• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ ମାଆ, ଅନ୍ୟପଟେ ସ୍ତ୍ରୀ.. ଦୁହେଁ ରୋଗଗ୍ରସ୍ତ । ବିନା ସାହାରାରେ ସେମାନେ ଉଠୁନାହାନ୍ତି କି ବସୁନାହାନ୍ତି । ଉଭୟଙ୍କୁ ଟେକି ଟେକି ନେବା ଆଣିବା କରିବାକୁ ପଡୁଛି । ବୟସାଧିକ କାରଣରୁ ମାଆ ଉଠିପାରୁନି, ସେପଟେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ପରେ ସ୍ତ୍ରୀ ପାରାଲିସିସ୍‌ ରୋଗରେ ପଡିଛି । ଘରେ ଦୁଇ ଦୁଇ ଜଣ ରୋଗୀ ବିଛଣାରେ ପଡିବା ପରେ ସେମାନଙ୍କ ସେବା କରି କରି କୃଷ୍ଣ ଏତେ ବ୍ୟସ୍ତ ଯେ ରୋଜଗାର ପାଇଁ ତାଙ୍କ ପାଖରେ ସମୟ ବି ନାହିଁ । ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ?

ପାରାଦୀପ ଲକପଡା ବସ୍ତିର କୃଷ୍ଣପଦ ମଣ୍ଡଳ । ତାଙ୍କ ପରିବାର ଉପରେ ଦୈବ ଏମିତି ଦୁଃଖ ଲଦି ଦେଇଛି ଯେ କୃଷ୍ଣ କଣ କରିବେ, କେମିତି କରିବେ କିଛି ବୁଝିପାରୁନାହାନ୍ତି । ପର ଦୁଆରେ ମୂଲ ଲାଗିଲେ ଘରେ ଚୁଲି ଜଳେ । କିନ୍ତୁ ଏବେ ସେ ଘରୁ ଗୋଡ ବି କାଢିପାରୁ ନାହାନ୍ତି । ପାରାଲିସିସ୍‌ ସ୍ତ୍ରୀକୁ ଓ ରୋଗୀଣା ମାଆକୁ ଘରେ ଏକା ଛାଡି କାମ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ ।

ସେପଟେ ରୋଜଗାର ବନ୍ଦ ହୋଇଯିବା ପରେ ଏବେ ଘରେ ଚୁଲି ବି ଜଳୁନି । ସେଇଠି ଦୁଇ ରୋଗୀଙ୍କ ଚିକିତ୍ସା କଥା ପଚାରେ ବା କିଏ ? ପତ୍ନୀ ସୁସ୍ଥ ଥିବା ବେଳେ ସ୍ୱାମୀଙ୍କ ସହ ମୂଲ ଲାଗିବାକୁ ଯାଆନ୍ତି । ହେଲେ ସେ ରୋଗରେ ପଡିବା ପରେ ଏବେ ସବୁ କିଛି ପୁରା ଠପ୍‌ । କୃଷ୍ଣଙ୍କ ଦୁଃଖ ଦେଖି ପାଖ ପଡ଼ୋଶୀ ବେଳେବେଳେ ସାହାଯ୍ୟର ହାତ ବଢ଼ାଇଥାନ୍ତି ସତ, ହେଲେ ସେମାନଙ୍କ ହାତ ଟେକାକୁ କୃଷ୍ଣ କେତେଦିନ ବା ଭରଷା କରିବେ ?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୃଷ୍ଣଙ୍କ ଘର ପାରାଦୀପ ପୌରାଚଂଳ ୨ ନମ୍ବର ୱାର୍ଡରେ । ଆଉ ସେହି ୱାର୍ଡରେ ଭାଇସ୍‌ ଚେୟାରମ୍ୟାନଙ୍କ ଘର । ହେଲେ କୃଷ୍ଣଙ୍କ ପରିବାରକୁ ଏଯାଏଁ ମିଳିପାରିନି ସରକାରୀ ସହାୟତା । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ କ’ଣ ବୋଲି ଜାଣିନାହାନ୍ତି କୃଷ୍ଣ ।

ଏଠାରେ ପ୍ରଶ୍ନ ଉଠୁଛି, ସରକାର କହୁଛନ୍ତି ବିଜୁ ସ୍ୱାସ୍ଥ୍ୟକାର୍ଡରେ ମହିଳାଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ମିଳିପାରିବ । ହେଲେ କୃଷ୍ଣଙ୍କ ଘରେ ଦୁଇ ଦୁଇ ଜଣ ମହିଳା ରୋଗରେ ପଡିଥିବା ବେଳେ ଏ ପର୍ଯ୍ୟନ୍ତ ପହଞ୍ଚିନାହିଁ ସରକାରୀ ସହାୟତା । ସେପଟେ ପୌରାଧ୍ୟକ୍ଷ କହୁଛନ୍ତି, ତାଙ୍କୁ ଏ ସମ୍ପର୍କରେ କୃଷ୍ଣ ଜଣାଇଲେ ସବୁ ପ୍ରକାର ସହାୟତା ମିଳିବ ।

କୃଷ୍ଣଙ୍କ ଦୁଃଖ ସିନା ସରକାରୀ ବାବୁମାନଙ୍କୁ ଦେଖାଯାଉନି ହେଲେ ପାଖ ପଡୋଶୀ କିନ୍ତୁ କୃଷ୍ଣଙ୍କ ପରିବାରକୁ ଯଥା ସମ୍ଭବ କରୁଛନ୍ତି ସାହାଯ୍ୟ । ଏମିତିକି ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

(ରିପୋର୍ଟ- ରମାକାନ୍ତ ନାୟକ, ପାରାଦୀପ)