Advertisment

ହାରୁଛି ଗରିବି, ଜିତୁଛି ଦମ୍ଭ ! ସାଙ୍ଗ ସାଥୀଙ୍କ ଚୁଟି କାଟି ଚର୍ଚ୍ଚାରେ ଛାତ୍ର ରୂପକ

କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।

author-image
Satyendu Shekher Mishra
Rupak Dalei

Rupak Dalei

ଯେଉଁ ହାତ କଇଁଚି ଧରି ସାଙ୍ଗଙ୍କ ଶରୀରକୁ ନୂଆ ରୂପ ଦେଇ ପାରେ, ସିଏ କଣ ନିଜ ପଛରେ ଲମ୍ବିଥିବା ଗରିବିର ରୂପକୁ ବଦଳେଇ ପାରିବନି। ହଁ ନିଶ୍ଚୟ ପାରିବ। ସେଇଥିପାଇଁ ତ କେତେବେଳେ ସେ ସାଙ୍ଗ ସାଥିଙ୍କ ଚୁଟି କାଟନ୍ତି, ତ ପୁଣି କେତେବେଳେ ଟିକେ ଛୁଟି ପାଇଲେ ଗାଁକୁ ଧାଇ ଯାଇଁ ନିଜ ପଢ଼ା ଖର୍ଚ୍ଚ ତୁଲାଇବାକୁ କାଠ କାଟନ୍ତି, ମୂଲ ବି ଲାଗନ୍ତି ।

Advertisment

ହଁ ନିଜ ଭାଗ୍ୟକୁ ନିଜ ହାତରେ ରୂପ ଦେବା ପ୍ରୟାସରେ ଥିବା ଇଏ ସେଇ ଦୃଢମନା ରୂପକ ଦଳେଇ । ଘର ମୟୂରଭଞ୍ଜ କପ୍ତିପଦାର ନଛିପୁର ଗାଁ । ଭଲ ପଢ଼ନ୍ତି। ମାଟ୍ରିକରେ ଫାଷ୍ଟକ୍ଲାସ୍ ପରେ ଫକିର ମୋହନ ଜୁନିୟର କଲେଜର ପ୍ଲସ-ଟୁ ଦ୍ୱିତୀୟ ବର୍ଷର କଳା ଛାତ୍ର ସିଏ । ମୁଣ୍ଡ ଉପରେ କାଉନସିଲ ପରୀକ୍ଷା । ତା ସତ୍ତ୍ୱେ ବି ହଷ୍ଟେଲ ଫି ଭରିବାକୁ ପାଠ ପାଇଁ ସମୟ ଦେଇ ପ୍ରତି ରବିବାର ଏମିତି ସାଙ୍ଗମାନଙ୍କ ଚୁଟି କାଟନ୍ତି । ଆଉ ଯୋଦ୍ଧାଟିଏ ଭଳି ନିଜ ଜୀବନର ଏ ସଂଘର୍ଷ ଭିତରେ ଭବିଷ୍ୟତରେ ଡିଫେନସ ଲାଇନରେ ଯିବାକୁ ଲକ୍ଷ୍ୟ ରଖିଛନ୍ତି ରୂପକ ।

ରୂପକଙ୍କ ଏ ସଂଘର୍ଷ ରାସ୍ତାରେ ତାଙ୍କ ସହ କେହି ଯେ ନାହାନ୍ତି ତାହା ନୁହେଁ । ହେଲେ ସେ କିନ୍ତୁ ମାଗଣାରେ କାହାରିଠୁ କିଛି ବି ଗ୍ରହଣ କରନ୍ତିନି । ଜଣେ
ମେଧାବୀ ଛାତ୍ର ଓ ତାଙ୍କ ସ୍ୱାଭିମାନୀ ଗୁଣ ପାଇଁ ସାଙ୍ଗସାଥୀଠୁ ନେଇ ଅଧ୍ୟାପକ, ଅଧ୍ୟକ୍ଷ ଏମିତିକି ତାଙ୍କୁ ପୁଅ ଭଳି ଆଦର କରୁଥିବା ଜଣେ ଅଧ୍ୟାପକଙ୍କ ପତ୍ନୀ ବି, ରୂପକଙ୍କ ପ୍ରଶଂସାରେ ଶତମୁଖ ।

Advertisment

ନଛିପୁର ଗାଁରେ ରହୁଛି ରୂପକଙ୍କ ଏକ ଝାଟିମାଟିର ଘର । ବାପା ଦିନ ମଜୁରିଆ । ମାଆ ଖଲି ପତ୍ର ବିକିଲେ ସଂସାର ଚଳେ । ହେଲେ ଗରିବିର ଏ ତାଡ଼ନା ଭିତରେ କାହା ମୁହଁରୁ ସ୍ୱାଭିମାନୀ ପୁଅର ପ୍ରଶଂସା ଶୁଣିଲେ ମାଆ ମନ ପୂରି ଉଠେ । ପୁଅକୁ ନେଇ ସ୍ୱପ୍ନ ଡେଣା ମେଲିଯାଏ । 

ଭଲ ପାଠ ପଢ଼ିବା ସହ ରୂପକ ଭଲ ଡ୍ୟାନ୍ସ କରନ୍ତି, ଗୀତ ବୋଲନ୍ତି, ଶାରୀରିକ କସରତ ବି କରି ନିଜକୁ ଫିଟ୍ ରଖନ୍ତି । ସୂର୍ଯ୍ୟ ଭଳି ଚମକିବାକୁ ସୂର୍ଯ୍ୟଙ୍କ ଭଳି ଜଳି
ଚାଲିଥିବା ରୂପକ ତାଙ୍କ ଭଳି ଅନେକଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

Special Story Humanity
Advertisment
Advertisment