Delhi Air Pollution: ଘର ଭିତରେ ସବୁଜ ବଳୟ; ଦିଲ୍ଲୀର ଏହି ଘରକୁ ଛୁଇଁ ପାରିନି ପ୍ରଦୂଷଣ

ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର ଭିତରେ AQI ୧୦ରୁ ୧୫ ରେକର୍ଡ ହୋଇଛି।

ବିଷ ବଳୟ ବାହାରେ ଦିଲ୍ଲୀର ଏହି ଘର

ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ଚାରିଆଡ଼େ ଧୂଆ ଆଉ ଧୂଆଁ ଭଳି ସ୍ଥିତି। ରାସ୍ତା ଘାଟ ଭଲରେ ଦେଖା ବି ଯାଉନି। ଆଉ ବିଶୁଦ୍ଧ ବାୟୁ କଥା ନ କହିବା ଭଲ। ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର ଭିତରେ କେବଳ ବିଶୁଦ୍ଧ ବାୟୁ ହିଁ ରହିଛି। ଏହି ଘର ନିର୍ମାଣ ପଛରେ ରହିଛି ଏକ ସଂଘର୍ଷର କାହାଣୀ। ଯାହା ଶୁଣିଲେ ଆପଣ ବି ପ୍ରଶଂସା ନକରି ରହିପାରିବେ ନାହିଁ।

ଦକ୍ଷିଣ ଦିଲ୍ଲୀର ସୈନିକ୍ ଫାର୍ମ ଅଞ୍ଚଳରେ ରହିଛି ଏହି ଘର। ଏ ଘରର କାହାଣୀ ଏକ ସଂଘର୍ଷ ଉପରେ ଆଧାରିତ, ଯାହାର ମାଲିକ ହେଉଛନ୍ତି ପିଟର ସିଂ ଓ ନୀନୋ କୌର। ପତ୍ନୀ ନୀନୋ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେବାପରେ କେମୋଥେରାପି ନେଉଥିଲେ। ଯାହାଫଳରେ ତାଙ୍କର ଦୁର୍ବଳ ଫୁସଫୁସ ଦିଲ୍ଲୀ ସହରର ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ନେବା କଷ୍ଟକର ହୋଇପଡିଥିଲା। ଜଣେ ଡାକ୍ତର ତାଙ୍କୁ ଦିଲ୍ଲୀ ଛାଡିବାକୁ ପରାମର୍ଶ ଦେଇଥିଲେ। ହେଲେ ଅନ୍ୟ ଜଣେ ଆୟୁର୍ବେଦିକ ବିଶେଷଜ୍ଞ ତାଙ୍କୁ ସମ୍ପୂର୍ଣ୍ଣ ଜୈବିକ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ।

ପରେ ପରେ ସେମାନଙ୍କ ପୁଅ ଗୋଆରେ ଏକ ଘର କିଣିଥିଲେ। କିଛି ଦିନ ରହିବା ପରେ ସେମାନେ ଏକ ନୂତନ ସଂକଳ୍ପ ନେଇ ଦିଲ୍ଲୀ ଫେରିଥିଲେ । ତାଙ୍କ ଘରକୁ ଏକ ସୁସ୍ଥ ବାତାବରଣ ଦେବାକୁ କାମ ଆରମ୍ଭ କରିଦେଲେ। ଦିଲ୍ଲୀର ଧୂଆଁ ଭରା ରାସ୍ତା ମଧ୍ୟରେ ଏହି ଘର ବର୍ତ୍ତମାନ ପର୍ଯ୍ୟାବରଣ ସ୍ଥିରତାର ପ୍ରତୀକ ପାଲଟିଛି। ଏହି ଦମ୍ପତି ସେମାନଙ୍କ ଘରେ ଲଗାଇଛନ୍ତି ପ୍ରାୟ ୧୫ହଜାର ଗଛ। ଉନ୍ନତ ଆତ୍ମନିର୍ଭରଶୀଳ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ସରଳ ଡିଜାଇନରେ ସେ ଏହା ପ୍ରସ୍ତୁତ କରିଛନ୍ତି। ଯାହା ଫଳରେ ସେହି ସ୍ଥାନରେ AQI ୧୦ରୁ ୧୫ ମଧ୍ୟରେ ବଜାୟ ରଖିବାରେ ସଫଳ ହୋଇଛନ୍ତି।

