କୁହାଯାଏ, କୁକୁର ଦୁନିଆର ସବୁଠୁ ବିଶ୍ବସ୍ତ ପ୍ରାଣୀ । ଏମିତି ଏକ କୁକୁରର କାହାଣୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ନିଜ ମାଲିକକୁ ବଞ୍ଚାଇବାକୁ ବାଘ ସହ ଲଢେଇ କଲା କୁକୁର । ବଳୁଆ ବାଘର ମୁକାବିଲାରେ ନିଜେ ଲହୁଲୁହାଣ ହୋଇଗଲା, ହେଲେ ଶେଷ ନିଶ୍ୱାସ ଯାଏ ମାଲିକ ଦେହରେ ସାମାନ୍ୟ ଆଞ୍ଚ ଆସିବାକୁ ଦେଲାନି । ବାଘ ସହ ଲଢି ଲଢି ଶେଷରେ ଆଖି ବୁଜିଦେଲା । କୁକୁର କେତେ ଯେ ୱଫାଦାର୍ ହେଇପାରେ, ତାହାର ଏକ ନିଚ୍ଛକ ଉଦାହରଣ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ ।
ଅଧିକ ପଢ଼ନ୍ତୁ: ନୃଶଂସ, ବର୍ବର...ମୃତ୍ୟୁ ସହ ଲଢେଇ କରୁଛି ଦୁଷ୍କର୍ମର ଶିକାର ଶିଶୁକନ୍ୟା, ଗୁପ୍ତାଙ୍ଗରେ ପଡିଛି ୨୮ ଷ୍ଟିଚ୍
ଘଟଣାଟି ମଧ୍ୟପ୍ରଦେଶ ଉମରିଆ ଜିଲ୍ଲା ବାଧବଗଡ଼ ଅଭୟାରଣ୍ୟ ଅଞ୍ଚଳର । ସ୍ଥାନୀୟ ଭାରହୁଟ୍ ଗାଁର ଶିବମ୍ ବାରଗେୟା ସକାଳୁ ନିଜ ପୋଷା ଜର୍ମାନ ସେଫାଡ୍ କୁକୁର ସହ ବାହାରେ ବୁଲୁଥିଲେ । ଏତିକି ବେଳେ ହଠାତ୍ ଜଙ୍ଗଲରୁ ଏକ ବାଘ ଗାଁକୁ ପଶି ଆସିଥିଲା । ବାଘଟି ଶିବମ୍ଙ୍କୁ ଦେଖି ଆକ୍ରମଣ କରିବାକୁ ମାଡି ଆସିଥିଲା । ହେଲେ ଆକ୍ରମଣ କରିବା ପୂର୍ବରୁ ଶିବମଙ୍କ ପାଳିତ କୁକୁର ବାଘ ସହ ଲଢ଼େଇ କରିଥିଲା ।
କିଛି ସମୟ ପାଇଁ ବାଘକୁ ଏମିତି ଘାଇଲା କରିଲା ଯେ ବାଘ ସେଠୁ ଦୌଡ଼ି ପଳାଇଥିଲା । ହେଲେ ମାଲିକ ପାଇଁ ବାଘ ସହ ଲଢ଼ି ଲଢ଼ି ଶେଷରେ ଆଖି ବୁଜିଥିଲା କୁକୁର । ଶିବମ୍ ତାକୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ ପଶୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ଗୁରୁତର କ୍ଷତ ଯୋଗୁଁ କିଛି ଘଣ୍ଟା ପରେ କୁକୁରର ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଯିଏ ବି ଶୁଣୁଛି, ସେ ସାହସୀ କୁକୁରର ପ୍ରଶଂସା ନକରି ରହିପାରୁନି । କୁକୁର କେତେ ଯେ ୱଫାଦାର୍ ହୋଇପାରେ, ତାର ଯଦି ଉଦାହରଣ ଦିଆଯିବ ତାହେଲେ ମଧ୍ୟପ୍ରଦେଶର ଏଇ ଘଟଣା ସବୁବେଳେ ସାମ୍ନାକୁ ଆସିବ ।