• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପରିବାରର ବୋଝ ବୋହି ବୋହି ଅଂଟା ବଙ୍କିଗଲାଣି। ହେଲେ ସକାଳ ହେଲେ ଗରିଆ ପାଣିକୁ କାଖେଇ ଘରକୁ ବୋହି ନିଏ । ଘରେ ପିଲାମାନେ ଅପେକ୍ଷା କରିଥିବେ, ମାଆ-ବାପା ଶୋଷିଲା ଥିବେ । କଷ୍ଟ ହେଲେ ବି ପରିବାର ବୋଝ ଯେତେବେଳେ ମୁଣ୍ଡରେ ପଡିବ ସେତେବେଳେ ସବୁ କାମ ସହଜ ଲାଗିବ କହି ଦୁଃଖକୁ ଖୁସିରେ ପରିଣତ କରିବାକୁ ଚେଷ୍ଟା କରେ ଲକ୍ଷ୍ମୀ ।

କୋରାପୁଟ କୋଟପାଡ ବ୍ଲକ ପଟରଗୁଡା ଗାଁର ୨୩ ବର୍ଷୀୟା ଲକ୍ଷ୍ମୀ ସମରଥ। ଏତେ କମ୍‌ ବୟସରେ ବି ପୂରା ପରିବାର ବୋଝ ତା’ ଉପରେ। ରୋଷେଇ କରିବାଠୁ କୁନିକୁନି ପିଲାଙ୍କୁ ଖୁଆଇଦେବା, ଗାଧୋଇ ଦେବା ଆଦି ସବୁ କାମ । ଘର ଗୋଟାକର ପାଇଟି ସାରିବା ପରେ କୁନି କୁନି ପିଲାଙ୍କୁ  ପାଠ ବି ପଢାଏ । ପିଲାଙ୍କ ପାଇଁ ଏତେ କଷ୍ଚ କେବଳ ମାଆ ହିଁ କରୁଥିବା ଭାବୁଥିବେ। ନାଁ...ଏଇଠି ପିଉସୀ କୋଳରେ ବଢୁଛନ୍ତି ପିଲା ।

ବାପା, ମାଆ, ଭାଇ, ଭାଉଜ, ଝିଆରୀଙ୍କୁ ନେଇ ବେଶ୍‌ ହସଖୁସିରେ ଚଳୁଥିଲା ଲକ୍ଷ୍ମୀଙ୍କ ପରିବାର । କିନ୍ତୁ ଏ ହସଖୁସିର ସଂସାରରେ ସତେ ଯେମିତି କାହାର ନଜର ଲାଗିଗଲା । ୨୦୧୬ ମସିହାରେ ହଠାତ୍‌ ଲକ୍ଷ୍ମୀଙ୍କ ଭାଇଙ୍କୁ କମ୍ପ ଆସିଲା । ମେଡିକାଲ ନେଉ ନେଉ ବାଟରେ ଆଖି ବୁଜି ଦେଲେ ସେ । ସ୍ୱାମୀ ଚାଲିଯିବା ପରେ ୪ ଝିଅ, ଶାଶ୍ୱ, ଶ୍ୱଶୁର ଓ ନଣନ୍ଦଙ୍କୁ ଛାଡି ପଳେଇଲା ଭାଉଜ । ବାସ୍‌ ଏହାପରେ ଲକ୍ଷ୍ମୀଙ୍କ କାନ୍ଧରେ ଏବେ ସମସ୍ତଙ୍କ ଭାର ।

ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ । ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍‌ ଏମାନଙ୍କୁ ଯେତେବେଳେ ଦେଖିଥିଲା ସେମାନେ କାନ୍ଦିବାକୁ ଲାଗିଥିଲେ । କାହିଁକି କାନ୍ଦୁଛନ୍ତି ପଚାରିବାରୁ ଗୋଟି ଗୋଟି କରି ସବୁ ଦୁଃଖ ବଖାଣିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ କୁନି କୁନି ପିଲାଙ୍କର ଭବିଷ୍ୟତକୁ ନେଇ ପିଉସୀ ବି ବଡ ଚିନ୍ତିତ । ନିଜେ ଶିକ୍ଷିତ ହୋଇଥିବାରୁ ପାଠର ମହତ୍ୱ ବି ଜାଣିଛନ୍ତି । ତେଣୁ ସରକାରୀ ସାହାଯ୍ୟ ପାଇଁ ଅଫିସ୍‌ରେ ପଇଁତରା ମାରୁଛନ୍ତି । ଏମାନଙ୍କ ଦୁଃଖ ଓ ସମସ୍ୟା ଜାଣିବା ପରେ ତୁରନ୍ତ ୪ ପିଲାଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ସହିତ ଲକ୍ଷ୍ମୀଙ୍କୁ ଆତ୍ମନିର୍ଭର କରିବାର ବାଟ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜିକା ଦୁନିଆରେ ୮ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଦେବା ବଡକଷ୍ଟ । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନାକରି ସମସ୍ତଙ୍କ ସ୍ୱପ୍ନକୁ କେମିତି ପୂରଣ କରିହେବ ସେନେଇ ଲକ୍ଷ୍ମୀଙ୍କ ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ, ଓଟିଭି