ଭୟଙ୍କର ପ୍ରଦୂଷଣ ସହ ସଂଗ୍ରାମ କରୁଥିବା ସହରରେ ଏହି ଘର ହେଉଛି ଦୁର୍ଲ୍ଲଭ। ସାଧାରଣ ଘର ପରି, ଏହି ଘରେ ପେଣ୍ଟ କିମ୍ବା ପ୍ଲାଷ୍ଟର ବ୍ୟବହାର କରାଯାଇ ନାହିଁ । ପାରମ୍ପରିକ ନିର୍ମାଣ ପଦ୍ଧତିଗୁଡିକ ବ୍ୟବହାର ହୋଇ ଇଟା ଓ ସିମେଣ୍ଟ ପରିବର୍ତ୍ତେ ଚୂନ ମୋର୍ଟାର ବ୍ୟବହାର କରାଯାଇଛି। ଏପରିକି ଛାତକୁ କଂକ୍ରିଟ ସ୍ଲାବ ବଦଳରେ ପଥର ଟାଇଲ ଦ୍ୱାରା ଆଚ୍ଛାଦିତ କରାଯାଇଛି । ଏହି ପରିବେଶ ଅନୁକୂଳ ପଦ୍ଧତି ଘର ଭିତରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଦିଲ୍ଲୀର ଭୟଙ୍କର ଗ୍ରୀଷ୍ମ ମାସରେ ମଧ୍ୟ ଯଥେଷ୍ଟ ଥଣ୍ଡା ରଖେ ।

ଅଧିକ ପଢନ୍ତୁ: ଦିଲ୍ଲୀ ବାୟୁରେ ପ୍ରବଳ ବିଷ ! ଦୈନିକ ୫୦ ସିଗାରେଟ୍‌ ପିଉଛନ୍ତି ଦିଲ୍ଲୀବାସୀ !!

ଜଳ ସଂରକ୍ଷଣ ହେଉଛି ଅନ୍ୟ ଏକ ମୁଖ୍ୟ ବୈଶିଷ୍ଟ୍ୟ, ଯେଉଁଥିରେ ବର୍ଷା ଜଳ ୧୫ହଜାର ଲିଟର ଟ୍ୟାଙ୍କରେ ସଂଗ୍ରହ କରାଯାଇ ଜଳସେଚନ କରାଯାଉଛି। ଗୋଟିଏ ବୁନ୍ଦା ଜଳ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଜଳକୁ ଯତ୍ନର ସହିତ ପୁନଃ ବ୍ୟବହାର କରାଯାଏ । କେବଳ ସେତିକି ନୁହେଁ, ଏହି ଘରେ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି। ବର୍ଷା ଜଳକୁ କିପରି ସଂରକ୍ଷଣ କରି ରଖାଯିବ ସବୁ ବ୍ୟବସ୍ଥା କରାଯାଇଛି। ଅନାବଶ୍ୟକ ଜଳ ପୁଣି ଥରେ ମାଟି ତଳକୁ ଯିବାର ବ୍ୟବସ୍ଥା ହୋଇଛି। ଏହାଛଡା ସୌରଶକ୍ତିର ବ୍ୟବହାର ଯୋଗୁଁ ବିଜୁଳି ସଂରକ୍ଷଣ ମଧ୍ୟ ହୋଇପାରୁଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ପିଟର ଏବଂ ନୀନୋ ବଜାରରୁ କେବେ କୌଣସି ପନିପରିବା କିଣନ୍ତି ନାହଁ। ଘରର ଆବର୍ଜନାକୁ ବ୍ୟବହାର କରି ସେମାନେ ଖତ ପ୍ରସ୍ତୁତ କରନ୍ତି ଓ ଏହାକୁ ଗଛରେ ଦେଇ ଫସଲ ଉତ୍ପାଦନ କରନ୍ତି। ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟରେ ନଡା ଜାଳିବା ଯୋଗୁଁ ପ୍ରଦୂଷଣ ହେଉଥିବା ବେଳେ ଏହି ଦମ୍ପତି ଏହାର ସୁବିନିଯୋଗ କରି ଏଥିରୁ ଫସଲ ଅମଳ କରିପାରୁଛନ୍ତି। ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଅଧିକ ପଢ଼ନ୍ତୁ: Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି