Advertisment

ବଞ୍ଚିଥିବାବେଳେ ଜ୍ଞାନ ବାଣ୍ଟୁଥିଲେ, ମୃତ୍ୟୁ ପରେ ଶରୀର ଦାନ କରି ଅମର

ସୁନିଲ ସାର ଦଶନ୍ଧି ଦଶନ୍ଧି ଧରି ଶିକ୍ଷାଦାନରେ ନିଜକୁ ବ୍ରତି ରଖିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
 Professor Sunil Kanta Behera Death

professor Sunil Behera

ଜୀବନବ୍ୟାପୀ ପିଲାମାନଙ୍କୁ ଜ୍ଞାନ ବାଣ୍ଟିଲେ ଆଉ ଦୁନିଆରୁ ଚାଲିଗଲା ପରେ ସମାଜ ପାଇଁ ନିଜ ଶରୀର ଓ ଅଙ୍ଗ ଦାନ କରି ଆଉ ଏକ ମହତ୍ କାମ କରିଗଲେ। ଦଶନ୍ଧି ଦଶନ୍ଧି ଧରି ସାମ୍ବାଦିକ ଗଢ଼ୁଥିବା ଗୁରୁ ଜଣକ ଆଜି ଆଉ ଏ ଦୁନିଆରେ ନାହାନ୍ତି। କୁହାଯାଏ ଜଣେ ଗୁରୁ ସବୁ ସମୟରେ ଗୁରୁ ବର୍ତ୍ତମାନରେ ବି, ଅବର୍ତ୍ତମାନରେ ବି ଏହାକୁ ପ୍ରମାଣିତ କରି ଚାଲିଯାଇଛନ୍ତି ସମସ୍ତଙ୍କର ପ୍ରିୟ ସୁନିଲ୍ ସାର୍। ଓଡ଼ିଆ ସାମ୍ବାଦିକତା ଜଗତର ଛାତ୍ରବତ୍ସଳ ପ୍ରଫେସର ସୁନିଲକାନ୍ତ ବେହେରା ଗତକାଲି ବ୍ରହ୍ମପୁରସ୍ଥିତ ବାସଭବନରେ ତାଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି।

Advertisment

ଜୀବନବ୍ୟାପୀ ଛାତ୍ରଛାତ୍ରୀଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା ସୁନିଲ ସାର ତାଙ୍କ ଶରୀର ଓ ଅଙ୍ଗ ଦାନ କରିଦେଇଯାଇଛନ୍ତି। ନିଜ ଇଛାପତ୍ରରେ ଲେଖିଛନ୍ତି, ମୋ ଅବର୍ତ୍ତମାନରେ ମୋ ଶରୀର ଓ ଅଙ୍ଗ ସାହାଯ୍ୟରେ ଯଦି ଡାକ୍ତରୀ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଉପକୃତ ହେବେ ଏହାଠାରୁ ଭଲକାମ ଆଉ କଣ ବା ହୋଇପାରେ? ତାଙ୍କର ଏହି ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କର ମର ଶରୀର ଶ୍ମଶାନ ଯାଇନାହିଁ,  ଯାଇଛି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ୍‌ର ଆନାଟୋମି ବିଭାଗକୁ। ଏଇଠି ରହିବ ତାଙ୍କ ଶରୀର।

ସୁନିଲ ସାର୍ ବଞ୍ଚିଥିବା ବେଳେ ପାଠ ପଢ଼ାଉଥିଲେ, ଚାଲିଗଲା ପରେ ବି ପାଠ ପଢାରେ ତାଙ୍କ ଶରୀର ଉପଯୋଗ ହେବ। ନିଜ ଅଙ୍ଗ ଓ ଶରୀର ଦାନ ପାଇଁ ଚଳିତ ବର୍ଷ ଜୁଲାଇ ୨୨ତାରିଖରେ ନିଜ ଇଛାପତ୍ର ଲେଖି ଦେଇଥିଲେ ସୁନିଲ ସାର। ତାଙ୍କ ଶେଷ ଇଚ୍ଛାକୁ ଆଜି ତାଙ୍କ ପରିବାର, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ସମ୍ମାନର ସହ ପାଳନ କରିଛନ୍ତି। ଶରୀର ଦାନ ସୁନୀଲ ସାରଙ୍କ ଜ୍ଞାନବିତରଣ ଧାରାକୁ ଅନ୍ତହୀନ କରିଦେଇଛି।

Advertisment

ସୁନିଲ ସାର ଦଶନ୍ଧି ଦଶନ୍ଧି ଧରି ଶିକ୍ଷାଦାନରେ ନିଜକୁ ବ୍ରତି ରଖିଥିଲେ। ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ ୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ।  ଏହାପରେ ଆସାମ୍ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣଯୋଗାଯୋଗ ବିଭାଗର ଡ଼ିନ୍ ଭାବରେ ଯୋଗ ଦେଇଥିଲେ। ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ସାର୍ ବେଶ୍ ଛାତ୍ରବତ୍ସଳ ଥିଲେ। ତାଙ୍କଠାରୁ ଶିକ୍ଷା ଗ୍ରହଣ କରି ଆଜି ଗଣମାଧ୍ୟମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଛାତ୍ରାଛାତ୍ରୀ ତାଙ୍କୁ ଝୁରି ହେଉଛନ୍ତି।

(ବ୍ରହ୍ମପୁରରୁ ସିଲୁ ବିଶ୍ୱାଳଙ୍କ ସହ କଟକରୁ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ)

Advertisment
Advertisment