଟା ଭିଡିଛି ‌ବଡ ଭଉଣୀ । ୧୦ ମାସର କୁନି ଝିଅକୁ ବଞ୍ଚାଇବା ଲାଗି ପୂରା କସରତ କରୁଛି ବଡ ଭଉଣୀ । କେତେବେଳେ କୋଡରେ ଧରି ଝୁଲାଇ ଦେଉଛନ୍ତି ତ ଆଉ କେତେବେଳେ କ୍ଷୀର ବିସ୍କୁଟ ଗୁଣ୍ଡ କରି ଖୁଆଇ ଦେଉଛନ୍ତି । ବେଳେବେଳେ ଏମିତି ସମୟ ବି ଆସିଛି ନିଜ ପେଟରେ ଓଦା କନା ପକାଇ କୁନି ଭାଇ-ଭଉଣୀଙ୍କୁ ଖାଇବାକୁ ଦେଇଛନ୍ତି ବଡ ଭଉଣୀ ।

ଆଶ୍ଚର୍ଯ୍ୟର କଥା ହେଲା ବ୍ଲକ୍‌ ଠାରୁ ମାତ୍ର ୧୦ କିମି ଦୂରରେ ରହୁଥିବା ଏହି ୫ ଅନାଥ ପିଲାଙ୍କୁ କିନ୍ତୁ ମିଳିନାହିଁ କୌଣସି ପ୍ରଶାସନିକ ସହାୟତା । ଏମିତିକି ଘର ଭାଙ୍ଗି ଫାଳଫାଳ ହୋଇଯାଇଥିବା ପରେ ବି ମୁଣ୍ଡ ଗୁଞ୍ଜିବାକୁ ମିଳିନି ଖଣ୍ଡେ ଇନ୍ଦିରା ଆବାସ । ତୁରନ୍ତ ପ୍ରଶାସନ ସେମାନଙ୍କୁ ଘର ଯୋଗାଇ ଦେବା ସହିତ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇଲେ ୫ ଭାଇ-ଭଉଣୀ ଭଲରେ ବଞ୍ଚିପାରନ୍ତେ ବୋଲି କହିଛନ୍ତି ପଡୋଶୀ...

ଗରିବ ଖଟିଆଙ୍କ ଲାଗି ମାଳମାଳ ଯୋଜନା କରିଛନ୍ତି ସରକାର । ହେଲେ ପ୍ରକୃତରେ ଗରିବ ହିତାଧିକାରୀଙ୍କୁ ମିଳୁନି କୌଣସି ସରକାରୀ ସୁବିଧା । ଯେଉଁଥି ଲାଗି ନାନା ହଇରାଣ ହେଉଛନ୍ତି ଲୋକେ...

(କରଞ୍ଜିଆରୁ ଦୀପକ ମହାନ୍ତ)