/odishatv-khabar/media/post_attachments/uploadimage/library/16_9/16_9_0/Humanity_1658414156.jpg)
Humanity
ପର କରିଦେଲେ ପରିବାର ଓ ଆତ୍ମୀୟ । ଶେଷରେ ପୋଲିସ ବାବୁ ଦେଖାଇଲେ ମହାନତା । ଆଉ ଏବେ ପୋଲିସ ବାବୁଙ୍କ ମାନବିକତାକୁ ନେଇ ଢେର୍ ଚର୍ଚ୍ଚା । ହାତୀ ଆକ୍ରମଣରେ ଜୀବନ ହାରିଥିବା ଜଣେ ବ୍ୟକ୍ତିଙ୍କ ଶବକୁ କାନ୍ଧରେ ଧରି ଜଙ୍ଗଲରୁ ଗାଁକୁ ଆଣି ଚର୍ଚ୍ଚାରେ ପୋଲିସ ବାବୁ । ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।
ଗତକାଲି ଏକ ଦନ୍ତା ହାତୀର ଆକ୍ରମଣରେ ଉପର ଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀଙ୍କ ମୃତ୍ୟୁ ହୋଇଥିଲା । ଏକ ଦନ୍ତା କିଛି ଦିନ ହେବ ଗାଁକୁ ଆସି ଉତ୍ପାତ କରୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ବନ ବିଭାଗ ଏହି ହାତୀକୁ ଘଉଡ଼ାଉ ଥିବା ବେଳେ ହାତୀଟି ଯୁବକକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ମହୁଲ ପଦା ପୋଲିସ, ରେଞ୍ଜର ଘଟଣାସ୍ଥଳରେ ପହଂଚି ଥିଲେ । ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ଭ କେହି ଶବକୁ କାନ୍ଧ ଦେଇ ନଥିଲେ । ଶେଷରେ ମହୁଲ ପଦା ଆଇ ଆଇ ସି ଏବଂ ତାଙ୍କ କର୍ମଚାରୀ ଯୁବକକୁ ପାହାଡ଼ ଉପରୁ ୩ କିମି ତଳକୁ ଆଣିଲେ । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ପୋଲିସ ବାବୁଙ୍କ ଏହି ମାନବିକତା ଏବେ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
କୁହାଯାଉଛି ପୋଲିସ ବାବୁଙ୍କ ଏହି କାର୍ଯ୍ୟ ଅନ୍ୟ ପୋଲିସ ବାବୁଙ୍କ ପାଇଁ ପ୍ରେରଣା ହେବ । ଏହାସହ ଯେଉଁ ଲୋକମାନେ ଜାତି ପ୍ରଥା ଆଢ଼ୁଅଳରେ ନିଜ ଲୋକଙ୍କୁ ଭୁଲିଗଲେ ସେମାନଙ୍କ ପାଇଁ ଏହା ଏକ ଉଚିତ୍ ଶିକ୍ଷା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)