ପୁଅକୁ ଝୁରି ଝୁରି ମୁଣ୍ଡ ବାଡେଇ କାନ୍ଦୁଛି ମାଆ । ଧନ ତୁ କୁଆଡେ ଗଲୁରେ, ମତେ କାହିଁକି କନ୍ଦେଇ ଦେଇ ଗଲୁରେ ? ଏମିତି କେତେ କଣ କହି କହି ଚେତା ହାରିଦେଉଛି ମାଆ । ଯେତେ ବୁଝେଇଲେ ସେ ବୁଝିବାକୁ ନାରାଜ । ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?
ପୁଅ ସିନା ଚାଲିଗଲା, ହେଲେ ସେ ଯେଉଁ ବିରାଟ କାମ କରିଦେଇଗଲା ତା’କୁ ନେଇ ନିଶ୍ଚୟ ଏଇ ମାଆଟି ଗର୍ବ କରୁଥିବ । ସାପ କାମୁଡାରେ ଜୀବନ ହାରିଥିବା ପୁଅ ନିଜର ଆଖି ଦୁଇଟିକୁ ଦାନ କରିଦେଇଗଲା । ଆଉ ସେଇ ଆଖିରେ ଏବେ ଦୁଇଜଣ ନୂଆ ଦୁନିଆ ଦେଖିବେ । ହେଲେ ଏ ଖୁସି ଚାଲିଯାଇଥିବା ଶୁଭମର ମାଆ ଉପରେ କିଛି ପ୍ରଭାବ ପକାଉନି । ତା ମୁହଁରେ ଗୋଟିଏ କଥା, ଧନ ତୁ ମୋ କୋଳକୁ ଫେରି ଆସେ । ମୁଁ କିଛି ଚାହୁଁନି, ଖାଲି ତତେ ଟିକିଏ ଗେଲ କରିବାକୁ ଚାହେଁ ।
Also Read
ମାଆର ଏଭଳି ଚିତ୍କାର ଓ କାନ୍ଦିବାର ଦ୍ୟୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ତରଳିଯିବ । ଆପଣଙ୍କ ଛାତି ଫାଟିଯିବ । ଆଉ ଆପଣଙ୍କ ଆଖିରୁ ଦୁଇ ଟୋପା ଲୁହ ନିଶ୍ଚୟ ଝରିଆସିବ । ଆଉ ଆପଣ ବି କହିବେ ଏମିତି ଦୁଃଖ ଭଗବାନ ଶତ୍ରୁକୁ ବି ନଦିଅନ୍ତୁ । ପୁଅକୁ ହରାଇ ମାଟିରେ ମୁଣ୍ଡ ପିଟି ପିଟି କାନ୍ଦୁଥିଲା ମାଆ । ସେ ଜାଣିଛି ପୁଅ ଆଉ ଫେରିବନି ହେଲେ ମନ କିନ୍ତୁ ବୁଝୁନଥାଏ । ଗୋଟିଏ ପଟେ ଶୁଭମର ଚିତା ଜଳୁଛି ଅନ୍ୟପଟେ ସେ ଶୁଭମର ଦୁଇ ଆଖି ଅନ୍ୟ ଦୁଇ ଜଣଙ୍କୁ ନୂଆ ଦୁନିଆ ଦେଖାଉଛି ।
ଶୁଭମର ମାଆଙ୍କ କହିବା ଅନୁସାରେ, ରାତିରେ ଖାଇ ପିଇ ସମସ୍ତେ ଶୋଇବା ପରେ ହଠାତ୍ ଶୁଭମ ଉଠି ପେଟ ଆଉ ମୁଣ୍ଡ କଣ ହେଉଛି ବୋଲି କହି କାନ୍ଦିଲା । ସାଙ୍ଗେ ସାଙ୍ଗେ ମେଡିକାଲକୁ ନେଇ ଥିଲେ ପରିବାର ଲୋକ । ଇଂଜେକସନ୍ ଦେବା ପରେ ବି ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ତେଣୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଶୁଭମକୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ପରିବାର ଲୋକ ଶୁଭମଙ୍କ ପାଇଁ ନେଇଥିଲେ ବଡ ନିଷ୍ପତ୍ତି । ପରିବାରର ନିଷ୍ପତ୍ତି ଅନୁଯାୟୀ ଶୁଭମର କରାଯାଇଥିଲା ଚକ୍ଷୁଦାନ । ମାତ୍ର ସପ୍ତମ ଶ୍ରେଣୀର ଛାତ୍ର ଚକ୍ଷୁଦାନ କରିଥିବାରୁ ସବୁଆଡୁ ମିଳୁଛି ପ୍ରଶଂସା । ହେଲେ ମାଆ କୋଳ ଖାଲି କରିଦେଇ ଶୁଭମ୍ ଚାଲିଯାଇଥିବାରୁ ପୁଅକୁ ଝୁରି ଝୁରି ମୁଣ୍ଡ ପିଟି କାନ୍ଦୁଛି ମାଆ । ଶୁଭମ ସିନା ଚାଲିଗଲା ହେଲେ ଦୁନିଆ ପାଇଁ ସେ ଅମର ହୋଇ ରହିଲା ।
(ରିପୋର୍ଟ- ଦ୍ୱିତିକୃଷ୍ଣ ପଟ୍ଟନାୟକ, ପିପିଲି)