• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୬ ବର୍ଷରେ ୮ ଥର ଅପରେସନ୍‌ ହେଲେଣି । ପୂରା ଶରୀରର ଏମିତି ଜାଗା ବୋଧହୁଏ ନାହିଁ ଯେଉଁଠି ଛୁଞ୍ଚି କି କଇଁଚି ସ୍ପର୍ଶ କରିନଥିବ । ବୟସ ବି ୮୦ ପାର ହେଲାଣି । କିନ୍ତୁ ସେ ଥକିନାହାନ୍ତି କି ହାର ମାନିନାହାନ୍ତି । ପରିଣତ ବୟସରେ କ୍ୟାନସର ସହ ଲଢେଇ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା ଜଣକ ।

ବୟସ ପାଖାପାଖି ୮୦ । ପରିଣତ ବୟସରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ନୟାଗଡ଼ ଅଞ୍ଚଳର କମା ନାହାକ । ୬ ବର୍ଷ ଭିତରେ ଛୋଟମୋଟ ହୋଇ ପ୍ରାୟ ୮ ଟି ଅପରେସନ ସରିଲାଣି । ଶରୀରର ଆଉ କୌଣସି ଭାଗ ବାକି ରହିନି। ତଥାପି ନିଜେ ସେ ଚଳଚଞ୍ଚଳ । ଭଲ ହେବା ପାଇଁ ନଇତି କରୁଛନ୍ତି ସଂଘର୍ଷ । ତଥାପି ରୋଗ ସରୁନି କି ରୋଗୀର ମନୋବଳ ଭାଙ୍ଗୁନି।

୨୦୧୬ ମସିହାରେ କମା ନାହକ ପ୍ରଥମେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ପରେ ୨୦୧୭ ମସିହାରେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ପିଠିରେ କର୍କଟ ରୋଗ ହେବାରୁ ଅପରେସନ କରାଯାଇଥିଲା ଏହା ପରେ ୨୦୧୮ ରେ ମୁଖଗହ୍ୱର ଓ ୨୦୨୦ ମସିହାରେ ଚର୍ମକର୍କଟ ରୋଗରେ ଅପରେସନ ହୋଇଥିଲେ। ଆଜି ସୁଦ୍ଧା ମୋଟ ୮ ଟି ଅପରେସନ ସରିଲାଣି । ଏହାରି ଭିତରେ ନିଜର ଗୋଟିଏ ହାତ ବି ସେ ହରାଇଛନ୍ତି । ୟାଙ୍କ ଜୀବନର କଷ୍ଟ ଦେଖିଲେ ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ ।

ପୂର୍ବରୁ ସ୍ୱାମୀ ଆରପାରିକୁ ଚାଲିଯାଇଥିବା ବେଳେ ୪ ବର୍ଷ ତଳେ ଏକମାତ୍ର ପୁଅର ବି ମୃତ୍ୟୁ ହୋଇଥିଲା । ସମସ୍ତେ ଚାଲିଯିବା ପରେ ଏବେ ମେଡିକାଲ ହିଁ ତାଙ୍କର ଏକମାତ୍ର ଠିକଣା । କିଛି ସ୍ବେଛାସେବୀ ତାଙ୍କ ପାଇଁ ଏବେ ଦେବଦୂତ ପାଲଟିଛନ୍ତି। ଦିନରାତି ତାଙ୍କର ସେବା କରିବା ସହିତ କେମିତି ସୁସ୍ଥ ହେବେ ସେନେଇ କରୁଛନ୍ତି କାମ । ସେପଟେ ଡାକ୍ତର କହିଛନ୍ତି, ଏମିତି ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ କ୍ୟାନସର ପରି ରୋଗରେ ପଡ଼ି ୬ ଥର ଅପରେସନ୍‌ ହେବା ପରେ ବି ମନୋବଳ ଭାଙ୍ଗିନାହାନ୍ତି ବରଂ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

(କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ)